ଆଖି ରେ କଳାକନା ବାନ୍ଧି ଲଟେରି ମାଧ୍ୟମରେ ବାଣ୍ଟିଲେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ ମଦ ଦୋକାନ

କଳାହାଣ୍ଡି (ଚିତ୍ତରଞ୍ଜନ ବିଷି )ଅବକାରୀ ଜିଲାର ୨୦୨୬-୨୭ବର୍ଷ ପାଇଁ ଆଇଏମ୍‌ଏଫ୍‌ଏଲ୍‌ (ବିଦେଶୀ ମଦ) ଦୋକାନ ବଣ୍ଟନ ନିମନ୍ତେ ଶୁକ୍ରବାର ଭବାନୀପାଟଣା ସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଖୋଲା ଲଟେରି ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଏଥିରେ ଜିଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତା କରିଥିଲେ। ଚଳିତ ବର୍ଷ ଜିଲାର ମୋଟ ୩୧ଟି ଆଇଏମ୍‌ଏଫ୍‌ଏଲ୍‌ (ବିଦେଶୀ ମଦ) ଦୋକାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ସେଥିମଧ୍ୟରୁ ୨୯ ଟି ଦୋକାନ ପାଇଁ ମୋଟ ୮୪୨ଜଣ ଆବେଦନ କରିଥିଲେ। ଅବଶିଷ୍ଟ ୨ଟି ଦୋକାନ ପାଇଁ କେହି ଆବେଦନ କରି ନ ଥିଲେ।

ଜିଲାର ଲାଞ୍ଜିଗଡ଼ ଦୋକାନ ପାଇଁ ସର୍ବାଧିକ ୧୦୪ ଆବେଦନ କରିଥିବାବେଳେ ଜୟପାଟଣା ପାଇଁ ୯୮, କୋକସରା ପାଇଁ ୬୮,ଜୁନାଗଡ଼ (୧) ପାଇଁ ୬୭, ଧର୍ମଗଡ଼ (୧) ପାଇଁ ୬୩,ଭବାନୀପାଟଣା (୪) ପାଇଁ ୫୦ ଓ ଥୁଆମୁଲ ରାମପୁର ପାଇଁ ୪୫, ଆବେଦନ ଦାଖଲ ହୋଇଥିଲା। ପ୍ରତ୍ୟେକ ପର୍ଯ୍ୟାୟ ଶେଷରେ ସମ୍ପୃକ୍ତ ଦୋକାନ ପାଇଁ ଅସ୍ଥାୟୀ ଭାବେ ମନୋନୀତ ଆବେଦନକାରୀଙ୍କ ନାମ ଘୋଷଣା କରାଯାଇଥିଲା। ମନୋନୀତ ଆବେଦନକାରୀଙ୍କ ଆବେଦନପତ୍ର ଓ ଅନ୍ୟାନ୍ୟ ଦଲିଲ ଯାଞ୍ଚ ଏବଂ ନିର୍ଦ୍ଧାରିତ ଫି ପ୍ରଦାନ କରିବା ପରେ ଲାଇସେନ୍ସ ପ୍ରଦାନ କରାଯିବ। ଲଟେରି ପ୍ରକ୍ରିୟାର ସମ୍ପୂର୍ଣ୍ଣ ସ୍ବଚ୍ଛତା ଓ ନିରପେକ୍ଷତା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଭିଡିଓ ରେକର୍ଡିଂ କରାଯାଇ ସ୍ବଚ୍ଛତାକୁ ସୁନିଶ୍ଚିତ କରାଯାଇଥିଲା। ଲଟେରି ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ ହୋଇଥିବାରୁ ଜିଲାପାଳ ସମସ୍ତ ଆବେଦନକାରୀ, ପ୍ରଶାସନିକ ଅଧିକାରୀ ଓ ଅବକାରୀ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ସମୟରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ,ଜିଲା ଅବକାରୀ ଅଧ୍ୟକ୍ଷକ ରଞ୍ଜନ ନାୟକ ସମେତ ବିଭାଗୀୟ ଅଧିକାରୀ, କର୍ମଚାରୀ ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *