ଶ୍ରୀଜଗନ୍ନାଥ ମନ୍ଦିର , ପୁରୀର ପ୍ରଶାସକଙ୍କ ନିକଟକୁ ବାସୁଙ୍ଗା ପାଟ ପ୍ରେରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ଆଜି ଶ୍ରୀଜଗନ୍ନାଥ ମନ୍ଦିର, ପୁରୀର ପ୍ରଶାସକଙ୍କ ନିକଟକୁ ବାସୁଙ୍ଗା ପାଟ ପ୍ରେରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଆଜି ୩୮୦ କିଲୋଗ୍ରାମର ବାସୁଙ୍ଗା ପାଟ ଶ୍ରୀଜଗନ୍ନାଥ ମନ୍ଦିର, ପୁରୀର ପ୍ରଶାସକଙ୍କ ନିକଟକୁ ପ୍ରେରଣ କରାଗଲା । ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ପୂଜାର୍ଚ୍ଚନା ପରେ ପତାକା ହଲାଇ ବାସୁଙ୍ଗା ପାଟ ପ୍ରେରଣ କାର୍ଯ୍ୟର ଆରମ୍ଭ କରାଗଲା ।


ଗଣମାଧ୍ୟମର ବନ୍ଧୁମାନଙ୍କୁ ସମ୍ବୋଧନ କରିବାକୁ ଯାଇ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ବାସୁଙ୍ଗା ପାଟ ହେଉଛି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଗୁରୁତ୍ୱପୂର୍ଣ୍ଣ ରିତିନୀତିରେ ବ୍ୟବହୃତ ଏକ ଅତ୍ୟନ୍ତ ପବିତ୍ର ଓ ବିଶେଷ ପ୍ରକାରର ରେଶମ ଡୋରୀ । ବାସୁଙ୍ଗା ପାଟ ହେଉଛି ଶ୍ରୀ ଜଗନ୍ନାଥ ସଂସ୍କୃତି ସହ ଜଡିତ ଏକ ପାରମ୍ପରିକ ରେଶମୀ ପଟ୍ଟବସ୍ତ୍ର, ଯାହା ଓଡ଼ିଶାର ରେଶମ ଓ ହସ୍ତତନ୍ତ ଐତିହର ପ୍ରତୀକ । ଏହା ଆଧ୍ୟାତ୍ମିକ ଶିଷ୍ଟାଚାର, ପାରମ୍ପରିକ କାରୁକୃତି ଓ ଦେଶଜ ପ୍ରଯୁକ୍ତି ଜ୍ଞାନର ଏକ ଦୁର୍ଲଭ ସମନ୍ୱୟକୁ ପ୍ରତିନିଧିତ୍ୱ କରେ ।


