ଦ୍ୱିତୀୟ ପର୍ଯ୍ୟାୟରେ ୨୦୪ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ନୂଆପଡ଼ା ଜିଲ୍ଲାର ଜେଞ୍ଜେରା ଓ କୁକୁଡ଼ାତାଳ ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ବିକଶିତ କରିବା ପାଇଁ ଆଭାସୀ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ ୨୦୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଭାସୀ ମାଧ୍ୟମରେ ଉକ୍ତ ଦୁଇ ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।

ନୂଆପଡ଼ା ଜିଲ୍ଲାର ସରକାରୀ ଉଚ୍ଚ ବିଦ୍ୟାଳୟ, ଜେଞ୍ଜେରା ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁକୁଡ଼ାତାଳକୁ ଏହି ଯୋଜନାରେ ସାମିଲ କରାଯାଇ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ବିକଶିତ କରାଯିବ।

ଏହି ଯୋଜନା ଅଧୀନରେ ସ୍ମାର୍ଟ ଶ୍ରେଣୀଗୃହ, ଆଧୁନିକ ପରୀକ୍ଷାଗାର, ସମୃଦ୍ଧ ପାଠାଗାର, ଉନ୍ନତ ଶିକ୍ଷଣ ଉପକରଣ ସମେତ ବିଭିନ୍ନ ଭିତ୍ତିଭୂମି ସୁବିଧା ସୃଷ୍ଟି କରାଯିବ।

ଏହି ଅବସରରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଜେଞ୍ଜେରାଠାରେ ଜିଲ୍ଲାସ୍ତରୀୟ ଉତ୍ସବ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି l କାର୍ଯ୍ୟକ୍ରମରେ ନୂଆପଡ଼ା ମାନ୍ୟବର ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଶିକ୍ଷା କ୍ଷେତ୍ରରେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ଶିକ୍ଷାର ଗୁଣାତ୍ମକ ବିକାଶରେ ସହାୟକ ହେବ ବୋଲି କହିଥିଲେ।

ଖଡ଼ିଆଳ ରୋଡ଼ ଏନ୍‌ଏସି ଅଧ୍ୟକ୍ଷା ଡ଼ଃ ସୋନିଆ ଜୈନ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ଜିଲ୍ଲା ପରିଷଦ ସଦସ୍ୟା ଉମା ଠାକୁର, ପଞ୍ଚାୟତ ସମିତି ସଦସ୍ୟା କୁନ୍ତୀବାଇ ସାହୁ ଏବଂ ବିଶିଷ୍ଟ ଶିକ୍ଷାବିତ ଶିବପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ, କୋରାପୁଟ, ବାଲେଶ୍ୱର ଓ ନୂଆପଡ଼ା ଜିଲ୍ଲାର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଆଭାସୀ ମାଧ୍ୟମରେ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲାର ଶିକ୍ଷୟିତ୍ରୀ ପ୍ରମିଳା କୁଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ମାଧ୍ୟମରେ ବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତି ସହ ଛାତ୍ରଛାତ୍ରୀମାନେ କିପରି ଉପକୃତ ହେବେ ସେ ସମ୍ପର୍କରେ ମତ ରଖିଥିଲେ।

କାର୍ଯ୍ୟକ୍ରମ ପରେ ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ ମଧୁସୂଦନ ଦାଶ କହିଥିଲେ ଯେ, ଏହି ଯୋଜନା ଜିଲ୍ଲାର ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶରେ ସହାୟକ ହେବ। ଉନ୍ନତ ଶିକ୍ଷା ଭିତ୍ତିଭୂମି ଏବଂ ଆଧୁନିକ ଶିକ୍ଷଣ ସୁବିଧା ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା ଡ଼ଃ ପ୍ରଶାନ୍ତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମଲାଲ ନାୟକ, ପ୍ରଧାନ ଶିକ୍ଷକ ଓମ୍ ପ୍ରକାଶ ସୁପକାରଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଗ୍ରାମବାସୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *