ଅଲଗା ହୋଇଗଲେ ରାପର୍ ବାଦଶାହ ଏବଂ ପଞ୍ଜାବୀ ଅଭିନେତ୍ରୀ ଈଶା ରିଖି । ବିବାହକୁ ମାତ୍ର ହୋଇଥିଲା ୫ ମାସ ହେଲେ ଉଭୟ ପରସ୍ପରଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି । ଦୁହେଁ ସେମାନଙ୍କ ଛାଡପତ୍ର ନିଶ୍ଚିତ କରିଛନ୍ତି । ବର୍ଷେ ନପୂରୁଣୁ ଭାଙ୍ଗିଯାଇଛି ସମ୍ପର୍କ । ରାପର୍ ବାଦଶାହ ଏବଂ ପଞ୍ଜାବୀ ଅଭିନେତ୍ରୀ ଈଶା ରିଖି ଅଗଷ୍ଟ ୩୧ରେ ସେମାନଙ୍କ ସମ୍ପର୍କ ବିଷୟରେ ଚାଲିଥିବା କଳ୍ପନାଜଳ୍ପନା ବିଷୟରେ କହିଥିଲେ । ହେଲେ ଶେଷରେ ସବୁ କଳ୍ପନା ଜଳ୍ପନା ଅନ୍ତ ଘଟାଇ ସେମାନେ ଅଲଗା ହୋଇଯାଇଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଉଭୟ ନିଜ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅଲଗା ହେବାନେଇ ସୂଚନା ଦେଇଛନ୍ତି । ଏହି ଘୋଷଣା ଉଭୟଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଭାଙ୍ଗି ପଡିଛନ୍ତି ।
ବାଦଶାହ- ଈଶା- ସୋମବାର ସେମାନଙ୍କର ମିଳିତ ବିବୃତ୍ତିରେ କହିଛନ୍ତି ଯେ, ପାରସ୍ପରିକ ସହମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ସେମାନେ ବର୍ତ୍ତମାନ ଅଲଗା ଅଲଗା ନିଜ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରୁଥିବାରୁ ସେମାନଙ୍କର ଗୋପନୀୟତାକୁ ସମ୍ମାନ ଦେବାକୁ ସେ ଲୋକଙ୍କୁ କହିଛନ୍ତି । “ଈଶା ଏବଂ ମୁଁ ପରସ୍ପର ଅଲଗା ହୋଇ ନିଜ ନିଜ ରାସ୍ତାରେ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଛୁ । ପରସ୍ପର ପ୍ରତି ସମ୍ମାନର ସହିତ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଏହି ସମୟରେ ଆମର ଗୋପନୀୟତାକୁ ସମ୍ମାନ ଦେବାକୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ବୋଲି କହିଛନ୍ତି ରାପର୍ ତଥା ଗାୟକ ବାଦଶାହ ।
ଦମ୍ପତି ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ,ସେମାନେ ଏହି ବିଷୟରେ ଅଧିକ ଆଲୋଚନା କରିବାକୁ ଚାହୁଁନାହାଁନ୍ତି । “ଏହି ପ୍ରସଙ୍ଗରେ ଏହା ଆମର ଏକମାତ୍ର ବିବୃତ୍ତି ହେବ । ଆମେ ଅନୁରୋଧ କରୁଛୁ ଯେ, ଆମ ସମ୍ପର୍କକୁ ନେଇ ଆଉ କୌଣସି କଳ୍ପନାଜଳ୍ପନା କରାନଯାଉ ।
ବାଦଶାହ ଏବଂ ଈଶା ରିଚି ସିକ୍ରେଟ୍ ମ୍ୟାରେଜ କରିଥିଲେ । ସବୁବେଳେ ସେମାନେ ସେମାନଙ୍କ ସମ୍ପର୍କକୁ ପବ୍ଲିକ ନଜରରୁ ଦୂରେଇ ରଖିଥିଲେ । ମାର୍ଚ୍ଚ ୨୦୨୬ ରେ ଈଶାଙ୍କ ମା’ ବିବାହର ଫଟୋ ସୋସିଆଲ ମିଡିଆରେ ଫଟୋ ସେୟାର କରିବା ପରେ ସେମାନଙ୍କ ବିବାହର ଖବର ସମସ୍ତଙ୍କ ସାମ୍ନାକୁ ଆସିଥିଲା । ବିବାହ ପୂର୍ବରୁ ଏହି ଦମ୍ପତି ଦୀର୍ଘ ୪ ବର୍ଷ ଧରି ଏକାଠି ଥିବା ଜଣାଯାଇଛି । ପରେ, ଈଶା ନିଜେ ଇନଷ୍ଟାଗ୍ରାମରେ ‘ଆସ୍କ ମି ଏନିଥିଙ୍ଗ୍’ ଅଧିବେଶନରେ ବିବାହକୁ ନିଶ୍ଚିତ କରିଥିଲେ ।




