‘ଶେଷରେ ଭୁଲିଗଲେ ପୁରୁଣା ରାଗ…!’ ଦୀର୍ଘ ବର୍ଷର ମନୋମାଳିନ୍ୟ ପରେ ଏକାଠି ହେଲା ଗୋବିନ୍ଦାଙ୍କ ପରିବାର

ବଲିଉଡ ଷ୍ଟାର ଗୋବିନ୍ଦାଙ୍କ ପାରିବାରିକ ଜୀବନରେ ଝଡକୁ ନେଇ ଗତ କିଛି ଦିନ ହେବ ଖୁବ୍ ଚର୍ଚ୍ଚା। ହେଲେ ଏସବୁ ଭିତରେ ଗୋବିନ୍ଦାଙ୍କ ଭଣଜା କୃଷ୍ଣା ଅଭିଷେକଙ୍କ ସହ ମାଇଁ ସୁନିତାଙ୍କ ପାରିବାରିକ ସମ୍ପର୍କ ଖୁବ୍ ଭଲ ହେଉଥିବାର ଦେଖିବାକୁ ମିଳିଛି। ଦୀର୍ଘ ବର୍ଷର ପାରିବାରିକ ମନୋମାଳିନ୍ୟ ଓ ବିବାଦ ପରେ ପୁଣି ଏକାଠି ହୋଇଛି ପରିବାର। ଭଣଜା କୃଷ୍ଣା ଅଭିଷେକଙ୍କ ଘରେ ପହଞ୍ଚିଛନ୍ତି ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା। ତାଙ୍କ ସହ ପୁଅ ଯଶବର୍ଦ୍ଧନ ଆହୁଜା ମଧ୍ୟ ଉପସ୍ଥିତ ଥିଲେ। ଗଣେଶ ଉତ୍ସବ ଅବସରରେ କୃଷ୍ଣା ଅଭିଷେକଙ୍କ ଘରେ ଏହି ବିଶେଷ ପାରିବାରିକ ମିଳନ ଦେଖିବାକୁ ମିଳିଥିଲା। ସୁନୀତା ଆହୁଜା ଘରେ ପହଞ୍ଚିବା ମାତ୍ରେ କୃଷ୍ଣା ଅଭିଷେକଙ୍କ ଜାଆଁଳା ପୁଅ ରିୟାନ ଓ କୃଷାଙ୍ଗ ତାଙ୍କୁ ଉଷ୍ମାତାର ସହ ସ୍ୱାଗତ କରିଥିଲେ। ଦୁଇ ନାତି ସୁନିତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।

ଏହି ଭାବପୂର୍ଣ୍ଣ ମୁହୂର୍ତ୍ତରେ ସୁନୀତା ମଧ୍ୟ ଦୁଇ ନାତିଙ୍କ ଉପରେ ସ୍ନେହ ଅଜାଡ଼ି ଦେଇଥିଲେ। ପରେ କୃଷ୍ଣା ଅଭିଷେକ ଏବଂ ତାଙ୍କ ପତ୍ନୀ କଶ୍ମୀରା ଶାହଙ୍କ ସହ ମଧ୍ୟ ସୁନୀତାଙ୍କୁ ଖୁବ୍ ଆଦର ଏବଂ ସମ୍ମାନ କରିଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ପାରିବାରିକ ମନୋମାଳିନ୍ୟ ପରେ ପ୍ରଥମ ଥର ପାଇଁ ସୁନୀତା ଆହୁଜା କୃଷ୍ଣାଙ୍କ ଘରେ ଗଣେଶ ଉତ୍ସବରେ ସାମିଲ ହୋଇଥିଲେ। ଏହି ମିଳନକୁ ନେଇ କୃଷ୍ଣା ଅଭିଷେକ ମଧ୍ୟ ଗଣମାଧ୍ୟମ ସାମ୍ନାରେ ନିଜ ଖୁସି ପ୍ରକାଶ କରିଥିଲେ। ଏହି ଅବସରରେ କମେଡିଆନ୍ କପିଲ ଶର୍ମା ମଧ୍ୟ କୃଷ୍ଣାଙ୍କ ଘରେ ପହଞ୍ଚିଥିଲେ।

କିଛି ମାସ ପୂର୍ବରୁ ରିଆଲିଟି ଶୋ’ ‘ଲାଫ୍ଟର ଶେଫ୍ସ ଅନଲିମିଟେଡ୍ ଏଣ୍ଟରଟେନମେଣ୍ଟ’ ସିଜନ୍-୩ରେ ମଧ୍ୟ ଏଭଳି ଏକ ପାରିବାରିକ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା। ସେହି ଶୋ’ରେ ସୁନୀତା ଆହୁଜା ହଠାତ ପହଞ୍ଚି କୃଷ୍ଣା ଅଭିଷେକ ଓ କଶ୍ମୀରା ଶାହଙ୍କୁ ଭେଟିଥିଲେ। ସେତେବେଳେ ସୁନୀତା କହିଥିଲେ ଯେ, ପୁରୁଣା କଥାକୁ ଭୁଲି ଆଗକୁ ବଢ଼ିବା ଏବଂ କୃଷ୍ଣା ଓ କଶ୍ମୀରାଙ୍କୁ କ୍ଷମା କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି।

ରିପୋର୍ଟ ଅନୁସାରେ, ପରିବାର ମଧ୍ୟରେ ଏହି ମନୋମାଳିନ୍ୟ ପ୍ରାୟ ୧୪ ବର୍ଷ ଧରି ଚାଲିଥିଲା। ସୁନୀତା ନିଜ ନାତିମାନଙ୍କୁ ଭେଟିବାର ମୁହୂର୍ତ୍ତକୁ ମଧ୍ୟ ବେଶ୍ ଭାବପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ। ସୁନୀତା ହେଉଛନ୍ତି କୃଷ୍ଣା ଅଭିଷେକଙ୍କ ମାଇଁ ଏବଂ ଅଭିନେତା ଗୋବିନ୍ଦାଙ୍କ ପତ୍ନୀ। ଗୋବିନ୍ଦା ଓ ସୁନୀତା ଆହୁଜାଙ୍କ ପାରିବାରିକ ବିବାଦ ମଧ୍ୟରେ କଶ୍ମୀରା ଶାହ ସୁନୀତାଙ୍କ ସମର୍ଥନରେ ମଧ୍ୟ ମତ ରଖିଥିଲେ। ସେ କହିଥିଲେ ଯେ, ସୁନୀତା ତାଙ୍କ ପରିବାରର ଅଂଶ ଏବଂ ପରିବାରର ମହିଳାମାନଙ୍କ ସହ ସେ ସବୁବେଳେ ଠିଆ ହେବେ। ତେବେ ଦୀର୍ଘ ବର୍ଷର ତିକ୍ତତା ପରେ ଗଣେଶ ଉତ୍ସବରେ ଏକାଠି ହୋଇଥିବା ଏହି ପରିବାରର ଚିତ୍ର ଏବେ ଚର୍ଚ୍ଚାରେ ରହିଛି। ପୁରୁଣା ମନୋମାଳିନ୍ୟକୁ ପଛରେ ପକାଇ ପରିବାର ପୁଣି ନୂଆ ଭାବେ ଏକାଠି ହେବାର ଏହି ଦୃଶ୍ୟ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *