ରଜ ବଜାରରେ ଅନାଥ ଶିଶୁଙ୍କ ଖୁସି: ପ୍ରଶାସନର ନିଆରା ପଦକ୍ଷେପ, ୫୫ ପିଲାଙ୍କ ମୁହଁରେ ଫୁଟିଲା ହସ

ପାରଳାଖେମୁଣ୍ଡି: ରଜ ପର୍ବ ଆଗମନ ପୂର୍ବରୁ ସମାଜର ଅବହେଳିତ ଓ ଅନାଥ ଶିଶୁମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିଆରା ଏବଂ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଉତ୍କଳ ବାଳାଶ୍ରମରେ ରହୁଥିବା ୫୫ ଜଣ ଅନାଥ ଶିଶୁଙ୍କୁ ନେଇ ସହରରେ “ରଜ ବଜାର” କରାଯାଇ ସେମାନଙ୍କୁ ପର୍ବର ଖୁସିରେ ସାମିଲ କରାଯାଇଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ଏହି ଶିଶୁମାନେ ସହରର ବିଭିନ୍ନ ବଜାର ଓ ପ୍ରତିଷ୍ଠିତ ସପିଂ ମଲ୍‌ଗୁଡ଼ିକୁ ଯାଇ ନିଜ ପସନ୍ଦ ଅନୁଯାୟୀ ନୂତନ ପୋଷାକ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଏବଂ ଆବଶ୍ୟକ ଜିନିଷ କିଣିବାର ସୁଯୋଗ ପାଇଥିଲେ। ନିଜ ଇଚ୍ଛା ମୁତାବକ ସାମଗ୍ରୀ ଚୟନ କରି କିଣିବାର ଅଭିଜ୍ଞତା ପିଲାମାନଙ୍କ ପାଇଁ ଥିଲା ଏକ ଅନନ୍ୟ ଅନୁଭୂତି। କେବଳ ସେତିକି ନୁହେଁ, ବଜାର ବୁଲିବା ସହ ବିଭିନ୍ନ ଦୋକାନରୁ ନିଜ ମନପସନ୍ଦର ଖାଦ୍ୟ ଖାଇବାର ସୁଯୋଗ ମଧ୍ୟ ପାଇଥିଲେ ଏହି ଶିଶୁମାନେ।

ଏହି ଆୟୋଜନ ସେମାନଙ୍କ ମନରେ ରଜ ପର୍ବର ଉତ୍ସାହ ଓ ଆନନ୍ଦକୁ ଦ୍ୱିଗୁଣିତ କରିଥିବା ବେଳେ ପିଲାମାନେ ନିଜ ଖୁସିକୁ ପ୍ରକାଶ କରିଥିଲେ। ଗଜପତି ଜିଲ୍ଲାପାଳଙ୍କ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି, ବାପା-ମା’ ଓ ପରିବାରର ସ୍ନେହରୁ ବଞ୍ଚିତ ଏହି ଅନାଥ ଶିଶୁମାନେ କୌଣସି କ୍ଷେତ୍ରରେ ଅସହାୟ କିମ୍ବା ଅବହେଳିତ ଅନୁଭବ ନ କରନ୍ତୁ। ବିଭିନ୍ନ ପର୍ବପର୍ବାଣୀ ଓ ଜାତୀୟ ଦିବସ ଅବସରରେ ପ୍ରଶାସନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କ ଜୀବନରେ ଖୁସିର ରଙ୍ଗ ଭରିବାକୁ ପ୍ରୟାସ ଜାରି ରହିଛି। ଏହି ମହତ୍ତ୍ୱପୂର୍ଣ୍ଣ ପ୍ରୟାସକୁ ଜିଲ୍ଲା ଶିଳ୍ପ ପ୍ରୋତ୍ସାହନ ଅଧିକାରୀ ଆକ୍ରୋଶ ପ୍ରଧାନ ସହଯୋଗ କରିଥିବା ବେଳେ ସେ ନିଜ ମାସିକ ପ୍ରାପ୍ୟରୁ ସମସ୍ତ ଖର୍ଚ୍ଚ ବହନ କରିଥିବା ଜଣାପଡ଼ିଛି। ମାନବିକତା ଓ ସାମାଜିକ ଦାୟିତ୍ୱବୋଧର ଏହି ଉଦାହରଣକୁ ଜିଲ୍ଲାର ବିଭିନ୍ନ ମହଲରେ ଭୁରିଭୁରି ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *