ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତର ଦ୍ୱିତୀୟ ଦିନରେ ଅଙ୍ଗନୱାଡ଼ି କର୍ମୀ, ହେଲ୍ପର ଓ ସୁପରଭାଇଜରମାନଙ୍କ ସହ ଏକ ବିସ୍ତୃତ ସମୀକ୍ଷା ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା କର୍ମୀମାନେ ନିଜ ସମସ୍ୟା, ଦାବି ଓ ପରାମର୍ଶ ସିଧାସଳଖ ଉପମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।
ସଭାରେ ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଷୀ, ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଅନନ୍ତ ନାରାୟଣ ସିଂହ ଲାଗୁରୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ସିଡିଓ-କମ୍-ଇଓ ଜିଲ୍ଲା ପରିଷଦ ସୌମ୍ୟ ରଞ୍ଜନ ପ୍ରଧାନ, ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ୍ ନିଶାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଆଲୋଚନା ସମୟରେ ଅଙ୍ଗନୱାଡ଼ି କର୍ମୀମାନେ ବର୍ଦ୍ଧିତ ଅଣ୍ଡା ଦର ଯୋଗୁଁ ଯୋଗାଣରେ ସୃଷ୍ଟି ହେଉଥିବା ଅସୁବିଧା, ସମ୍ମାନରାଶି ବୃଦ୍ଧି, ₹୧୦,୦୦୦ ପ୍ରୋତ୍ସାହନ ରାଶିକୁ ଦୁଇ କିସ୍ତି ପରିବର୍ତ୍ତେ ଏକକାଳୀନ ପ୍ରଦାନ, ଆକସ୍ମିକ ବ୍ୟୟ ସମ୍ବନ୍ଧୀୟ ସମସ୍ୟା, ମୋବାଇଲ୍ ଫୋନ୍ ସୁବିଧା ଏବଂ ସୁଭଦ୍ରା ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। କ୍ଷେତ୍ରସ୍ତରରେ କାର୍ଯ୍ୟ କରିବା ବେଳେ ସେମାନେ ସମ୍ମୁଖୀନ ହେଉଥିବା ବ୍ୟବହାରିକ ସମସ୍ୟା ସମ୍ପର୍କରେ ମଧ୍ୟ ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମସ୍ତଙ୍କ କଥା ଧୈର୍ଯ୍ୟର ସହ ଶୁଣି କହିଥିଲେ ଯେ, ଅଙ୍ଗନୱାଡ଼ି କର୍ମୀମାନେ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ କାର୍ଯ୍ୟକ୍ରମର ମୂଳ ଭିତ୍ତି। ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ସରକାର ସକାରାତ୍ମକ ଭାବେ ପଦକ୍ଷେପ ନେବେ ବୋଲି ସେ ଆଶ୍ୱାସନ ଦେଇଥିଲେ। ସେହି ସହ ଜିଲ୍ଲା ପ୍ରଶାସନକୁ ସମସ୍ତ ଦାବିକୁ ପ୍ରାଥମିକତାର ସହ ବିଚାର କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସମୟୋପଯୋଗୀ ଭାବେ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସଭାରେ ସରକାରୀ ଯୋଜନାର କାର୍ଯ୍ୟକାରିତା, ପୋଷଣ କାର୍ଯ୍ୟକ୍ରମ, ସୁଭଦ୍ରା ଯୋଜନାର ଅଗ୍ରଗତି ଏବଂ ମହିଳା ସଶକ୍ତିକରଣକୁ ନେଇ ମଧ୍ୟ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ ସମ୍ବନ୍ଧୀୟ ଯୋଜନାଗୁଡ଼ିକୁ ଅଧିକ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନ ଓ କ୍ଷେତ୍ରସ୍ତରର କର୍ମୀମାନଙ୍କ ମଧ୍ୟରେ ସମନ୍ୱୟ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।




