ବରଗଡ଼ ଜିଲ୍ଲା ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଅଧୀନ ପୁରୁଣା ବସ୍ଷ୍ଟାଣ୍ଡ ପରିସରରେ ଥିବା ସାର୍ବଜନୀନ ଶୌଚାଳୟର ଦୁରବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସ୍ୱଚ୍ଛତା ଓ ମୌଳିକ ନାଗରିକ ସୁବିଧାକୁ ନେଇ ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଏହି ଶୌଚାଳୟର ଅବସ୍ଥା ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଶୌଚାଳୟଟି ଦୀର୍ଘଦିନ ଧରି ଅବ୍ୟବସ୍ଥିତ ଅବସ୍ଥାରେ ପଡ଼ିରହିଛି। କେତେକ ସ୍ଥାନରେ କବାଟ ନାହିଁ, ନିୟମିତ ସଫେଇର ଅଭାବ ରହିଛି ଏବଂ ଦୁର୍ଗନ୍ଧ ସହ ମଶା-ମାଛିର ପ୍ରକୋପ ବଢ଼ିଥିବାରୁ ସାଧାରଣ ଲୋକ ଏହାକୁ ବ୍ୟବହାର କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ସ୍ୱଚ୍ଛତା ପାଇଁ ନିର୍ମିତ ଏହି ବ୍ୟବସ୍ଥା ବର୍ତ୍ତମାନ ଅସ୍ୱଚ୍ଛ ପରିବେଶର କାରଣ ପାଲଟିଥିବା ସେମାନେ ଅଭିଯୋଗ କରିଛନ୍ତି।
ବାସିନ୍ଦାଙ୍କ ମତରେ, ଏପରି ପରିବେଶରେ ଶୌଚାଳୟ ବ୍ୟବହାର କଲେ ସଂକ୍ରମଣ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନଥିବା ସେମାନେ କହିଛନ୍ତି। ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, “ଡବଲ ଇଞ୍ଜିନ ସରକାରର ଗତି ବହୁତ ତେଜ ବୋଲି କୁହାଯାଉଛି, କିନ୍ତୁ ବିଜେପୁରର ଏହି ସାର୍ବଜନୀନ ଶୌଚାଳୟର ଅବସ୍ଥା ଦେଖିଲେ ତାହାର ସୁଫଳ ଏଠାରେ ପହଞ୍ଚିଥିବା ପରି ମନେ ହେଉନାହିଁ।” ଏହି ମନ୍ତବ୍ୟ ସ୍ଥାନୀୟ ଲୋକଙ୍କ ଅସନ୍ତୋଷକୁ ପ୍ରତିଫଳିତ କରୁଛି। ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ଯାତ୍ରୀମାନେ ଶୀଘ୍ର ଶୌଚାଳୟର ମରାମତି, ନିୟମିତ ସଫେଇ ଓ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବାକୁ ବିଜେପୁର NAC କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି। ତେବେ ଏ ସମ୍ପର୍କରେ ବିଜେପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଜ୍ଞ ବିଭୁଦତ୍ତ ସାହୁଙ୍କୁ ତାଙ୍କ ମୋବାଇଲ ନମ୍ବର ୭୦୦୮୧୯୮୮୪୪ ରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ବି ସେ ଫୋନ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟ ପଟେ ବିଜେପୁର ବିଧାୟକ ସନତ ଗଡ଼ତିଆ ଙ୍କୁ ବି ଯୋଗାଯୋଗ କରିଥିଲୁଁ ହେଲେ ସେ ବି ଫୋନ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l
ଡବଲ ଇଞ୍ଜିନର ଗତି ତେଜ, କିନ୍ତୁ ବିଜେପୁର ଶୌଚାଳୟର ଦଶା ଅବଶ୍ୟ ବ୍ରେକ୍ରେ!




