ଯଦି ଆପଣ ବ୍ୟବସାୟ, ଚାକିରି କିମ୍ବା ପାଠପଢ଼ା ପାଇଁ ନିଜ ଗାଁ-ସହର ଛାଡ଼ି ବଡ଼ ସହରରେ ରହୁଛନ୍ତି ଏବଂ ପ୍ରତି ମାସରେ ମହଙ୍ଗା ଘର ଭଡ଼ା ଦେଇ ଦେଇ ଅତିଷ୍ଠ ହୋଇଗଲେଣି ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । କେନ୍ଦ୍ର ସରକାରଙ୍କ ଏକ ସ୍ୱତନ୍ତ୍ର ଯୋଜନା ବର୍ତ୍ତମାନ ଆପଣଙ୍କୁ ମହଙ୍ଗା ଭଡ଼ାରୁ ମୁକ୍ତି ଦେଇ ସ୍ୱଳ୍ପ ବଜେଟରେ ସୁନ୍ଦର ଘର ଯୋଗାଇଦେବ। ଏହି ଯୋଜନାର ନାଁ ହେଉଛି ARH ଯୋଜନା। ତେବେ ଆସନ୍ତୁ ଜାଣିବା କ’ଣ ଏହି ଯୋଜନା ଏବଂ ଆପଣ ଏହାର ଫାଇଦା କେମିତି ଉଠାଇପାରିବେ?ARHC ହେଉଛି କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ’ (PMAY-U) ଅଧୀନରେ ଆରମ୍ଭ ହୋଇଥିବା ଏକ ଅଭିନବ ପ୍ରୟାସ ।
କାହା ପାଇଁ ଏହି ଯୋଜନା ?
ଏହି ଯୋଜନା ସେହି ସହରୀ ଅଧିବାସୀଙ୍କ ପାଇଁ ନିରାପଦ ଏବଂ କମ୍ ଖର୍ଚ୍ଚର ରହଣି ସ୍ଥାନ ସୁନିଶ୍ଚିତ କରେ, ଯେଉଁମାନେ ଘର କିଣିବାକୁ ଚାହୁଁ ନାହାନ୍ତି କିମ୍ବା କିଛି ସମୟ ପାଇଁ ଘରର ଆବଶ୍ୟକତା ରଖିଛନ୍ତି । ଏହା ସେହି ଲୋକଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ, ଯେଉଁମାନଙ୍କର ନିଜସ୍ୱ ଘର ତିଆରି କରିବା କିମ୍ବା କିଣିବାର ଆର୍ଥିକ ସାମର୍ଥ୍ୟ ନାହିଁ । ଏଥିରେ EWS (ଆର୍ଥିକ ଅନଗ୍ରସର ଶ୍ରେଣୀ) ଏବଂ LIG (ନିମ୍ନ ଆୟବର୍ଗ) ଶ୍ରେଣୀର ଲୋକ, ସହରୀ ପ୍ରବାସୀ, ଗୃହହୀନ, ଶିଳ୍ପ ଶ୍ରମିକ, କାର୍ଯ୍ୟରତ ମହିଳା, ନିର୍ମାଣ ଶ୍ରମିକ, ଷ୍ଟ୍ରିଟ୍ ଭେଣ୍ଡର, ରିକ୍ସା ଚାଳକ, ଓ ଅନ୍ୟାନ୍ୟ କ୍ଷୁଦ୍ର ସେବା ପ୍ରଦାନକାରୀ ଅନ୍ତର୍ଭକ୍ତ।
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର ଗୁଡ଼ିକୁ ଏହି ଆବାସିକ ପରିସର ଗୁଡ଼ିକରେ ଜରୁରୀ ସୁବିଧା ଯୋଗାଇବାକୁ ପଡ଼ିବ । ଏଥିରେ ପାନୀୟ ଜଳ, ସ୍ୱେରେଜ , ପରିମଣ , ଆଭ୍ୟନ୍ତରୀଣ ରାସ୍ତା, ସାମ୍ପ୍ରଦାୟିକ କେନ୍ଦ୍ର, ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ କ୍ରେଚ୍ ଭଳି ସୁବିଧା ସାମିଲ ରହିଛି। ଏହା ବ୍ୟତୀତ ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ଆଖପାଖରେ କ୍ଷୁଦ୍ର ଦୋକାନ ଓ ବ୍ୟବସାୟିକ କେନ୍ଦ୍ର ମଧ୍ୟ ବିକଶିତ କରାଯିବ।
ତେବେ ଏହି ଯୋଜନା ଦୁଇଟି ମଡେଲରେ କାମ କରିଥାଏ। ପ୍ରଥମ ମଡେଲରେ ସରକାରଙ୍କ ଦ୍ୱାରା ପୂର୍ବରୁ ନିର୍ମିତ କିନ୍ତୁ ଖାଲି ପଡ଼ିଥିବା ଘରଗୁଡ଼ିକୁ ମରାମତି କରି ଭଡ଼ାରେ ଦିଆଯାଏ। ଦ୍ୱିତୀୟ ମଡେଲରେ ସରକାରୀ ବା ବେସରକାରୀ ସଂସ୍ଥାମାନେ ନିଜ ଜମିରେ ନୂଆ ଆବାସିକ କମ୍ପ୍ଲେକ୍ସ ତିଆରି କରନ୍ତି। ଏଠାରେ ଭଡ଼ା ସ୍ଥାନୀୟ ପ୍ରଶାସନ ବା ନିର୍ମାଣକାରୀ ସଂସ୍ଥା ଦ୍ୱାରା ବଜାର ଦରଠାରୁ ଯଥେଷ୍ଟ କମ୍ ଧାର୍ଯ୍ୟ କରାଯାଏ। ପ୍ରତି ୨ ବର୍ଷରେ ସର୍ବାଧିକ ୮% ଏବଂ ମୋଟ ୫ ବର୍ଷରେ ୨୦% ରୁ ଅଧିକ ଭଡ଼ା ବଢ଼ାଯାଇପାରିବ ନାହିଁ। ଏହି ଯୋଜନାରେ ଆବେଦନ ପାଇଁ କୌଣସି ବି ସରକାରୀ ପରିଚୟ ପତ୍ର ଜରୁରୀ। ଘର ଆବଣ୍ଟନ ସମୟରେ SC, ST, OBC, ବିଧବା, କାର୍ଯ୍ୟରତ ମହିଳା, ଦିବ୍ୟାଙ୍ଗ ଏବଂ କିନ୍ନର ସମୁଦାୟକୁ ପ୍ରାଥମିକତା ଦିଆଯିବ। ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଛନ୍ତି, ତେବେ ତୁରନ୍ତ ARHCର ଅଫିସିଆଲ୍ ୱେବସାଇଟ୍ https://arhc.mohua.gov.in/ କୁ ଯାଇ ସମସ୍ତ ସୂଚନା ପାଇପାରିବେ ଏବଂ ଆବେଦନ କରିପାରିବେ। ତେବେ ଆଉ ଡେରି କାହିଁକି, ମହଙ୍ଗା ଘର ଭଡ଼ା ଚିନ୍ତାକୁ କୁହନ୍ତୁ ବାଏ ବାଏ।




