ରାମ ମନ୍ଦିର ଚାନ୍ଦା କଳାବଜାରୀ ଅଭିଯୋଗ: ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ଦାବି କଲା ମାଲକାନଗିରି କଂଗ୍ରେସ

ରାମ ମନ୍ଦିର ନିର୍ମାଣ ନିମନ୍ତେ ସଂଗ୍ରହ କରାଯାଇଥିବା ଚାନ୍ଦା ଏବଂ ଆର୍ଥିକ କାରବାରକୁ ନେଇ ଏବେ ସାରା ଦେଶରେ ରାଜନୈତିକ ଉଷ୍ଣତା ପ୍ରକାଶ ପାଇଛି। ଆସ୍ଥା ନାମରେ ରାଜନୀତି ଏବଂ ଭେଟି ନାମରେ ବ୍ୟାପକ ଲୁଟ୍‌ର ସଙ୍ଗୀନ ଅଭିଯୋଗ ଆଣି ଶାସକ ଦଳକୁ କାଠଗଡ଼ାକୁ ଟାଣିଛି ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି। ଭଗବାନ ରାମଙ୍କ ନାମରେ ସଂଗ୍ରହ କରାଯାଇଥିବା କୋଟି କୋଟି ଟଙ୍କାର ଦାନ କଣ ବିଜେପି-ଆରଏସଏସ ମଡେଲର ରାଜନୈତିକ ମୁନାଫାଖୋରୀର ଶିକାର ହୋଇଛି ବୋଲି ଏକ ପ୍ରେସ ବାର୍ତ୍ତାରେ ପ୍ରଶ୍ନ କରିଛି ଜିଲ୍ଲା କଂଗ୍ରେସ।


​ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ତତ୍କାଳୀନ ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ରଙ୍କ ଇସ୍ତଫା ଏହି ଦୁର୍ନୀତିର ଗଭୀରତାକୁ ପ୍ରମାଣ କରୁଛି ବୋଲି କଂଗ୍ରେସ ଦର୍ଶାଇଛି। କଂଗ୍ରେସ ନେତୃତ୍ୱଙ୍କ କହିବା ଅନୁଯାୟୀ, ଦେଶର ଗରିବ, ଚାଷୀ, ଶ୍ରମିକ ଓ ମହିଳାମାନେ ନିଜର କଷ୍ଟଅର୍ଜିତ ସଞ୍ଚୟରୁ ମନ୍ଦିର ପାଇଁ ଦାନ କରିଥିଲେ, ମାତ୍ର ଆଜି ସେହି ଆସ୍ଥା ଓ ବିଶ୍ୱାସର ହତ୍ୟା କରାଯାଇଛି। ଯଦି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO) ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟ୍ରଷ୍ଟ ଗଠନ ହୋଇଥିଲା, ତେବେ ଏହି ବ୍ୟାପକ ଆର୍ଥିକ ଅନିୟମିତତା ପାଇଁ କିଏ ଦାୟୀ ଏବଂ ସବୁକିଛି ସ୍ୱଚ୍ଛ ଥିଲେ ଟ୍ରଷ୍ଟର ବଡ଼ ଅଧିକାରୀଙ୍କ ଇସ୍ତଫା କାହିଁକି ଗ୍ରହଣ କରାଗଲା ବୋଲି ପ୍ରଶ୍ନ ଉଠିଛି। ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରିଙ୍କ ସାର୍ବଜନୀନ ବିବୃତି ଏବଂ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଗୋପାଳ ରାଓଙ୍କୁ ପଦରୁ ହଟାଇବା ଘଟଣା ଟ୍ରଷ୍ଟ ଭିତରେ ଥିବା ମତଭେଦକୁ ପଦାରେ ପକାଇଛି। ଏଥିସହ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରାୟ ୧୧୩ କୋଟି ଏବଂ ପତାକା ଉତ୍ତୋଳନ ଉତ୍ସବରେ ପ୍ରାୟ ୧୦.୧୨ କୋଟି ଟଙ୍କା ବ୍ୟୟ କରାଯାଇ ନକଲି ରସିଦ ଓ ନଗଦ ହେରଫେର କରାଯାଇଥିବା ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ। କେବଳ ରାମ ମନ୍ଦିର ନୁହେଁ, ବଦ୍ରିନାଥ ଧାମରୁ ମଧ୍ୟ ଅନୁରୂପ ଅଭିଯୋଗ ଆସୁଥିବାରୁ ଏହା ଏକ ସୁଚିନ୍ତିତ ମହାନାଟକ ବୋଲି ଦଳ କହିଛି।


