ବରଗଡ଼ ୧୬/୬ (ଯୁଧିଷ୍ଠିର ମହାପାତ୍ର )-ବରଗଡ଼ ଜିଲାରେ ଗତ ୧୧ ତାରିଖ ଗୁରୁବାର ଧାନ କିଣାବିକା ପ୍ରକ୍ରିୟାକୁ ମାସେ ପୂରି ସାରିଛି l ହେଲେ ଧାନ କିଣାବିକା ସମସ୍ୟା ସୁଧୁରିବାର ନାଁ ଧରୁ ନାହିଁ l ଫଳରେ ଚାଷୀ ଅସନ୍ତୋଷ ବୃଦ୍ଧି ପାଇଛି l ସରକାର ଜୁନ ଶେଷ ସୁଦ୍ଧା ରବି ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆଉ ୧୫ ଦିନ ପରେ ରବି ଧାନ ସଂଗ୍ରହ ଶେଷ ହୋଇଯିବ । ହେଲେ କେତେକ ଚାଷୀଙ୍କ ଜମାରୁ ଟୋକନ ଆସି ନ ଥିବାବେଳେ ବହୁ ଚାଷୀଙ୍କ ଦ୍ବିତୀୟ, ତୃତୀୟ ଟୋକନ ଆସି ନାହିଁ। ଜମି ପରିମାଣ ଅନୁଯାୟୀ କମ୍ ଟୋକନ ଆସିଥିବା ଚାଷୀଙ୍କୁ ବାକିତକ ଟୋକନ ମଧ୍ୟ ଆସି ନାହିଁ। ଏ ନେଇ ଅତାବିରା ବ୍ଳକ କାର୍ଯ୍ୟାଳୟରେ ଗତ ୧ ତାରିଖ ହୋଇଥିବା ଜିଲ୍ଲାପାଳଙ୍କୁ ଚାଷୀଙ୍କ ସମସ୍ତ ଟୋକନ ଦେବାକୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନର ପକ୍ଷରୁ ଦାବି ପତ୍ର ଦିଆଯାଇଥିଲା। ଜଣାଶୁଣାଣିର ସପ୍ତାହକ ମଧ୍ୟରେ ସମସ୍ତ ଚାଷୀ ସଂପୃକ୍ତ ପ୍ୟାକ୍ସମାନଙ୍କରେ ଲିଖିତ ଅଭିଯୋଗ କରିଥିଲେ। ହେଲେ କାଁଭା କେତେକ ଚାଷୀଙ୍କ କିଛି ଟୋକନ ଆସିଥିବା ବେଳେ ଆଜି ଯାଏଁ ବହୁ ଚାଷୀଙ୍କ ଟୋକନର ନାଁ ଗନ୍ଧି ନାହିଁ। ସମସ୍ତ ଟୋକନ ନ ଆସିଲେ ଯେକୌଣସି ସ୍ଥାନରେ ମଙ୍ଗଳବାର ରାସ୍ତାରୋକ କରାଯିବ ବୋଲି ଶନିବାର ଗୋଡ଼ଭଗା ବଜାର ପ୍ରାଙ୍ଗଣରେ ସଂଗଠନର ବୈଠକରେ ନିଷ୍ପତ୍ତି ହୋଇଥିଲା । ତେବେ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ନିର୍ଦ୍ଦେଶକ୍ରମେ ରାସ୍ତାରୋକ ଅଵ୍ୟବାହିତ ପୂର୍ବରୁ ସୋମବାର ରାତ୍ରୀ ସାଢେ ୭ ଟାରେ ଜିଲା ପ୍ରଶାସନିକ ଅଧିକାରୀ, ଚାଷୀ ଏବଂ ଜନପ୍ରତିନିଧି ଙ୍କ ମଧ୍ୟରେ ତ୍ରୀପାକ୍ଷିକ ଆଲୋଚନା ହୋଇଥିଲା l
ବହୁ ବାଦ ବିବାଦ ଆଲୋଚନା ପର୍ଯ୍ୟାଲୋଚନା ପରେ ବରଗଡ଼ ଡ଼ିଆରସିଏସ ଯୁଗଳ କିଶୋର ଦାଶ ଆସନ୍ତା ୨୦ ତାରିଖ ମଧ୍ୟରେ ଚାଷୀଙ୍କ ବଳକା ଟୋକନ ପ୍ରଦାନ କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେବା ପରେ ପ୍ରସ୍ତାବିତ ରାସ୍ତାରୋକ ଆନ୍ଦୋଳନକୁ ଆସନ୍ତା ୨୨ ତାରିଖ ଯାଏଁ ସ୍ଥଗିତ ରଖାଗଲା ବୋଲି ଓଡ଼ିଶା ରାଜ୍ୟ କୃଷକ ସଂଗଠନର ସଭାପତି ଭୁବନ ପ୍ରଧାନ ସୂଚନା ଦେଇଥିଲେ l ଏଠାରେ ସୂଚନା ଯୋଗ୍ୟ ଯେ ବର୍ତ୍ତମାନର ସୁଦ୍ଧା ୪୫ ପ୍ରତିଶତ ଧାନ ସଂଗ୍ରହ ହୋଇଥିବା ବେଳେ ବହୁ ଚାଷୀଙ୍କ ଟୋକନ ଆସି ନାହିଁ। ଚଳିତ ରବି ଫସଲରେ ବହୁ ଚାଷୀଙ୍କ ପଂଜୀକୃତ ଜମି ପରିମାଣଠାରୁ କମ୍ ପରିମାଣର ଟୋକନ ଆସିଛି ଏନେଇ ଅତାବିରା ରେ ଗତ ୧ ତାରିଖ ଜିଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀରେ ଜିଲ୍ଲା ପ୍ରଶାସନର ପରାମର୍ଶକ୍ରମେ ଲିଖିତ ଅଭିଯୋଗ ଦେଲେ, ହେଲେ ଆଜି ଯାଏଁ ସମସ୍ତ ଟୋକନ ଆସ ନାହିଁ। ମଣ୍ଡିମାନଙ୍କରେ ଟାର୍ଗେଟ କମ ଦିଆଯାଉଛି। ଆଉ ୪/୫ ଦିନ ମଧ୍ୟରେ ମୌସୁମୀ ଆସିବାକୁ ଥିବା ପାଣିପାଗ ବିଭାଗ ଆଗୁଆ ସୂଚନା ଦେଲାଣି। ଟୋକନ ଆସିବା ଆଶାରେ ମଣ୍ଡିରେ ଚାଷୀ ଧାନ ରଖିଛି। ଏପରି ସ୍ଥଳରେ ଟୋକନ ନ ଆସିଲେ କିପରି ଧାନ ବିକିବ ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ଚାଷୀଙ୍କୁ ଶାସନ, ପ୍ରଶାସନ ବାରମ୍ବାର ହତାଶ କରି ହଇରାଣ ହରକତ କରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଥିଲେ l
ଯଦି ଚାଷୀଙ୍କ ନ୍ୟାର୍ଯ୍ୟ ଦାବିକୁ ସରକାର କର୍ଣ୍ଣପାତ ନ କଲେ ଆସନ୍ତା ୨୨ ତାରିଖ ଶନିବାର ଦିନ ଯେକୌଣସି ମୁହୂର୍ଣ୍ଣରେ ରାସ୍ତାରୋକ କରାଯିବ ଏବଂ ଏନେଇ ଆଉ କୌଣସି ସ୍ମାରକ ପତ୍ର ଦିଆଯିବ ନାହିଁ ବୋଲି ସଂଗଠନ ପକ୍ଷର ନିଷ୍ପତ୍ତି ହୋଇଛି। ବୈଠକରେ ସଭାପତି ଭୁବନ ପ୍ରଧାନ, ସଂପାଦକ ନରେନ୍ଦ୍ର ପ୍ରଧାନ, ବୀରେନ୍ଦ୍ର କର, ବୁଦ୍ଧଦେବ ନନ୍ଦ, ମନୋରଂଜନ ସାହୁ, ଅଶ୍ବିନୀ ତ୍ରିପାଠୀ, ସଂସାର ଭୋଇ, ହରେନ୍ଦ୍ର ସ୍ବାଇଁ, ଦେବେନ୍ଦ୍ର ସାହୁ, ସୁରେଶ କର୍ଣ୍ଣ, ସମୀର ପ୍ରଧାନ, ରାଜେଶ ପ୍ରଧାନ, ଗୁରୁଦେବ ଭୋଇ, ବି ପାପାରାଓ, ସଂକ୍ରାନ୍ତି ଭେଙ୍କଟେଶ୍ବର ରାଓ, ଭି କ୍ରିଷ୍ଣ ମୂର୍ତ୍ତି, ଦଶରଥ ଭୋଇ, ଏମ୍ ସତ୍ୟ ପ୍ରକାଶ, ଜେ ସୂର୍ଯ୍ୟପ୍ରକାଶ, କେ ରାମ ବାବୁ ପ୍ରମୁଖ ଚାଷୀ ଉପସ୍ଥିତ ଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ଡ଼ିଆରସିଏସ ଯୁଗଳ କିଶୋର ଦାଶ, ଏସିଏସଓ ବ୍ୟlମକେଶ ମାଝୀ, ପୋଲିସ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଅତାବିରା ଆରଏମସି ନୋଡାଲ ଅଫିସର ତଥା ଅତିରିକ୍ତ ତହସିଲଦାର ସବ ରେଜିଷ୍ଟାର ଅଙ୍କିତ ପଣ୍ଡା, ଅତାବିରା ଥାନା ଆଇଆଇସି ପ୍ରକାଶ କର୍ଣ୍ଣ ଏବଂ ଜନପ୍ରତିନିଧିମାନଙ୍କ ମଧ୍ୟରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ଼ି. ମୁରଲୀ କ୍ରିଷ୍ଣା, ଜିଲାପରିଷଦ ସଦସ୍ୟ ରଣଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l




