ପୋତି ହୋଇଗଲାଣି ସୀତାସାଗର ପୁନରୁଦ୍ଧାର କାମ କେବେ ହେବ?

ପାରଳାଖେମୁଣ୍ଡି,୧୯/୫ – ପାରଳାଖେମୁଣ୍ଡି ସହର ତଥା ଆଖପାଖ ଅଞ୍ଚଳରେ ଚାଷଜମିକୁ ଜଳସେଚନର ସୁବିଧା, ବନ୍ୟା ନିୟନ୍ତ୍ରଣ ଏବଂ ପାନୀୟ ଜଳ ଯୋଗାଣକୁ ସୁଗମ କରିବା ସକାଶେ ତତ୍କାଳୀନ ମହାରାଜା ବୃହତ ଜଳାଶୟମାନ ଖନନ କରିଥିଲେ । ରାମ ସାଗର, କୃଷ୍ଣ ସାଗର, ସୀତା ସାଗର ଓ ଗଜପତି ସାଗର ନାମରେ ଖନନ ହୋଇଥିବା ଏହି ଜଳାଶୟଗୁଡ଼ିକୁ କେନାଲ ମାଧ୍ୟମରେ ମହେନ୍ଦ୍ରତନୟା ନଦୀ ସହ ସଂଯୋଗ କରିଥିଲେ। ଏସବୁ ଏତେ ଉଚ୍ଚକୋଟୀର ଥିଲା ଯେ ନଦୀର ଅଧିକ ଜଳ କେନାଲ ମାଧ୍ୟମରେ ଚାଷଜମିକୁ ମାଡ଼ିବ, ସାଗର ସବୁ ଭର୍ତ୍ତି ହୋଇ ପୁଣି ତଳେ ଥିବା ଚାଷଜମିକୁ ଜଳ ଯୋଗାଇବା ପରେ ବଳକା ପାଣି ପୁଣି ନଦୀରେ ମିଶିବ ଖାଲି ଯେ ହଜାରହଜାର ଚାଷୀ ଏଥିରେ ଉପକୃତ ହେଉଥିଲେ ତା’ ନୁହେଁ, ଶତାଧିକ ମତ୍ସ୍ୟଜୀବୀ ମଧ୍ୟ ଜୀବନ ଜୀବିକା ନିର୍ବାହ କରୁଥିଲେ ତେବେ, ସାଗରଗୁଡ଼ିକ ପ୍ରତି ପ୍ରଶାସନିକ ଅବହେଳା ତଥା ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ବହୁ ସ୍ଥାନରେ ଏହା ପୋତି ହୋଇପଡ଼ିଛି । ଯଦିଓ ରାମସାଗର, କୃଷ୍ଣ ସାଗର ଓ ଗଜପତି ସାଗରର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ଟ୍ରିପଲ୍ ଆର ଯୋଜନାରେ ଅର୍ଥ ମଞ୍ଜୁର କରିଛନ୍ତି |

ତେବେ, ସୀତା ସାଗର ପାଇଁ କୌଣସି ଅନୁଦାନ ଆସିନଥିବାରୁ ଏହା ବର୍ତ୍ତମାନ ଶୁଷ୍କ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । ୬୫ ହେକ୍ଟର ପରିସୀମା ବିଶିଷ୍ଟ ସୀତାସାଗର ପ୍ରାୟ ୧୩୨.୩୭ ହେକ୍ଟର ଚାଷଜମିକୁ ଜଳସେଚିତ କରୁଥିଲା । ବାରମାସୀ ଫସଲ ଉତ୍ପାଦନରେ ସାହାଯ୍ୟ କରିବା ସହ ମତ୍ସ୍ୟଜୀବୀଙ୍କ ପେଟପାଟଣା ମେଣ୍ଟାଉଥିଲା । ହେଲେ, ଏହା ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହି ପୋତି ହୋଇଗଲାଣି। କେନାଲଗୁଡିକ ମଧ୍ୟ ଅଧିକାଂଶ ସ୍ଥାନରେ ନଷ୍ଟ ହୋଇଯାଇଛି । ବର୍ତମାନ ସୀତାସାଗରକୁ ଦେଖିଲେ ଏହା ଏକ ଖେଳପଡ଼ିଆର ଭ୍ରମ ସୃଷ୍ଟି କରୁଛି। ଏଭଳି ଏକ ସାଗର ନୂତନ ଭାବେ ଖନନ କରିବା ଦିବାସ୍ବପ୍ନ ହୋଇଥିବା ବେଳେ ଚାଷୀଙ୍କ ମେରୁଦଣ୍ଡ ପାଲଟିଥିବା ସୀତା ସାଗରର ପୁନରୁଦ୍ଧାର କେବେ ହେବ ବୋଲି ପ୍ରଶ୍ନ ଉଠିଛି ଗତବର୍ଷ ଜୁଲାଇ ମାସରେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଅଞ୍ଚଳ ଗସ୍ତ କରି ସ୍ଥିତିର ଅନୁଧ୍ୟାନ କରିବା ପରେ ପୁନରୁଦ୍ଧାର ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ପରିସୀମା ପୁନଃନିର୍ଦ୍ଧାରଣ, ହିଡ଼ ମରାମତି କାର୍ଯ୍ୟର ଡିପିଆର ପ୍ରସ୍ତୁତ କରି ବିଭାଗକୁ ପ୍ରେରଣ କରିଥିଲେ। କିନ୍ତୁ, ଏଯାବତ ପ୍ରସ୍ତାବ ଅନୁମୋଦନ ହୋଇନାହିଁ ଏଣୁ, ସୀତାସାଗର ପ୍ରତି ସରକାର ସ୍ବତନ୍ତ୍ର ଦୃଷ୍ଟି ଦିଅନ୍ତୁ ବୋଲି ଦାବି ହୋଇଛି।

Leave a Reply

Your email address will not be published. Required fields are marked *