କଳାହାଣ୍ଡି (ଚିତ୍ତରଞ୍ଜନ ବିଷି): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜୁ ଜନତା ଦଳ (ବିଜେଡି) ନେତା ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ବିୟୋଗରେ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଏକ ଶୋକସଭା ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଭାବବିହ୍ୱଳ ପରିବେଶରେ ଅନୁଷ୍ଠିତ ହୋଇଥିଲା। ଦଳର ବହୁ ବରିଷ୍ଠ ନେତା, କର୍ମକର୍ତ୍ତା ଓ କର୍ମୀମାନେ ଏକାଠି ହୋଇ ସ୍ୱର୍ଗତ ସିଂହଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ସୁମନ ଜଣାଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଉପସ୍ଥିତ ନେତୃବୃନ୍ଦ ତାଙ୍କ ରାଜନୈତିକ ଜୀବନ, ଜନସେବା ପ୍ରତି ନିଷ୍ଠା ଏବଂ ସଂଗଠନକୁ ସୁଦୃଢ଼ କରିବାରେ ତାଙ୍କ ଅବଦାନକୁ ସ୍ମରଣ କରି ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ବକ୍ତାମାନେ କହିଥିଲେ ଯେ, ସୁଶାନ୍ତ ସିଂହ କେବଳ ଜଣେ ରାଜନେତା ନୁହେଁ, ବରଂ ଜଣେ ମେଳାପୀ, ନିର୍ଭୀକ ଏବଂ ଦକ୍ଷ ସଂଗଠକ ଭାବେ ସାରା ଓଡ଼ିଶାରେ ପରିଚିତ ଥିଲେ। ବିଶେଷକରି କୋଭିଡ୍ ମହାମାରୀ ସମୟରେ ସେ ସାଧାରଣ ଲୋକଙ୍କ ପାଖରେ ଠିଆ ହୋଇ ଯେପରି ସେବା ଓ ସହଯୋଗର ହାତ ବଢ଼ାଇଥିଲେ, ତାହା ସବୁବେଳେ ସ୍ମରଣୀୟ ହୋଇ ରହିବ। ଲୋକଙ୍କ ସମସ୍ୟାର ସମାଧାନ ପାଇଁ ତାଙ୍କର ନିଷ୍ଠା, ସରଳ ବ୍ୟବହାର ଓ ଦୃଢ଼ ନେତୃତ୍ୱ ତାଙ୍କୁ ସାଧାରଣ ଜନତାଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଦେଇଥିଲା ବୋଲି ସେମାନେ ମତ ପ୍ରକାଶ କରିଥିଲେ।
ଶୋକସଭାରେ ଉପସ୍ଥିତ ନେତୃବୃନ୍ଦ କହିଥିଲେ ଯେ, ସୁଶାନ୍ତ ସିଂହଙ୍କ ଅକାଳ ବିୟୋଗ କେବଳ ବିଜୁ ଜନତା ଦଳ ପାଇଁ ନୁହେଁ, ସମଗ୍ର ରାଜ୍ୟର ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅଭିଜ୍ଞତା, ସଂଗଠନ କୌଶଳ ଓ ଜନସେବା ପ୍ରତି ସମର୍ପଣ ନୂତନ ପିଢ଼ିର ନେତାମାନଙ୍କ ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ବକ୍ତାମାନେ କହିଥିଲେ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମିଶ୍ର, ପ୍ରଦୀପ ମୁଣ୍ଡ, ରାଜ୍ୟ ସମ୍ପାଦକ ଆଦିତ୍ୟ ନନ୍ଦ, ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର, ଜୋନ୍ ମହିଳା ସଭାନେତ୍ରୀ ଲଳିତା ନାଏକ, ଜିଲ୍ଲା ମହିଳା ସଭାନେତ୍ରୀ ସବିତା ପ୍ରଧାନ, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଉପସଭାପତି ମନିନ୍ଦ୍ର ମହାନ୍ତି, ବରିଷ୍ଠ ନେତା ଧବଳେଶ୍ୱର ମହାପାତ୍ର, ପ୍ରଶାନ୍ତ ନାଏକ, ବଦ୍ରିନାରାୟଣ ପଟ୍ଟନାୟକ, କ୍ଷୀରସିନ୍ଧୁ ନାଏକ, ଶିବା ସାହୁ, ରଞ୍ଜୁକ୍ତା ପ୍ରଧାନ, ହରାମଣୀ ଗଣ୍ଡ, ଜୟଶ୍ରୀ ଅଗ୍ରୱାଲ, ଅବଦୁଲ କାଦୀର, ସମୀତା ନାୟକ, ପିତବାସ ବେହେରା, ମହେନ୍ଦ୍ର ରାଉତ, ପ୍ରଦୀପ ପ୍ରଧାନ, ଭୋଳା ଶଙ୍କର ନାଗ, ରବି ନାଏକଙ୍କ ସମେତ ବହୁ ସଂଖ୍ୟକ ବିଜେଡି କର୍ମୀ ଓ ସମର୍ଥକ ଉପସ୍ଥିତ ରହିଥିଲେ।
ଶେଷରେ ସମସ୍ତେ ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ଆଦର୍ଶକୁ ଅନୁସରଣ କରି ଜନସେବାର ଧାରାକୁ ଆଗେଇ ନେବାକୁ ସଂକଳ୍ପ ନେଇଥିଲେ। ଶୋକମୟ ପରିବେଶ ମଧ୍ୟରେ କାର୍ଯ୍ୟକ୍ରମର ସମାପନ ହୋଇଥିଲା।




