8 ଲକ୍ଷ ଟଙ୍କାରେ ରାସ୍ତା ନିର୍ମାଣ ହୋଇଥିଲେ ବି ବେହାଲ, ପଡ଼ିଆ ସାନ୍ତିନଗର ଗ୍ରାମବାସୀ ହଇରାଣ

ଜିଲ୍ଲା ପରିଷଦ ପାଣ୍ଠିରୁ 8 ଲକ୍ଷ ଟଙ୍କା ବ୍ୟରେ ରାସ୍ତା ଉନ୍ନତିକରଣ ହୋଇଥିବା କଥା ସୂଚନା ଫଳକରେ ଲେଖା ହୋଇଥିଲେ ମଧ୍ୟ ପଡ଼ିଆ ବ୍ଲକ ସାନ୍ତିନଗର ଗ୍ରାମର ରାସ୍ତା ଅବସ୍ଥା ବେହାଲ ହୋଇପଡିଛି। ବର୍ଷା ଆସିବା ସହ ରାସ୍ତା ସମ୍ପୂର୍ଣ୍ଣ କାଦୁଅ ଓ ପାଣିରେ ଭରି ଯାଇ ଗ୍ରାମବାସୀଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।

ସୂଚନା ଅନୁଯାୟୀ, ଜିଲ୍ଲା ପରିଷଦ ମାଲକାନଗିରି ପକ୍ଷରୁ 2023-24 ଆର୍ଥିକ ବର୍ଷରେ ଅଣ ଏସ.ଏଫ.ସି – ସି.ଏଫ.ସି ଯୋଜନାରେ “ଆର.ଡି ରାସ୍ତାରୁ ସାନ୍ତିନଗର ଗ୍ରାମ ରିଭର ସାଇଡ୍ ପର୍ଯ୍ୟନ୍ତ ରାସ୍ତା ଉନ୍ନତିକରଣ” ନାମରେ କାମ ହାତକୁ ନିଆଯାଇଥିଲା। ଏଥିପାଇଁ 8 ଲକ୍ଷ ଟଙ୍କା ବ୍ୟବସ୍ଥା ହୋଇଥିଲା। ପଡ଼ିଆ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଏହି ରାସ୍ତା ନିର୍ମାଣ ହେଲେ ପ୍ରାୟ 100 ପରିବାର ଉପକୃତ ହେବାର ଥିଲା।

କିନ୍ତୁ ବର୍ତ୍ତମାନ ରାସ୍ତାର ସ୍ଥିତି ସମ୍ପୂର୍ଣ୍ଣ ବିପରୀତ। ରାସ୍ତାରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି ଏବଂ ସେଥିରେ ପାଣି ଜମି ରହିଛି। ଟାୟାର ଛାପ ଏବଂ କାଦୁଅ ଯୋଗୁଁ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ଚଳାଚଳ କରିବା ଅସମ୍ଭବ ହୋଇପଡିଛି।

ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, “ଫଳକରେ 8 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କଥା ଲେଖା ହୋଇଛି। କିନ୍ତୁ ତଳେ କୌଣସି କାମ ହୋଇନାହିଁ। ଛାତ୍ରଛାତ୍ରୀ ସ୍କୁଲ ଯାଇ ପାରୁନାହାନ୍ତି, ଅସୁସ୍ଥ ଲୋକଙ୍କୁ ଡାକ୍ତରଖାନା ନେବା ମୁସ୍କିଲ ହୋଇପଡିଛି।

ଗ୍ରାମବାସୀ ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ତୁରନ୍ତ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ଏବଂ ଦୋଷୀ ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାସ୍ତାର ପୁନଃ ନିର୍ମାଣ କରାଯାଉ। ନଚେତ ଆଗାମୀ ଦିନରେ ସେମାନେ ଆନ୍ଦୋଳନକୁ ବାଧ୍ୟ ହେବେ।

Leave a Reply

Your email address will not be published. Required fields are marked *