ମାଲକାନଗିରି ଜିଲ୍ଲା କଂଗ୍ରେସର ଏହି ସ୍ୱରକୁ ଜୋରଦାର କରିବା ପାଇଁ ଆୟୋଜିତ ଏହି ପ୍ରେସ ବାର୍ତ୍ତାରେ ଜିଲ୍ଲାର ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଜି. ଶ୍ରୀନିବାସ ରାଓ, ପୂର୍ବତନ ବିଧାୟକ ମାଲା ମାଢ଼ୀ, ସି.ଆର.ଡି.ସି ର ଗୋବିନ୍ଦ ପାତ୍ର, ଡି.ଡବ୍ଲୁ.ସି ସଭାନେତ୍ରୀ ପଦ୍ମା ପାଙ୍ଗୀ, ଜିଲ୍ଲା ପରିଷଦ ସଦସ୍ୟ କୃଷ୍ଣ ଚନ୍ଦ୍ର ସାଗରିଆ, ରତ୍ନା ପଡ଼ିଆମୀ, ପୁଷ୍ପାଞ୍ଜଳି କବାସୀ, ଜିଲ୍ଲା ପରିଷଦ ସଦସ୍ୟ ପ୍ରାଣ ମଣ୍ଡଳ, ମୁନିସିପାଲିଟି ସଭାପତି କେଶୁ ରାଓ, ଏବଂ ନେତୃବୃନ୍ଦ ଭାସ୍କର ପାତ୍ର, ପର୍ଶୁରାମ ଭକ୍ତ, ଗଙ୍ଗା ମାଢ଼ୀ, ଇଶାକ କାସାଲ, ଅର୍ଜୁନ ପଡ଼ିଆମୀ ଓ ସନ୍ତୋଷ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇ ଶାସକ ଦଳ ବିରୋଧରେ ଗର୍ଜିଥିଲେ। ​କଂଗ୍ରେସ କମିଟିର ୫ ଦଫା ଦାବି: ସମ୍ପୂର୍ଣ୍ଣ ଘଟଣା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ନୀରବତା ଭାଙ୍ଗନ୍ତୁ। ଚମ୍ପତ ରାୟ ଏବଂ ଅନିଲ ମିଶ୍ରଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ FIR ରୁଜୁ କରାଯାଇ ଗିରଫ କରାଯାଉ।ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ନିରପେକ୍ଷ ଓ ସ୍ୱାଧୀନ ତଦନ୍ତ କରାଯାଉ।


ବର୍ତ୍ତମାନର ବିବାଦୀୟ ଟ୍ରଷ୍ଟକୁ ଭଙ୍ଗ କରି ଧାର୍ମିକ ନେତା ଓ ସ୍ୱାଧୀନ ବିଶେଷଜ୍ଞଙ୍କୁ ନେଇ ନୂତନ ଟ୍ରଷ୍ଟ ପୁନର୍ଗଠନ ହେଉ। ସମସ୍ତ ଦାନ, ଭେଟି ଏବଂ ଜମି କାରବାରର ସମ୍ପୂର୍ଣ୍ଣ ଫୋରେନ୍ସିକ ଅଡିଟ୍ କରି ରିପୋର୍ଟ ସାର୍ବଜନୀନ କରାଯାଉ। ​ଭଗବାନ ରାମ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନୁହନ୍ତି, ସେ ସମଗ୍ର ଦେଶର ଚେତନା। ତେଣୁ ଦାନର ପ୍ରତିଟି ପଇସାର ହିସାବ ସାର୍ବଜନୀନ ହେବା ଜରୁରୀ ବୋଲି ଜିଲ୍ଲା କଂଗ୍ରେସ କମିଟି ଦୃଢ଼ ଦାବି କରିଛି।

Leave a Reply

Your email address will not be published. Required fields are marked *