ବାସୁଙ୍ଗା ପାଟ ପ୍ରାକୃତିକ ମଲବେରୀ ରେଶମ ସୂତାରୁ ପ୍ରସ୍ତୁତ କରାଯାଏ ଓ କଇଥ ଫଳର ଅଠାରେ ରଙ୍ଗ ଦିଆଯାଇଥାଏ । ବାସୁଙ୍ଗା କେବଳ ଏକ ଧାର୍ମିକ ସାମଗ୍ରୀ ନୁହେଁ, ବରଂ ଏହା ଶ୍ରଦ୍ଧା, କାରୁକୃତି ଓ ପାରମ୍ପରିକତାର ଏକ ପବିତ୍ର ପ୍ରତୀକ ଶ୍ରୀଜଗନ୍ନାଥଙ୍କ ରିତିନୀତିରେ ଏହାର ଅବିରତ ବ୍ୟବହାର ଓଡ଼ିଶାର ମନ୍ଦିର ସଂସ୍କୃତି ଓ କଳାକୌଶଳର ଅମୂଲ୍ୟ ଐତିହ୍ୟକୁ ପ୍ରକାଶ କରେ ।ଏହି ବାସୁଙ୍ଗା ତିଆରି ନିମନ୍ତେ କରୁଣା ସିଲ୍କ ଭଳି ପଦ୍ଧତିର ବ୍ୟବସ୍ଥା କରାଯାଇଛି
କରୁଣା ସିଲ୍କ ହେଉଛି ପାରମ୍ପରିକ ରେଶମର ଏକ ଅହିଂସାମୂଳକ ଓ ସୁସ୍ଥାୟୀ ବିକଳ୍ପ, ଯାହା ରେଶମ କୀଟମାନଙ୍କୁ କୌଣସି କ୍ଷତି ନକରି ପ୍ରସ୍ତୁତ କରାଯାଏ ।
ଏହି ପ୍ରକ୍ରିୟାରେ ସମସ୍ତ ରେଶମ କୀଟମାନଙ୍କୁ ସମ୍ପୂର୍ଣ୍ଣ ପ୍ରଜାପତି ହେବା ପର୍ଯ୍ୟନ୍ତ ବଞ୍ଚିବାକୁ ଦିଆଯାଏ, ସେମାନେ ନିଜ ସ୍ୱାଭାବିକ ଜୀବନଚକ୍ର ସମ୍ପୂର୍ଣ୍ଣ କରି ପ୍ରାକୃତିକ ଭାବେ ରେଶମ କୋଷରୁ ବାହାରିଆସନ୍ତି ।ପୁରାତନ ସ୍ପିନିଂ ପ୍ରକ୍ରିୟା ମାଧ୍ୟମରେ ପୁପାକୁ ହତ୍ୟା କରି ସୂତା ରିଲିଂ କରିବା ପାରମ୍ପରିକ ପଦ୍ଧତିକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଯାଏ

ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ (SERIFED) ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ ୧୯୮୧ ମସିହାରୁ ଶ୍ରୀଜଗନ୍ନାଥ ମନ୍ଦିର, ପୁରୀର ପ୍ରଶାସକଙ୍କ ନିକଟ କୁ ବାସୁଙ୍ଗା ପାଟ ଯୋଗାଇ ଦିଆଯାଉଛି । SERIFED ‘କରୁଣା ସିଲ୍କ’କୁ ପାରମ୍ପରିକ ରେଶମର ଏକ ସହଜ ଓ ସୁସ୍ଥାୟୀ ବିକଳ୍ପ ଭାବେ ଏବଂ ଓଡ଼ିଶାର ପ୍ରିମିୟମ୍ ନୀତିସମ୍ମତ ରେଶମ ବ୍ରାଣ୍ଡ ଭାବେ ପ୍ରତିଷ୍ଠା କରିଛି । ରେଶମ ଓଡ଼ିଶା ହେଉଛି ସେରିଫେଡ ଦ୍ୱାରା ପ୍ରଚାରିତ ଓ ପରିଚାଳିତ ଏକ ରେଶମ ଓ ହାଣ୍ଡଲୁମ୍ ବ୍ରାଣ୍ଡ, ରେଶମ ଓଡ଼ିଶା ଅସଲି ରେଶମ, ନୀତିସମ୍ମତ ଉତ୍ପାଦନ, ହସ୍ତନିର୍ମିତ ଉତ୍କୃଷ୍ଟତା, ସରକାରୀ ନିଶ୍ଚିତ ଗୁଣମାନ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଅଟେ । ରେଶମ ଓଡ଼ିଶା ଓଡ଼ିଶାର ରେଶମ ଚାଷ ଓ ବୁଣାକାମ କ୍ଷେତ୍ରର ସମୃଦ୍ଧ ପରମ୍ପରା ଓ ଐତିହ୍ୟକୁ ପ୍ରତିନିଧିତ୍ୱ କରେ । ଏହି କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ଅତିରିକ୍ତ ନିର୍ଦ୍ଦେଶକ (ରେଶମ) ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ସେରିଫେଡ ସଭାପତି ଭାଗିରଥୀ ନନ୍ଦ, ସମ୍ପାଦିକା ସଂଗୀତା ମିଂଜ, ସ୍ୱତନ୍ତ୍ର ଅଧିକାରୀ ଇନ୍ଦିରା ବେହେରା,ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *