ମାଲକାନଗିରି ଜିଲ୍ଲାରେ ଚାଷୀମାନେ ଏବେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସରକାରୀ ଲାମ୍ପ୍ସ ମାଧ୍ୟମରେ ବିହନ କିଣିବା ସମୟରେ ଚାଷୀଙ୍କୁ କେବଳ ନଗଦ ଟଙ୍କା (କ୍ୟାସ୍) ଦେବାକୁ ବାଧ୍ୟ କରାଯାଉଛି,ତା’ ପରେ ଯାଇକି ବିହନ ମିଳୁଛି। ଯେଉଁ ଚାଷୀମାନଙ୍କ ପାଖରେ ନଗଦ ଟଙ୍କା ନାହିଁ, ସେମାନେ ଫୋନ୍-ପେ ବା ଡିଜିଟାଲ୍ ମାଧ୍ୟମରେ ପେମେଣ୍ଟ କରିବାକୁ ଚାହିଁଲେ ମଧ୍ୟ ଲାମ୍ପ୍ସ କର୍ମଚାରୀ ମାନେ ତାହାକୁ ଗ୍ରହଣ କରୁନାହାନ୍ତି। ଏହାର କାରଣ ପଚାରିବାରୁ ସେମାନେ ଅତ୍ୟନ୍ତ ହାସ୍ୟାସ୍ପଦ ଭାବେ କହୁଛନ୍ତି ଯେ, “ଆମ ବ୍ୟାଙ୍କର ଏହି ପେମେଣ୍ଟ ପାଇଁ କୌଣସି ଆକାଉଣ୍ଟ ନାହିଁ।”ଏହା ସିଧାସଳଖ ଏକ ବଡ଼ ଦୁର୍ନୀତିର ସଙ୍କେତ ଦେଉଛି। ଯେଉଁଠାରେ ସରକାର ସବୁ କ୍ଷେତ୍ରରେ ଡିଜିଟାଲାଇଜେସନକୁ ଗୁରୁତ୍ୱ ଦେଉଛନ୍ତି, ସେଠାରେ ଲାମ୍ପ୍ସ କର୍ମଚାରୀଙ୍କ ଏଭଳି ମନ୍ତବ୍ୟ ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଚାଷୀଙ୍କୁ ଋଣ ପ୍ରଦାନ କରୁଥିବା ବ୍ୟାଙ୍କ ଏବଂ ଲାମ୍ପ୍ସ ମଧ୍ୟରେ ଯଦି ଆର୍ଥିକ ସମ୍ପର୍କ ନାହିଁ, ତେବେ ସେଠାରେ ପୁଞ୍ଜିର କାରବାର କିପରି ହେଉଛି,ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି ?ତେବେ କିଛି ଚାଷୀଙ୍କ କହିବା ଅନୁଯାୟୀ ଏହା ସ୍ପଷ୍ଟ ଭାବେ ସୂଚାଉଛି ଯେ, ଚାଷୀଙ୍କୁ ଶୋଷଣ କରିବା ପାଇଁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଚାଲିଛି।ଚାଷୀମାନେ ନିଜର ପରିଶ୍ରମ ଅର୍ଜିତ ଅର୍ଥ ଦେବା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ, କେବଳ ନଗଦ ଟଙ୍କା ପାଇଁ ଜିଦ୍ ଧରିବା ପଛରେ ବଡ଼ ଧରଣର ଆର୍ଥିକ ଅନିୟମିତତା ରହିଛି ବୋଲି ଚାଷୀକୂଳ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ ଏହି ଗୁରୁତର ବିଷୟରେ କାହିଁକି ଚୁପ୍ ବୋଲି ଚାଷୀ ମାନେ ପ୍ରଶ୍ନ କରିଛନ୍ତି ? ଚାଷୀଙ୍କ ଦୁଃଖ କଣ କେବେ ଶେଷ ହେବ ନାହିଁ?ତେବେ ଚାଷୀ ମାନେ ତୁରନ୍ତ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଆବଶ୍ୟକ ବୋଲି ଦୃଢ ଦାବି କରିଛନ୍ତି । ସରକାର ଏବଂ ପ୍ରଶାସନ ଯଦି ଏ ଦିଗରେ ଦୃଷ୍ଟି ନଦିଅନ୍ତି, ତେବେ ଏହା ଚାଷୀଙ୍କ ପ୍ରତି ଏକ କ୍ରୂର ମଜାକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି,ତେବେ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ଏ ବିଷୟରେ କି ପଦକ୍ଷେପ ଗ୍ରହଣ କରୁଛି ।




