ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀଙ୍କ ମୃତ୍ୟୁକୁ କେନ୍ଦ୍ର କରି ସେଠାରେ ଉପସ୍ଥିତ ଡାକ୍ତରଙ୍କ ଉପରେ ହୋଇଥିବା ଅଭାବନୀୟ ଶାରୀରିକ ଆକ୍ରମଣ ଘଟଣାକୁ ନେଇ ଡାକ୍ତର ସଂଘ ଗଭୀର ଦୁଃଖ ଓ ଅସନ୍ତୋଷ ପ୍ରକାଶ କରିଛି। ଏହି ବର୍ବରୋଚିତ କାଣ୍ଡର ପ୍ରତିବାଦରେ ଆଜି ସମସ୍ତ ଡାକ୍ତର କଳାବ୍ୟାଜ୍ ପିନ୍ଧି ନିରବ ପ୍ରତିବାଦ କରିଛନ୍ତି। କେବଳ ସେତିକି ନୁହେଁ, ଆଗାମୀ ଦିନରେ ଯଦି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାନଯାଏ, ତେବେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସଂଘ ଚେତାବନୀ ଦେଇଛି।
ଡାକ୍ତର ସଂଘ ପକ୍ଷରୁ କୁହାଯାଇଛି ଯେ, କୌଣସି ବି ଡାକ୍ତର କେବେ ଚାହାନ୍ତି ନାହିଁ ଯେ ତାଙ୍କ ରୋଗୀର ଅବସ୍ଥା ଖରାପ ହେଉ ବା କାହାର ମୃତ୍ୟୁ ହେଉ। ଜଣେ ରୋଗୀର ଜୀବନ ବଞ୍ଚାଇବା ପାଇଁ ଡାକ୍ତର ସଦାସର୍ବଦା ନିଜର ଶତପ୍ରତିଶତ ଚେଷ୍ଟା କରିଥାନ୍ତି। କିନ୍ତୁ ବାରମ୍ବାର ଡାକ୍ତରମାନଙ୍କୁ ଟାର୍ଗେଟ୍ କରାଯିବା ଏବଂ ସେମାନଙ୍କ ଉପରେ ଶାରୀରିକ ଆକ୍ରମଣ ହେବା ଯୋଗୁଁ ଏବେ ଚିକିତ୍ସକମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏହି ଭୟର ବାତାବରଣ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ବଡ଼ ବାଧା ସୃଷ୍ଟି କରୁଛି। ତେବେ ଏହି ନିରବ ପ୍ରତିବାଦ ସମୟରେ ରୋଗୀ ସେବାକୁ ସମ୍ପୂର୍ଣ୍ଣ ସ୍ଵାଭାବିକ ରଖାଯାଇଛି ଏବଂ କୌଣସି ଅବହେଳା କରାଯାଇ ନାହିଁ ବୋଲି ସଂଘ ସ୍ପଷ୍ଟ କରିଛି।
ଡାକ୍ତରଙ୍କ କହିବା କଥା, ଯଦି ଚିକିତ୍ସାକୁ ନେଇ ରୋଗୀଙ୍କ ସମ୍ପର୍କୀୟଙ୍କ ମନରେ କୌଣସି ଅସନ୍ତୋଷ ଅଛି, ତେବେ ଅଭିଯୋଗ କରିବା ପାଇଁ ପ୍ରଶାସନ ଅଛି ଏବଂ ଆଇନଗତ ଲଢ଼େଇ ପାଇଁ କୋର୍ଟ ମଧ୍ୟ ଅଛି। କିନ୍ତୁ ଆଇନକୁ ହାତକୁ ନେଇ ମେଡିକାଲ ପରିସର ଭିତରେ ଗଣ୍ଡଗୋଳ କରିବା ଏବଂ କାର୍ଯ୍ୟରତ ଡାକ୍ତରଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିବା ସମାଜକୁ ଏକ ଅତ୍ୟନ୍ତ ଭୁଲ୍ ଓ ବିପଜ୍ଜନକ ବାର୍ତ୍ତା ଦେଉଛି।
ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଢ଼ ପଦକ୍ଷେପ ନେଇ ଆକ୍ରମଣକାରୀଙ୍କୁ ଗିରଫ କରୁ ବୋଲି ଡାକ୍ତରମାନେ ଦାବି କରିଛନ୍ତି। ଯଦି ସରକାର ଓ ପ୍ରଶାସନ ଏହି ସଂବେଦନଶୀଳ ଘଟଣା ଉପରେ ଶୀଘ୍ର କୌଣସି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତେବେ ଆଗାମୀ ଦିନରେ ଓଡ଼ିଶା ମେଡିକାଲ ସେବା ସଂଘ (‘ଓମସା’) ସହ ଆଲୋଚନା କରି ଆନ୍ଦୋଳନକୁ ସାରା ରାଜ୍ୟରେ ଆହୁରି ତୀବ୍ରତର କରାଯିବ ବୋଲି ଡାକ୍ତର ସଂଘ ଚେତାବନୀ ଦେଇଛି। ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଏକ ସୁଦୃଢ଼ ବ୍ୟବସ୍ଥା ଗ୍ରହଣ କରିବାକୁ ଏବେ ସବୁ ମହଲରୁ ଦାବି ହେଉଛି।




