ଓଡ଼ିଶା ଦୌଡ କୁଦ୍ ସଂଘ ଆନୁକୂଲ୍ୟରେ କଟକର ପ୍ରତିଷ୍ଠିତ ରିଜର୍ଭ ପୋଲିସ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି ୭୨ତମ ରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା-୨୦୨୬। ତାରିଖ ୫ ଜୁନ ରୁ ୭ ଜୁନ ୨୦୨୬ ପର୍ଯ୍ୟନ୍ତ ଚାଲିଥିବା ଏହି ହାଇ-ଭୋଲଟେଜ୍ ଟ୍ରାକ୍ ଆଣ୍ଡ ଫିଲ୍ଡ ଲଢ଼େଇରେ ନୂଆପଡ଼ା ଜିଲ୍ଲା ର ଆଥଲେଟ୍ମାନେ ଚମତ୍କାର ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି। ବିଶେଷ କରି ଜିଲ୍ଲାର ପ୍ରତିଭାବାନ ଦୌଡ଼ାଳି ଦିନେଶ ରାଉତ ନିଜର ଦ୍ରୁତ ଗତି ଓ ଦୃଢ଼ ମନୋବଳ ବଳରେ ଦୁଇ ଦୁଇଟି ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି।ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ନୂଆପଡ଼ା ଜିଲ୍ଲା ସଦର ବ୍ଲକ ରୁ ଏକ ୪ ଜଣିଆ ପ୍ରତିନିଧି ଦଳ କଟକ ଯାତ୍ରା କରିଥିଲେ। ଏଥିରେ ୨୩ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ବର୍ଗରେ ୩ ଜଣ ଷ୍ଟାର୍ ଖେଳାଳି ସାମିଲ ଥିଲେ।ସେମାନେ ହେଲେ ଦିନେଶ ରାଉତ (ସାରାବୋଙ୍ଗ ଗ୍ରାମ)ୟଶବନ୍ତ୍ ରାଉତ (ପରସଖୋଲ ଗ୍ରାମ) ଓ କବୀର୍ ସାହୁ (ଝାଲବାହାଲ ଗ୍ରାମ) ଏହି ଦଳର ମାର୍ଗଦର୍ଶକ ତଥା ମ୍ୟାନେଜର ଭାବେ ମାଗୁରପାଣି ସରକାରୀ ଉଚ୍ଚ ବିଦ୍ୟାଳୟ ର ସୁପରିଚିତ ଶାରୀରିକ ଶିକ୍ଷା ଶିକ୍ଷକ ମହତାବ ଆଡଯୁଆଡ ଦାୟିତ୍ୱ ତୁଲାଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ପ୍ରତିଯୋଗିତାର ପ୍ରଥମ ଦିନରୁ ହିଁ ନୂଆପଡ଼ାର ଦବ୍ଦବା ଦେଖିବାକୁ ମିଳିଥିଲା।
ନିଜର ଅସାଧାରଣ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରି ଦିନେଶ ଦୁଇଟି ଭିନ୍ନ ଭିନ୍ନ ବର୍ଗରେ ପଦକ ହାସଲ କରିଛନ୍ତି।ପ୍ରତିଯୋଗିତା ର ପ୍ରଥମ ଦିବସ ୫୦୦୦ ମିଟର ଦୌଡ଼ ରେ ୨ୟ ସ୍ଥାନ ହାସଲ କରି ରୌପ୍ୟ ପଦକ ଜିତିଥିବାବେଳେ ତୃତୀୟ ଦିବସ ରେ ୩୦୦୦ ମିଟର ଷ୍ଟିପଲ ଚେଜ୍ ରେ ୨ୟ ସ୍ଥାନ ଅକ୍ତିଆର କରି ରୌପ୍ୟ ପଦକ ହାସିଲ କରିଛନ୍ତି।୩୦୦୦ ମିଟର ଷ୍ଟିପଲ ଚେଜ୍ ଭଳି ଏକ କଠିନ ଓ ବାଧାବିଘ୍ନପୂର୍ଣ୍ଣ ଦୌଡ଼ରେ ଦିନେଶଙ୍କ ଏହି ସଫଳତା ତାଙ୍କ କଠିନ ପରିଶ୍ରମ ଓ ଉଚ୍ଚକୋଟୀର ପ୍ରଶିକ୍ଷଣକୁ ଦର୍ଶାଉଛି।” ଦିନେଶ ରାଉତଙ୍କ ଏହି ସ୍ଵର୍ଣ୍ଣିମ ସଫଳତା ଏବଂ ନୂଆପଡ଼ା ଦଳର ଜାନ ଦାର ଓ ଶାନଦାର ପ୍ରଦର୍ଶନ ପାଇଁ ସାରା ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି। ସ୍ଥାନୀୟ କ୍ରୀଡ଼ାପ୍ରେମୀ, ବୁଦ୍ଧିଜୀବୀ ଏବଂ ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ସମସ୍ତ ଖେଳାଳି ଓ ପ୍ରଶିକ୍ଷକ ମହତାବ ଆଡଯୁଆଡ ଙ୍କ ପ୍ରଶଂସା ସହ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏହି ସଫଳତା ଆଗାମୀ ଦିନରେ ଜିଲ୍ଲା ର ଅନ୍ୟ ଯୁବ ପ୍ରତିଭାମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ।




