ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମଇଁଷି ମୃତ,

ପାତ୍ରପୁର ବ୍ଲକ ଅନ୍ତର୍ଗତ ବରଙ୍ଗ ଗ୍ରାମ ନିକଟରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ମଇଁଷିର ମୃତ୍ୟୁ ଘଟିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତ ମଇଁଷିଟି ପାତ୍ରପୁର ବ୍ଲକ କେଶରୀପଡା ପଞ୍ଚାୟତ ଅନ୍ତର୍ଗତ ଭେଜିପଦର ଗ୍ରାମର ଦୁବା ନାରସାୟାଙ୍କର ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ, ରବିବାର ସକାଳ ସମୟରେ ଦୁବା ନାରସାୟା ନିଜର ମଇଁଷି ବରଙ୍ଗ ଗ୍ରାମ ନିକଟରେ ଚରାଇବା ଲାଗି ଆସିଥିଲେ। ବରଙ୍ଗ ଗ୍ରାମ ନିକଟରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଖୁଣ୍ଟିରେ ଲାଗିଥିବା ସୁରକ୍ଷା ତାରରେ ଗୋଟିଏ ମଇଁଷିର ଶିଙ୍ଗ ଲାଗି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମଇଁଷିର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ ବିଭାଗକୁ ସୂଚନା ଦେବା ସହିତ ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରି କ୍ଷୋଭ ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ବରଙ୍ଗ ଟ୍ରାନ୍ସଫର୍ମର ନିକଟରେ ଦୀର୍ଘଦିନ ଧରି ଝୁଲି ରହିଥିବା ବିଦ୍ୟୁତ୍ ତାର ଏବଂ ଅସୁରକ୍ଷିତ ବିଦ୍ୟୁତ୍ ବ୍ୟବସ୍ଥା ନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଟିପିଏସଓଡିଏଲ କୌଣସି ପଦକ୍ଷେପ ନେଇନଥିଲା। ଏହାର ପରିଣାମ ସ୍ୱରୂପ ଆଜି ଏକ ନିରୀହ ପଶୁର ପ୍ରାଣ ଯାଇଥିବା ସେମାନେ କହିଛନ୍ତି। ପଶୁ ପାଳକ ଜଣକ ଅତି ଗରିବ ଶ୍ରେଣୀର ହୋଇଥିବାରୁ କ୍ଷତିପୂରଣ ଦେବା ସହ ଅଞ୍ଚଳରେ ଥିବା ବିପଦଜନକ ବିଦ୍ୟୁତ୍ ବ୍ୟବସ୍ଥାର ତୁରନ୍ତ ମରାମତି କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ପାତ୍ରପୁର ବିଭାଗ ତତଫରୁ ଘଟଣା ସ୍ଥଳରେ ପହଞ୍ଚି ସାତଦିନ ଭିତରେ ଆବଶ୍ୟକୀୟ ମାରମତି କରିବା ପାଇଁ ଲିଖିତ ଭାବେ ଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *