ମାଲକାନଗିରି ସଦର ବ୍ଲକ୍ ଅନ୍ତର୍ଗତ ତମସା ପଂଚାୟତ ତଥା ଗ୍ରାମର ଜଣେ ପରିଶ୍ରମୀ ଆଦିବାସୀ ଚାଷୀ ଦେବା ମାଡକାମୀ ନିଜ ଘର ବାଡ଼ି ବଗିଚାରେ ଏଭଳି ଏକ ଚମତ୍କାର କରି ଦେଖାଇଛନ୍ତି, ଯାହା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶ୍ୱ ବଜାରରେ ସବୁଠାରୁ ମହଙ୍ଗା ଓ ଦାମୀ ଆମ୍ବ ଭାବେ ପରିଚିତ ଜାପାନୀ ପ୍ରଜାତିର ‘ମିଆଜାକି’ ଆମ୍ବକୁ ସେ ସଫଳତାର ସହ ନିଜ ବଗିଚାରେ ଫଳାଇ ପାରିଛନ୍ତି। ସୂଚନା ଅନୁଯାୟୀ, ଚାଷୀ ଦେବା ମାଢ଼କାମୀ ପ୍ରାୟ ୪ ବର୍ଷ ପୂର୍ବେ ମାଲକାନଗିରି ସଦର ଅଞ୍ଚଳର ସର୍ବ କୁମାର ବିଷୋୟୀଙ୍କଠାରୁ ୭୦୦୦ ଟଙ୍କାରେ ଏହି ଆମ୍ବ ଗଛଟି କିଣି ଆଣି ନିଜ ବାଡ଼ିରେ ଲଗାଇଥିଲେ, ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ସେହି ବଦାନ୍ୟ ବ୍ୟକ୍ତିଜଣକ ଏପର୍ଯ୍ୟନ୍ତ ଏହି ଗଛ ବାବଦକୁ କୌଣସି ପଇସା ନେଇନାହାନ୍ତି।
ଆନ୍ତର୍ଜାତୀୟ ବଜାରରେ ପ୍ରାୟ ୨.୫ ରୁ ୩ ଲକ୍ଷ ଟଙ୍କା ପ୍ରତି କିଲୋଗ୍ରାମ ବିକ୍ରି ହେଉଥିବା ଏହି ସ୍ୱତନ୍ତ୍ର ବାଇଗଣୀ ଓ ଲାଲ୍ ମିଶ୍ରିତ ରଙ୍ଗର ଆମ୍ବଟି ପ୍ରକୃତରେ ସେହି ଅସଲି ‘ମିଆଜାକି’ ପ୍ରଜାତିର, କିନ୍ତୁ ସରକାରୀ ସ୍ତରରେ ବିଶେଷଜ୍ଞ ଟିମ୍ ଆସି ତୁରନ୍ତ ଏହାର ଯାଞ୍ଚ କରିବା ପରେ ହିଁ ଏହାର ସମ୍ପୂର୍ଣ୍ଣ ସତ୍ୟତା ଏବଂ ସରକାରୀ ରିପୋର୍ଟ ସାମ୍ନାକୁ ଆସିବ ବୋଲି ଅପେକ୍ଷା କରାଯାଇଛି। ଏହି ଅତି ମୂଲ୍ୟବାନ ଆମ୍ବର ସୁରକ୍ଷା ପାଇଁ ଚାଷୀ ଦେବା ମାଡକାମୀ ଏହାର ଚାରିପାଖରେ ଶକ୍ତ ବାଡ଼ ବୁଜି ଘେରାଇ ରଖିଛନ୍ତି ଏବଂ କାଳେ କିଏ ଚୋରି କରି ନେବ ସେହି ଭୟରେ ସେ ରାତିସାରା ସେହି ଗଛ ମୂଳେ ଶୋଇ ପହରା ଦେଉଛନ୍ତି। ପୂର୍ବରୁ କେବଳ ବିଦେଶରେ ସୀମିତ ଥିବା ଏହି ଦୁର୍ଲଭ ଆମ୍ବକୁ ମାଲକାନଗିରି ଭଳି ଅଞ୍ଚଳରେ ଫଳାଇ ଦେବା ମାଡକାମୀ ପ୍ରମାଣ କରିଛନ୍ତି ଯେ ଦୃଢ଼ ଇଚ୍ଛାଶକ୍ତି ଥିଲେ ମାଲକାନଗିରି ମାଟିରେ ବି ଓରିଜିନାଲ୍ ମିଆଜାକି ଫଳାଯାଇପାରିବ, ଯାହା ଆଗାମୀ ଦିନରେ ଜିଲ୍ଲାର ଚାଷୀମାନଙ୍କ ପାଇଁ ଆଧୁନିକ ଓ ଲାଭଦାୟକ ଚାଷ କ୍ଷେତ୍ରରେ ଏକ ନୂଆ ସମ୍ଭାବନା ଆଣିଦେବ।




