ମୁରିବାହାଲ, ୨୩/୦୭/୨୬ (ଭଗବାନ ମହାନ୍ତି): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ଅନ୍ତର୍ଗତ ଗୁରୁଣ୍ଡା ଗ୍ରାମର ମୁଖ୍ୟ ରାସ୍ତା ଲଗାଣ ବର୍ଷା ପାଣିରେ ବୁଡ଼ି ରହିଥିବାରୁ ଗ୍ରାମବାସୀଙ୍କ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ରାସ୍ତାର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବାରୁ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ ବିପଦପୂର୍ଣ୍ଣ ସ୍କୁଲ ଛାତ୍ରଛାତ୍ରୀଙ୍କ ନିୟମିତ ଯିବା ଆସିବାରେ ଅସୁବିଧା। ଆମ୍ବୁଲାନ୍ସ ଗ୍ରାମ ଭିତରକୁ ପ୍ରବେଶ କରିପାରୁ ନଥିବାରୁ ଗର୍ଭବତୀ ମହିଳା ଓ ରୋଗୀଙ୍କୁ ବିକଳ୍ପ ରାସ୍ତାରେ ନେବାକୁ ପଡୁଛି। ରାତିରେ ପାଣି ଜମି ରହୁଥିବାରୁ ଦୁର୍ଘଟଣାର ଆଶଙ୍କା ବଢିଛି।
ପ୍ରାୟ ୫୦ ବର୍ଷ ଧରି ଏହି ରାସ୍ତାର ସ୍ଥାୟୀ ମରାମତି ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସ୍ଥାନୀୟ ସରପଞ୍ଚଙ୍କୁ ଏକାଧିକ ଥର ଅବଗତ କରାଯାଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ମିଳିଛି, କୌଣସି ପଦକ୍ଷେପ ନିଆଯାଇନାହିଁ। ଶୀଘ୍ର ରାସ୍ତାର ମରାମତି କାମ ଆରମ୍ଭ ନହେଲେ ରାଜରାସ୍ତା ଅବରୋଧ କରି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏହି ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରିବାପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା।




