ପାରଳାଖେମୁଣ୍ଡି, – : ମହେନ୍ଦ୍ରଗିରିରେ ଜୁନ୍ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ୯ ଦିନିଆ ମହେନ୍ଦ୍ର ମେଳାକୁ ନେଇ ଗଜପତି ଜିଲ୍ଲାରେ ବିବାଦ ଥମିବାର ନା ନେଉନି। ଗୋଟିଏ ପକ୍ଷରେ ପୌରାଣିକ ପରମ୍ପରା ଓ ଧାର୍ମିକ ଆସ୍କାର ଦାବି, ଅନ୍ୟପକ୍ଷରେ ପରିବେଶ ସୁରକ୍ଷା, ଆଦିବାସୀ ଅଧିକାର ଓ ସଂସ୍କୃତିର ଅସ୍ତିତ୍ବ ନେଇ ଉଠୁଛି ପ୍ରଶ୍ନ ମେଳା ପାଇଁ ପ୍ରଶାସନିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଦିବାସୀ ସଂଗଠନ ଓ ପରିବେଶପ୍ରେମୀ ଏହାକୁ ବିରୋଧ କରି ଆନ୍ଦୋଳନକୁ ତୀବ୍ର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଶତାଧିକ ଆଦିବାସୀ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଆଦିବାସୀଙ୍କ ଅଭିଯୋଗ ଅନୁଯାୟୀ ମହେନ୍ଦ୍ରଗି ପର୍ବତ ଏକ ସଂରକ୍ଷିତ ଓ ସଂବେଦନଶୀଳ ପରିବେଶୀୟ ଅଞ୍ଚଳ ହୋଇଥିବା ବେଳେ ବ୍ୟାପକ ଭାବେ ମେଳା ଆୟୋଜନ ଦ୍ବାରା ଜଙ୍ଗଲ, ଜଳସ୍ରୋତ ଓ ପ୍ରାକୃତିକ ପରିବେଶ ନଷ୍ଟ ହେଉଛି | ମହେନ୍ଦ୍ରଗିରି ସହ ଜଡ଼ିତ ଆଦିବାସୀ ପରମ୍ପରା, ଆସ୍ଥା ଓ ସଂସ୍କୃତିକୁ ମଧ୍ୟ କ୍ଷୁଣ୍ଣ କରାଯାଉଥିବା ଅଭିଯୋଗ ହେଉଛି। ଏଣୁ, ମହେନ୍ଦ୍ରଗିରିରେ ସମସ୍ତ ବେଆଇନ ଖନନ ଓ ନିର୍ମାଣ କାମ ତୁରନ୍ତ ବନ୍ଦ କରାଯାଉ, ମହେନ୍ଦ୍ର ମେଳାକୁ ବାତିଲ କରାଯାଉ, ପ୍ରାଚୀନ ମୂର୍ତ୍ତି ଓ ଶିବଲିଙ୍ଗ ଚୋରାଚାଲାଣ ଘଟଣାର ନିରପେକ୍ଷ ତଦନ୍ତ କରାଯାଉ, ଶବର ଆଦିବାସୀଙ୍କର ଜମି, ଜଙ୍ଗଲ ଓ ପାଣି ଉପରେ ଅଧିକାରକୁ ସୁନିଶ୍ଚିତ କରାଯାଉ, ୧୯୮୭ରେ ଗଠିତ ମହେନ୍ଦ୍ରଗିରି ମହାପ୍ରଭୁ ଏଣ୍ଡୋମେଣ୍ଟ ଟ୍ରଷ୍ଟକୁ ପୁନଃସକ୍ରିୟ କରାଯାଉ, ଆଦି ଦାବି ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି।
ଦୀର୍ଘଦିନ ଧରି ପ୍ରଶାସନ ନିକଟରେ ଅଭିଯୋଗ ଓ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଏଯାଏଁ କୌଣସି ସ୍ଥାୟୀ ସମାଧାନ ହୋଇନାହିଁ। ଏଭଳିକି, ବିବାଦର ସମାଧାନ ପାଇଁ ହୋଇଥିବା ଆଲୋଚନା ମଧ୍ୟ ସଫଳ ହୋଇନାହିଁ। ଏଣୁ, ପରିସ୍ଥିତି ଗମ୍ଭୀର ହେବା ଦେଖି ଆଦିବାସୀ ସଂଗଠନମାନେ ଏବେ ଆଇନର ଆଶ୍ରୟ ନେଇଛନ୍ତି | ମାମଲା ହାଇକୋର୍ଟରେ ପହଞ୍ଚିଥିବା ବେଳେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆଦିବାସୀ ନେତାମାନେ କହିଛନ୍ତି।




