ପାଗ ଯୋଗୁଁ ଖରାପ ଦୁଇ ଦିନ ସ୍ଥଗିତ ରଖା ଯାଇଛି ଚାରିଧାମ ଯାତ୍ରା । ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇ ଥିବା ‘ରେଡ୍’ ଏବଂ ‘ଅରେଞ୍ଜ’ ଆଲର୍ଟକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର- ଦୁଇ ଦିନ ପାଇଁ ଯାତ୍ରା ବନ୍ଦ ରଖା ଯାଇଛି। ପାଣିପାଗ ବିଭାଗ ଉତ୍ତରାଖଣ୍ଡର ଅଧିକାଂଶ ଜିଲ୍ଲା ପାଇଁ ଏହି ଆଲର୍ଟ ଜାରି କରିଥିବା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି ।
ଗଡ଼ୱାଲ କମିଶନର ଆନନ୍ଦ ସ୍ୱରୂପ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏକ ଚିଠି ଜାରି କରିଛନ୍ତି । ଚିଠିରେ କୁହାଯାଇଛି ଯେ, ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ଦେଶ-ବିଦେଶରୁ ଆସିଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ‘ରେଡ୍ ଆଲର୍ଟ’ କାରଣରୁ ଚାରିଧାମ ଯାତ୍ରାକୁ ଶନିବାର ଅପରାହ୍ନରୁ ରବିବାର ପର୍ଯ୍ୟନ୍ତ ସ୍ଥଗିତ ରଖା ଯାଉଛି ।
ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ନିର୍ଦ୍ଦେଶ
କମିଶନର ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିଜ ନିଜ ଜିଲ୍ଲାରେ ଏହି ସମ୍ପର୍କରେ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାଣିପାଗ ପରିସ୍ଥିତି ଅନୁକୂଳ ହେବା ପରେ ଗସ୍ତ ପୁଣି ଆରମ୍ଭ ହେବ ବୋଲି ଚିଠିରେ ସ୍ପଷ୍ଟ କରାଯାଇଛି ।
୨୬ ଓ ୨୭ ସେପ୍ଟେମ୍ବର ପାଇଁ ଆଲର୍ଟ ଜାରି
ପାଣିପାଗ ବିଭାଗ ୨୬ ଏବଂ ୨୭ ସେପ୍ଟେମ୍ବରରେ ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ବର୍ଷା ପାଇଁ ‘ରେଡ୍’ ଏବଂ ‘ଅରେଞ୍ଜ’ ଆଲର୍ଟ ଜାରି କରିଛି । ସେହିପରି କିଛି ଜିଲ୍ଲା ପାଇଁ ‘ୟେଲୋ’ ଆଲର୍ଟ ମଧ୍ୟ ଜାରି କରାଯାଇଛି ।
କାଲି କେଉଁଠି ରେଡ୍ , ଅରେଞ୍ଜ ଓ ୟେଲୋ ଆଲର୍ଟ?
ଶନିବାର ଦିନ ୫ଟି ଜିଲ୍ଲା – ବାଗେଶ୍ୱର, ପିଥୋରାଗଡ଼, ଚମ୍ପାୱତ, ନୈନିତାଲ ଏବଂ ଉଧମ ସିଂହ ନଗରରେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ‘ରେଡ୍ ଆଲର୍ଟ’ ଜାରି କରାଯାଇଛି । ଅନ୍ୟପଟେ ୫ଟି ଜିଲ୍ଲା, ଯଥାକ୍ରମେ ଡେରାଡୁନ୍, ପୌଡ଼ି, ରୁଦ୍ରପ୍ରୟାଗ, ଚାମୋଲି ଏବଂ ଆଲମୋଡ଼ା ପାଇଁ ‘ଅରେଞ୍ଜ ଆଲର୍ଟ’ ଜାରି ହୋଇଛି। ଏହା ବ୍ୟତୀତ ହରିଦ୍ୱାର, ଉତ୍ତରକାଶୀ ଏବଂ ଟିହରୀ ପାଇଁ ‘ୟେଲୋ ଆଲର୍ଟ’ ଜାରି କରାଯାଇଛି ।
ସେହିପରି ରବିବାର ପାଇଁ ପାଣିପାଗ ବିଭାଗ ୪ଟି ଜିଲ୍ଲା ଯଥା -ଡେରାଡୁନ୍, ଟିହରୀ, ପୌଡ଼ି ଏବଂ ହରିଦ୍ୱାରରେ ‘ରେଡ୍ ଆଲର୍ଟ’ ଜାରି କରିଥିବା ବେଳେ ଉତ୍ତରକାଶୀ, ଚାମୋଲି, ନୈନିତାଲ ଏବଂ ରୁଦ୍ରପ୍ରୟାଗ ପାଇଁ ‘ଅରେଞ୍ଜ ଆଲର୍ଟ’ ଜାରି କରିଛି । ଏହା ବ୍ୟତୀତ ବାଗେଶ୍ୱର, ଆଲମୋଡ଼ା, ଚମ୍ପାୱତ, ଉଧମ ସିଂହ ନଗର ଏବଂ ପିଥୋରାଗଡ଼ ପାଇଁ ‘ୟେଲୋ ଆଲର୍ଟ’ ଜାରି ରହିଛି ।




