ଦାଦନ ନିର୍ଯ୍ୟାତନା ସବୁ ସୀମା ପାର, ଅକଥନୀୟ ନିର୍ଯ୍ୟାତନା ବଖାଣିଲେ ମହିଳା ଦାଦନ ଶ୍ରମିକ, ମହିଳା ଓ ଯୁବତୀକୁ କରାଯାଉଥିଲା ଉଲଗ୍ନ

ବଲାଙ୍ଗୀର ଜିଲ୍ଲାରେ ଦାଦନ ଦୁଃଖ ଥମିବାର ନାଁ ଧରୁନାହିଁ I ଦାଦନ ନିର୍ଯ୍ୟାତନାର ସବୁ ସୀମା ଟପିଛି I ପୁରୁଷ ଶ୍ରମିକକୁ ମରଣାନ୍ତକ ଆକ୍ରମଣ କରୁଥିଲେ ମହିଳା, ଯୁବତୀ ପ୍ରତିବାଦ କଲେ ଇଟାଭାଟି ମାଲିକର ଗୁଣ୍ଡା ମାନେ ଉଲଗ୍ନ କରି ପାଖକୁ ଭିଡି ଅତ୍ୟାଚାର କରୁଥିଲେ I ପ୍ରତିବାଦ କଲେ ଶ୍ରମିକ ମାନଙ୍କୁ ଗୋଡାଇ ଗୋଡାଇ ପିଟୁଥିଲେ I ଦାଦନ ନିର୍ଯ୍ୟାତନାର ଅକଥନୀୟ କାହାଣୀ ବଖାଣିଛନ୍ତି ବଲାଙ୍ଗୀର ଜିଲ୍ଲା ବେଳପଡା ଓ ଲାଠୋରର 15 ଜଣ ଶ୍ରମିକ I କିପରି ଇଟାଭାଟିରେ ନିର୍ଯ୍ୟାତନା ମିଳୁଥିଲା ବଲାଙ୍ଗୀର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଗୋଟି ଗୋଟି କରି ବଖାଣିଛନ୍ତି ନିର୍ଯ୍ୟାତିତ ଶ୍ରମିକ I ଶ୍ରମିକ ମାନେ ଅତ୍ୟାଚାର ସହିନପାରି ଗାଁରେ ଥିବା ଜମିବାଡି ସହ ସୁନା ଗହଣା ବନ୍ଧା ପକାଇ ଲକ୍ଷାଧିକ ଟଙ୍କା ଇଟାଭାଟି ମାଲିକ ପାଖରେ ଜମା କରି ଛାଡ ପାଇଥିବା କହିଛନ୍ତି I ଅଭିଯୋଗ ଅନୁସାରେ ବଲାଙ୍ଗୀର ଜିଲ୍ଲାରେ କାମଧନ୍ଦା ନପାଇ ଶ୍ରମିକ ମାନଙ୍କୁ ଦଲାଲ ମାନେ ବାହାର ରାଜ୍ୟକୁ ବେଆଇନ ଭାବେ ଚାଲଣ କରୁଛନ୍ତି I ପେଟରେ ଦୁଇ ମୁଠା ଦାନା ଦେବାପାଇଁ କେତେ ଆଶାରେ ଯାଉଥିବା ଶ୍ରମିକ ମାନଙ୍କୁ ଅକଥନୀୟ ନିର୍ଯ୍ୟାତନା ଦିଆଯାଉଛି I ନିର୍ଯ୍ୟାତିତ ହୋଇ କିଏ ଫେରୁଛନ୍ତି ତ ଆଉ କାହାର ଶବ ଫେରିଛି I ଜିଲ୍ଲାରୁ ଦାଦନ ଭଲି କଳଙ୍କିତ ଅଧ୍ୟାୟର ଅନ୍ତ ଘଟାଇବା ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି I ଟାସ୍କଫୋର୍ସ ସତ୍ତ୍ୱେ ଗୋଟିଏ ପରେ ଗୋଟିଏ ଶ୍ରମିକଙ୍କ ମୁଣ୍ଡ ଗଡୁଛି ଆଉ କିଏ ନିର୍ଯ୍ୟାତିତ ହୋଇ ଫେରୁଛି I ଆଜି ବଲାଙ୍ଗୀର ଫେରିଥିବା ନିର୍ଯ୍ୟାତିତ ଶ୍ରମିକଙ୍କ ଆଖିରୁ ଲୁହ ଗଡ଼ାଇ ଅକୁହା କଥା କହିଛନ୍ତି I ସ୍ଵାମୀ ସାମ୍ନାରେ ସ୍ତ୍ରୀକୁ ଅସଦାଚରଣ, ସମ୍ପର୍କୀୟ ସାମ୍ନାରେ ଯୁବତୀକୁ ଅସଦାଚରଣ ଭଲି ମାନସିକ, ଶାରିରିକ ନିର୍ଯ୍ୟାତନାର ଶିକାର ହୋଇଛନ୍ତି ବଲାଙ୍ଗୀର ଜିଲ୍ଲା ବେଳପଡା ଓ ଲାଠୋରର ଦାଦନ ଶ୍ରମିକ I ଗତ ନଭେମ୍ବର 1 ତାରିଖରେ ଲାଠୋର ଗାଁର ଦାଦନ ସର୍ଦ୍ଦାର କେଶବ ମାଝୀ ବେଳପଡାର 4 ଜଣ ଓ ଲାଠୋର ଅଞ୍ଚଳର 11 ଜଣ ଶ୍ରମିକଙ୍କୁ ବେଆଇନ ଭାବେ ଇଟା ତିଆରି କରିବାକୁ ଚାଲାଣ କରିଥିଲା I ଅଞ୍ଚଳରେ କାମଧନ୍ଦା ମିଳୁନଥିବାରୁ ଅଧିକ ଅର୍ଥ ଆଶାରେ ପିଲାଛୁଆ ସହ 18 ଜଣଙ୍କୁ ସର୍ଦ୍ଧାର କେଶବ ମାଝୀ ବେଆଇନ ଭାବେ ଶ୍ରମିକ ମାନଙ୍କୁ ତେଲେଙ୍ଗାନାର ନାଲକୋଣ୍ଡା ଜିଲ୍ଲାର ନାସଲାପଲ୍ଲୀ ଠାରେ ଟ୍ରିପଲ ଆର. ଇଟାଭାଟିକୁ ନେଇଥିଲା I ଦାଦନ ସର୍ଦ୍ଦାର କେଶବ ମାଝୀ ଇଟାଭାଟି ମାଲିକ ହରେକୃଷ୍ଣା ଠାରୁ ଶ୍ରମିକ ମାନଙ୍କ ନାଁରେ ଲକ୍ଷାଧିକ ଟଙ୍କା ନେଇ ଫେରାର ମାରିଥିଲା I ସର୍ଦ୍ଦାର ଶ୍ରମିକଙ୍କ ଟଙ୍କା ନେଇ ଚାଲି ଆସିଥିବାରୁ ଇଟାଭାଟି ମାଲିକ ସପ୍ତାହରେ ପରିବାର ପିଛା 4ଶହ ଟଙ୍କା ଖାଇବାକୁ ଦେଇଥିଲା I ଏହାକୁ ଶ୍ରମିକ ମାନେ ବିରୋଧ କରିବା ସହ କିପରି ଅଳ୍ପ ଟଙ୍କାରେ ଦିନକୁ 15ରୁ 18 ଘଣ୍ଟା କାମ କରି ସପ୍ତାହେ ଚଲିବେ କହିବାରୁ ନିର୍ଯ୍ୟାତନା ଆରମ୍ଭ ହୋଇଥିଲା I

ଶ୍ରମିକ ମାନଙ୍କୁ ଇଟାଭାଟି ମାଲିକର ଗୁଣ୍ଡା ମାନେ 24 ଘଣ୍ଟା ଜଗି ରହୁଥିଲେ I ଦେହ ଅସୁସ୍ଥ ହେଲେ ମଧ୍ଯ କାମ କରିବାକୁ ପଡୁଥିଲା I ଇଟାଭାଟିରେ 7ମାସ ଧରି ଶ୍ରମିକ ନିର୍ଯ୍ୟାତିତ ହେବା ପରେ ସ୍ଥାନୀୟ ସରପଞ୍ଚଙ୍କୁ ଉଦ୍ଧାର କରିବା ପାଇଁ ଜଣାଇଥିଲେ I ଏନେଇ ବେଳପଡା ବ୍ଲକ ବାଗଡୋର ସରପଞ୍ଚ ପ୍ରଦୀପ ବେହେରା ଜିଲ୍ଲା ଶ୍ରମବିଭାଗଙ୍କୁ ଜଣାଇଥିଲେ I ଅଭିଯୋଗ ହୋଇଥିବା ଇଟାଭାଟି ମାଲିକ ହରେକୃଷ୍ଣା, ତାଙ୍କ ପୁଅ ଚନ୍ଦୁ ଜାଣିବା ପରେ ସମସ୍ତ ଶ୍ରମିକ ମାନଙ୍କୁ ଗୋଟିଏ କୋଠାରୀରେ ଭର୍ତ୍ତି କରି ଅକଥନୀୟ ଅତ୍ୟାଚାର କରିଥିବା କହିଛନ୍ତି I ସମସ୍ତଙ୍କ ସାମ୍ନାରେ ଯୁବତୀ ଓ ମହିଳା ଶ୍ରମିକଙ୍କୁ ଉଲଗ୍ନ କରି ଲୁଚାଇ ରଖିଥିବା ମୋବାଇଲକୁ ମଧ୍ଯ ନେଇ ଯାଇଥିବା କହିଛନ୍ତି I ସର୍ଦାର ନେଇଥିବା ଟଙ୍କା ଫେରସ୍ତ କଲେ ଛାଡି ଦେବାକୁ କହିବାରୁ ଜମିବାଡି ସୁନାଗହଣା ବନ୍ଧା ପକାଇ ଫେରିଥିବା କହିଛନ୍ତି ଶ୍ରମିକ ମାନେ I

ହାତରେ ଟଙ୍କା ଟିଏ ନଥିବାରୁ ପିଲାଛୁଆ ଧରି ଭୋକ ଉପାସରେ ବଲାଙ୍ଗୀର ରେଳ ଷ୍ଟେସନରେ ପହଁଞ୍ଚିଥିବା କହିଛନ୍ତି I ଜିଲ୍ଲା ପ୍ରଶାସନ ପାଖରେ ଏହାର ଅଭିଯୋଗ କଲେ ସର୍ଦ୍ଧାର କେଶବ ମାଝୀ ଗାଁକୁ ଆସିଲେ ହତ୍ୟା କରାଯିବ ବୋଲି ଧମକ ଦେବାରୁ ଭୟରେ ଶ୍ରମିକ ମାନେ ଗାଁକୁ ଯିବାକୁ ଭୟ କରୁଥିବା କହିଛନ୍ତି I ଇଟାଭାଟି ମାଲିକ ଓ ଦାଦନ ସର୍ଦ୍ଦାର କେଶବ ମଝିକୁ ଗିରଫ ସହ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ନିର୍ଯ୍ୟାତିତ ଶ୍ରମିକ ସଂଗୀତା ବାଗ, ଭଗବତୀ ନିଆଲ, ଶୀମତୀ ନାଗ ଓ ବ୍ୟାସଦେବ ନାଗ I ରାଜ୍ୟ ସରକାର ବଲାଙ୍ଗୀର ଜିଲ୍ଲାକୁ ଶିଳ୍ପ ଆସିବ ଲୋକେ କାମଧନ୍ଦା ପାଇବେ, ଜଣେ ହେଲେ ଶ୍ରମିକ କାମରୁ ବଞ୍ଚିତ ହେବ ନାହିଁ, ଦାଦନ ଭଲି କଳଙ୍କିତ ଅଧ୍ୟାୟକୁ ସବୁଦିନ ପାଇଁ ମୂଳପୋଛ କରାଯିବ, ଟାସ୍କଫୋର୍ସ ଜରିଆରେ ବେଆଇନ ଦାଦନ ଶ୍ରମିକ ଚାଲାଣ ରୋକାଯିବ ଏମିତି ଅନେକ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ସରକାର ବାହାସ୍ପୋଟ ମାରୁଛନ୍ତି କିନ୍ତୁ ବାସ୍ତବ ଚିତ୍ର ଏହା ବୟନ କରୁଛି I ଜିଲ୍ଲାରେ କାମଧନ୍ଦା ନ ପାଇ ପ୍ରତିବର୍ଷ ବେଆଇନ ଭାବେ ଲକ୍ଷାଧିକ ଶ୍ରମିକ ସର୍ଦ୍ଧାର ଦ୍ଵାରା ଚାଲାଣ ହେଉଛନ୍ତି I ଗତ କିଛି ମାସ ଭିତରେ ଜିଲ୍ଲାରେ ପାଖାପାଖି 14ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଶ୍ରମିକ ନିର୍ଯ୍ୟାତିତ ହୋଇ ଫେରିଛନ୍ତି I ଦାଦନ ପ୍ରବଣ ଅଞ୍ଚଳରେ ଶ୍ରମିକ ଚାଲାଣ ରୋକିବାକୁ ଟାସ୍କଫୋର୍ସ ଗଠନ କରାଯାଇଛି I କିନ୍ତୁ ଜିଲ୍ଲାରେ ଚଳିତ ବର୍ଷ କାମଧନ୍ଦା ଅଭାବରୁ ବେଆଇନ ଶ୍ରମିକ ଚାଲାଣ ବେଧଡ଼କ ଭାବେ ଚାଲିଛି I ଟାସ୍କଫୋର୍ସ ପରେ ବି ବ୍ରେକ ଲାଗିଲାନି ଶ୍ରମିକ ଚାଲାଣ ଓ ନିର୍ଯ୍ୟାତନା ଉପରେ I

ନାମକୁ ମାତ୍ର ଟାସ୍କଫୋର୍ସ ଗଠନ କରି ସରକାର ଚୁପ୍ ରହିଥିବା ବେଳେ ଜିଲ୍ଲା ଶ୍ରମବିଭାଗ ନିଦାବିଷ୍ଣୁ ପାଲଟିଛି I ଏଥିରେ ବଳି ପଡୁଛନ୍ତି ନୀରିହ ଦାଦନ ଶ୍ରମିକ, ଦାଦନ ଯାଉଛନ୍ତି ଶବ ହୋଇ ଫେରୁଛନ୍ତି ତ କିଏ ବନ୍ଦୀ ଜୀବନ ବିତାଉଛି I ବେଆଇନ ଭାବେ ଦାଦନ ଶ୍ରମିକ ଚାଲାଣ ନେଇ ଅଭିଯୋଗ ପରେ ଅଭିଯୋଗ ହେଉଛି କିନ୍ତୁ ତଦନ୍ତ ନାଁରେ ଜିଲ୍ଲା ଉପ ଶ୍ରମ ଆୟୁକ୍ତ ସୁକାନ୍ତ ସେଠୀ ଅସାଧୁ ସର୍ଦ୍ଧାର ମାନଙ୍କ ସହ ସଲାସୁତରା କରି ପକେଟ୍ ଗରମ କରିବାରେ ଲାଗିଥିବା ଅଭିଯୋଗ ହୋଇଛି I ସରକାରୀ ତଥ୍ୟରେ ହଜାର ହଜାର ଶ୍ରମିକ ବାହାରେ କାମ କରୁଥିବା କହୁଥିବା ବେଳେ ବେଆଇନ ଭାବେ ଲକ୍ଷାଧିକ ଶ୍ରମିକ ଚାଲାଣ ହୋଇଥିବା ଏହି ଘଟଣା ପ୍ରମାଣିତ କରୁଛି I ନିର୍ଯ୍ୟାତିତ ଶ୍ରମିକ ମାନଙ୍କୁ ବେଆଇନ ଭାବେ ଚାଲାଣ କରାଯାଇଥିଲା ବୋଲି ଖୋଦ୍ ବଲାଙ୍ଗୀର ସହକାରୀ ଶ୍ରମ ଅଧିକାରୀ ଦୀପା ନେଟୀ ସୂଚନା ଦେଇଛନ୍ତି I

Leave a Reply

Your email address will not be published. Required fields are marked *