ଲାଞ୍ଜିଗଡ, ତା ୧୮/୦୫ :(ନିଶୁ )କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ଅଞ୍ଚଳରେ ବେଦାନ୍ତ କାରଖାନାରୁ ନିର୍ଗତ ବିଷାକ୍ତ ଫ୍ଲାଏ ଆଶ ପାଉଁଶ ଏବେ ସାଧାରଣ ଲୋକଙ୍କ ପାଇଁ ଅଭିଶାପ ପାଲଟିଛି । ଲାଞ୍ଜିଗଡରୁ ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ସହ ଲାଞ୍ଜିଗଡ–ପୋଖରୀବନ୍ଧ ଛକ–ଛତିକୁଡ଼ା ଛକ ଦେଇ ଭବାନୀପାଟଣା ପର୍ଯ୍ୟନ୍ତ ରାସ୍ତାରେ ଦୈନିକ ଶତାଧିକ ପାଉଁଶ ବୋଝେଇ ହାଇୱା ଚଳାଚଳ କରୁଥିବା ବେଳେ ରାସ୍ତା ସାରା ପାଉଁଶ ଉଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।
ଅଭିଯୋଗ ଅନୁସାରେ, ଅଧିକାଂଶ ହାଇୱା ଗାଡ଼ି ଓଭରଲୋଡିଂ କରି ଖୋଲାମେଲା ଭାବେ ପାଉଁଶ ପରିବହନ କରୁଥିବାରୁ ବିଷାକ୍ତ ଧୂଳିକଣା ରାସ୍ତା ସାରା ଉଡ଼ୁଛି । ଏହି ପାଉଁଶ ପଥଚାରୀ, ବାଇକ ଆରୋହୀ ଓ ରାସ୍ତାକଡ଼ରେ ଥିବା ଗାଁବାସୀଙ୍କ ଆଖି, ନାକ ଓ କାନରେ ପଡ଼ି ବିଭିନ୍ନ ସମସ୍ୟା ସୃଷ୍ଟି କରୁଛି । ଏପରିକି ଶ୍ୱାସପ୍ରଶ୍ୱାସ ଜନିତ ରୋଗ ମଧ୍ୟ ବୃଦ୍ଧି ପାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।କେବଳ ରାସ୍ତା ନୁହେଁ, ଏହି ଫ୍ଲାଏ ଆଶ ପାଉଁଶ ପବନରେ ଉଡ଼ି ନଦୀ, ନାଳ ଓ ପୋଖରୀରେ ପଡୁଥିବାରୁ ଜଳ ପ୍ରଦୂଷିତ ହେଉଛି । ଏହାଦ୍ୱାରା ମାଛ, କଙ୍କଡା ଭଳି ଜଳଚର ପ୍ରାଣୀ ମରୁଥିବା ଅଭିଯୋଗ ହେଉଛି । ସେହି ପ୍ରଦୂଷିତ ପାଣିରେ ସ୍ନାନ କରିବା ଓ ବ୍ୟବହାର କରିବା ଦ୍ୱାରା ଅନେକ ଲୋକ ଚର୍ମରୋଗର ଶିକାର ହେଉଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।
ଅନ୍ୟପଟେ, ବେପରୁଆ ଗାଡ଼ି ଚାଳନା ଯୋଗୁଁ ରାସ୍ତାରେ ଦୁର୍ଘଟଣା ଘଟିବା ଏବେ ନିତିଦିନିଆ ଘଟଣା ପାଲଟିଛି । କିଛି ଦିନ ତଲେ କିଡିଙ୍ଗ–କଦଳୀଘାଟି ନିକଟରେ ଏକ ପାଉଁଶ ବୋଝେଇ ହାଇୱା ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ବେଳେ ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ ।
ସବୁଠାରୁ ବଡ଼ କଥା ହେଲା, ପାଉଁଶ ବୋଝେଇ ହାଇୱା ଗାଡ଼ିଗୁଡ଼ିକର ଯାଞ୍ଚ ନେଇ ପ୍ରଶାସନର କୌଣସି ତତ୍ପରତା ଦେଖିବାକୁ ମିଳୁନାହିଁ । ତହସିଲ ପ୍ରଶାସନ, ପୁଲିସ କିମ୍ବା ପରିବହନ ବିଭାଗ କେହି ମଧ୍ୟ ଓଭରଲୋଡିଂ କିମ୍ବା ପ୍ରଦୂଷଣ ନିୟନ୍ତ୍ରଣ ନେଇ କଡା ପଦକ୍ଷେପ ନେଉନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।ଏହାକୁ ନେଇ ଅନେକଥର ବିକ୍ଷୋଭ, ରାସ୍ତାରୋକ ଓ ଆନ୍ଦୋଳନ ହୋଇଥିଲେ ମଧ୍ୟ ବେଦାନ୍ତ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହେଉଛି ।ଅଞ୍ଚଳବାସୀ ତୁରନ୍ତ ପାଉଁଶ ପରିବହନରେ କଡା ନିୟମ ଲାଗୁ କରିବା, ରାସ୍ତାରେ ପଡୁଥିବା ପାଉଁଶ ସଫା କରିବା, ଓଭରଲୋଡିଂ କରୁଥିବା ଟ୍ରାନ୍ସପୋର୍ଟିଂ ଏଜେଣ୍ଟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ।




