ମୁରିବାହାଲ, ୧୧/୦୭/୨୬ (ଭଗବାନ ମହାନ୍ତି): ବିଭିନ୍ନ ଦାବି ପୂରଣ ନହେବାରୁ ମୁରିବାହାଲ ବ୍ଲକର ସମସ୍ତ ଯୋଗଣ ସହାୟକ ୧୦ ଜୁଲାଇ ରୁ ସାମୂହିକ ଛୁଟିରେ ଗଲେ । ଏ ନେଇ ସେମାନେ ମୁରିବାହାଲ ବିଡ଼ିଓଙ୍କୁ ଗତ ୬ ତାରିଖରେ ଏକ ଲିଖିତ ଚିଠି ଦେଇଛନ୍ତି।
ଯୋଗଣ ସହାୟକ ସଂଘ ମୁରିବାହାଲ ବ୍ଲକ ପକ୍ଷରୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଗତ ୧୬ ଜୁନ ୨୦୨୬ ରେ ସେମାନେ ରାଜ୍ୟ ସରକାର ଓ ରାଜ୍ୟ ପ୍ରଶାସନକୁ ଲିଖିତ ନୋଟିସ୍ ଦେଇଥିଲେ। ୧୪ ବର୍ଷ ଧରି ଆନ୍ତରିକତାର ସହ ସେବା କରୁଥିଲେ ମଧ୍ୟ ସେମାନଙ୍କର ବୈଧ ଦାବି ସମାଧାନ ହୋଇନଥିବା ସେମାନେ ଅଭିଯୋଗ କରିଥିଲେ।
ସେହି ସମୟରେ ସରକାରଙ୍କ ନୂତନ CMAY ଯୋଜନାକୁ ସହଯୋଗ କରିବା ସହ ଯଦି ୧୦ ଜୁଲାଇ ସୁଦ୍ଧା ଦାବି ପୂରଣ ନହୁଏ ତେବେ ୧୦ ଜୁଲାଇରୁ ସାମୂହିକ ଛୁଟି ନେବା ସହ ଆବଶ୍ୟକ ସ୍ଥଳେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ମଧ୍ୟ ସେମାନେ କହିଥିଲେ।
ହେଲେ ଏବେ ଜୁଲାଇ ଓ ଅଗଷ୍ଟ ୨୦୨୬ ମାସ ପାଇଁ ଖାଦ୍ୟ ଶସ୍ୟ ବଣ୍ଟନର ବରାଦ ଆସିଥିବାରୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି ଯେ, ସରକାର କିମ୍ବା ଜିଲ୍ଲା ପ୍ରଶାସନ ସଂଘର କୌଣସି ସଦସ୍ୟଙ୍କ ଉପରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଚାପ ପ୍ରୟୋଗ ନକରନ୍ତୁ। ୧ ତାରିଖରୁ କାମ ଆରମ୍ଭ କଲେ ମଧ୍ୟ ୯ ତାରିଖ ସୁଦ୍ଧା ବଣ୍ଟନ ସରିବା ସମ୍ଭବ ନୁହେଁ। ତେଣୁ ୧୦ ତାରିଖରୁ ଛୁଟି ଆରମ୍ଭ ହେଲେ ହିତାଧିକାରୀ ଅସୁବିଧାର ସମ୍ମୁଖୀନ ହେବେ।
ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଜୁଲାଇ ଓ ଅଗଷ୍ଟ ମାସ ପାଇଁ ଯୋଗଣ ସହାୟକମାନେ ବଣ୍ଟନ କାମ ନକରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଥିବା ଚିଠିରେ କୁହାଯାଇଛି। ଏଥିପାଇଁ ପ୍ରଶାସନ ପୂର୍ବରୁ ବିକଳ୍ପ ବ୍ୟବସ୍ଥା କରିବାକୁ ସେମାନେ ଅନୁରୋଧ କରିଛନ୍ତି।
ଏହି ଚିଠିର କପି ମୁଖ୍ୟମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ପ୍ରମୁଖ ଶାସନ ସଚିବଙ୍କୁ ମଧ୍ୟ ପଠାଯାଇଛି।
ଏହି ଚିଠିରେ ଯୋଗଣ ସହାୟକ ସଂଘ ମୁରିବାହାଲ ବ୍ଲକର ସଭାପତି ଅଜନ୍ତୁଲା ବନଛୋର ଓ ସମ୍ପାଦକ ରଞ୍ଜନ ପୁଟେଲ ପ୍ରମୁଖ ଉପସ୍ଥିତରେ ବିଡ଼ିଓ ଙ୍କୁ ଦାବିପତ୍ର ଦେଇଥିଲେ।




