ଗରିବଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ଯୋଗାଇ ଦେଉଥିବାବେଳେ ଏବେ ଏଭଳି ଏକ ଗୃହ ବେଆଇନ କାରବାରର ପେଣ୍ଠସ୍ଥଳୀ ପାଲଟିଛି। ଖରିଆର-ବୋଡ଼େନ ମୁଖ୍ୟ ରାସ୍ତାଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଖୁଦପେଜ ଗ୍ରାମର ଏକ ପିଏମଏୱାଇ ରେ ନିର୍ମିତ ଗୃହ ରେ ଖୋଲାଖୋଲି ଭାବେ ତାଡ଼ି ବିକ୍ରି ଚାଲିଥିବା ଅଭିଯୋଗ ହୋଇଛି। ମୁଖ୍ୟ ରାସ୍ତା କଡ଼ରେ ଏବଂ ଜନବସତି ମଧ୍ୟରେ ଏଭଳି ବେଆଇନ ମାଦକଦ୍ରବ୍ୟ କାରବାର ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି।
ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଖଡ଼ିଆଳ ଅବକାରୀ ଥାନା ର ଉପ-ନିରୀକ୍ଷକ ଙ୍କୁ ପଚାରିବାରୁ ସେ ଏକ ଚମକପ୍ରଦ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସଂପୃକ୍ତ ଅଭିଯୁକ୍ତଙ୍କୁ ଏହି ସମାନ ଅପରାଧ ପାଇଁ ପୂର୍ବରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। କିଛି ଦିନ ତଳେ ସେ କୋର୍ଟରୁ ଜାମିନ ରେ ମୁକୁଳିଛନ୍ତି। ଜାମିନ ପାଇବା ପରେ ସଂପୃକ୍ତ ବ୍ୟକ୍ତିଜଣକ ସୁଧୁରିବା ପରିବର୍ତ୍ତେ ପୁଣିଥରେ ସେହି ସମାନ ସ୍ଥାନରେ ବେଆଇନ ତାଡ଼ି ବ୍ୟବସାୟ ଆରମ୍ଭ କରିଦେଇଛନ୍ତି। ତେବେ ଅବକାରୀ ବିଭାଗ ଏହା ଉପରେ ନଜର ରଖିଛି ଏବଂ ଉକ୍ତ ଅଭିଯୁକ୍ତ ବିରୋଧରେ ଖୁବ୍ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ଉପ-ନିରୀକ୍ଷକ ଦୃଢ଼ ଆଶ୍ୱାସନା ଦେଇଛନ୍ତି।
ଅପରପକ୍ଷରେ, ଜାମିନ ପାଇବା ପରେ ମଧ୍ୟ ଅଭିଯୁକ୍ତ ଜଣକ ବାରମ୍ବାର ସମାନ ଅପରାଧ ଘଟାଉଥିବାରୁ ସ୍ଥାନୀୟ ଲୋକେ ବେଶ୍ ଉତ୍କ୍ଷିପ୍ତ ହୋଇପଡ଼ିଛନ୍ତି। କୋର୍ଟଙ୍କ ନିୟମକୁ ଅବମାନନା କରି ସେ ନିଜର ବେଆଇନ କାର୍ଯ୍ୟ ଜାରି ରଖିଥିବାରୁ, ତାଙ୍କର ଜାମିନ ତୁରନ୍ତ ନାକଚ କରାଯିବା ପାଇଁ ଅବକାରୀ ବିଭାଗ ଆଇନଗତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଜନସାଧାରଣ ଦାବି କରିଛନ୍ତି। ଏହି ବେଆଇନ ଆଡ୍ଡା ଯୋଗୁଁ ସ୍ଥାନୀୟ ମହିଳା ଓ ଛାତ୍ରଛାତ୍ରୀମାନେ ଯାତାୟାତ ସମୟରେ ଅସୁରକ୍ଷିତ ମଣୁଥିବାରୁ, ଜିଲ୍ଲା ପ୍ରଶାସନ ଓ ପୋଲିସ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଜୋରଦାର ଦାବି ହେଉଛି।




