ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଗଡ଼ଗଡ଼ବାହାଲ ଗ୍ରାମ ପଞ୍ଚାୟତରେ ମୌଳିକ ସୁବିଧାର ଅଭାବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦୧୭ ମସିହାରେ ସ୍ଥାପିତ ଏହି ପଞ୍ଚାୟତ କାର୍ଯ୍ୟାଳୟରେ ପାନୀୟ ଜଳର ସୁବିଧା ନଥିବାରୁ ବିଭିନ୍ନ କାମରେ ଆସୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଭିଯୋଗ ଅନୁଯାୟୀ, ପଞ୍ଚାୟତ ପରିସରରେ ପାଣି ଟାଙ୍କି ରହିଥିଲେ ମଧ୍ୟ ତାହା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଶୌଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ ପାଣି ଯୋଗାଣ ନଥିବାରୁ ସେଥିରେ ତାଲା ଝୁଲୁଛି। ଫଳରେ ପଞ୍ଚାୟତକୁ ଆସୁଥିବା ଲୋକମାନେ ପିଇବା ପାଣି ଓ ଶୌଚାଳୟ ବ୍ୟବହାର କରିବାରେ ସମସ୍ୟା ଭୋଗୁଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପଞ୍ଚାୟତର ସରପଞ୍ଚ ଓ କର୍ମଚାରୀମାନେ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବାରୁ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି। ପଞ୍ଚାୟତ ପରିସରରେ ଶୀଘ୍ର ପାନୀୟ ଜଳର ବ୍ୟବସ୍ଥା କରିବା ସହ ସଫାସୁତୁରା ପରିବେଶ ବଜାୟ ରଖିବାକୁ ସାଧାରଣ ଲୋକ ଦାବି କରିଛନ୍ତି।
ଏ ସମ୍ପର୍କରେ ସରପଞ୍ଚ କରିସ୍ମା ସୁନାଙ୍କୁ ପଚାରିବାରୁ ସେ ପାଣି ସମସ୍ୟା ସ୍ୱୀକାର କରିଥିଲେ। “ତିନି ଥର ୪୦୦ ଫୁଟ ବୋରୱେଲ୍ ଖୋଲିଥିଲେ ମଧ୍ୟ ସଫଳ ହୋଇନାହିଁ। ପାଣିର ସମସ୍ୟା ବିଷୟରେ ପିଡି ଓ ବିଡିଓଙ୍କୁ ଜଣାଇଛୁ”, ବୋଲି ସେ କହିଥିଲେ। “ପଞ୍ଚାୟତ କାର୍ଯ୍ୟାଳୟ ପରିସର ସଫାସୁତୁରା କରାଯିବ। ପାଣିର ବିକଳ୍ପ ବ୍ୟବସ୍ଥା କିପରି କରାଯାଇପାରିବ, ସେଥିପାଇଁ ଚେଷ୍ଟା କରାଯିବ”, ବୋଲି ସରପଞ୍ଚ ପ୍ରକାଶ କରିଥିଲେ।




