ରାଜ୍ୟରେ ଚମକିଲା ନୂଆପଡ଼ା ମଡେଲ! ସଫଳ ସମବାୟ ବ୍ୟବସ୍ଥା ଦେଖିବାକୁ ଛୁଟିଲେ ୪ ଜିଲ୍ଲାର ସମିତି ସମ୍ପାଦକ।

ନୂଆପଡ଼ା ଜିଲ୍ଲାରେ ସମବାୟ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସଫଳ ମଡେଲ ଓ ଉତ୍ତମ କାର୍ଯ୍ୟ ପଦ୍ଧତିର ଅଧ୍ୟୟନ ନିମନ୍ତେ ସମବାୟ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ କଟକ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ମନୋନୀତ ମଡେଲ ପ୍ରାଥମିକ କୃଷି ସମବାୟ ସମିତିର ୪୧ ଜଣ ସମ୍ପାଦକ ଏକ ଦୁଇ ଦିନିଆ ଅଧ୍ୟୟନ ଭ୍ରମଣ କାର୍ଯ୍ୟକ୍ରମରେ ନୂଆପଡ଼ା ପହଞ୍ଚିଛନ୍ତି।ଏହି ଅବସରରେ ଅଧ୍ୟୟନକାରୀ ଦଳ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସାକ୍ଷାତ କରିଥିଲେ। ଜିଲ୍ଲାପାଳ ଶ୍ରୀ ଦାଶ ସମବାୟ କ୍ଷେତ୍ରର ବିକାଶରେ ସମ୍ପାଦକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ନିଜ ନିଜ ଅଞ୍ଚଳରେ ନିଷ୍ଠା ଓ ପରିଶ୍ରମର ସହିତ କାର୍ଯ୍ୟ କରି କୃଷକ ଏବଂ ସମବାୟ ଅନୁଷ୍ଠାନଗୁଡ଼ିକର ସଶକ୍ତୀକରଣ ପାଇଁ ପ୍ରୟାସ କରିବାକୁ ଆହ୍ୱାନ ଦେଇଥିଲେ।


ଏହି ଅବସରରେ ଜିଲ୍ଲାପାଳ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଶ୍ରେଷ୍ଠ ନିର୍ବାଚନ ପରିଚାଳନା ପାଇଁ ପ୍ରାପ୍ତ ଜାତୀୟ ସମ୍ମାନ ଓ ପୁରସ୍କାର ସମ୍ପର୍କରେ ଅବଗତ କରାଇଥିଲେ। ସେହିପରି ନୂଆପଡ଼ା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଅଭିନବ ପଦକ୍ଷେପ ଯଥା ଏକକ ବ୍ୟବହୃତ ପ୍ଲାଷ୍ଟିକ ବିରୋଧୀ ଅଭିଯାନ, ବର୍ତ୍ତନ ବ୍ୟାଙ୍କ, ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।
ଅଧ୍ୟୟନ ଭ୍ରମଣ ସମୟରେ ପ୍ରତିନିଧି ଦଳ ନୂଆପଡ଼ା ଜିଲ୍ଲାର ସଫଳ ସମବାୟ ସମିତିଗୁଡ଼ିକର କାର୍ଯ୍ୟପ୍ରଣାଳୀ, କୃଷକ ସେବା, ଧାନ ସଂଗ୍ରହ ପରିଚାଳନା ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବେ।ଏହି କାର୍ଯ୍ୟକ୍ରମରେ ଡିଆରସିଏସ୍ ଶିବ ପ୍ରସାଦ ସ୍ୱାଇଁ, ନୂଆପଡ଼ା ଏନଏସିର ନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରାକର ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *