ବର୍ଷା ଋତୁ ଆଗମନ ସହ ମାଲକାନଗିରି ଜିଲ୍ଲାବାସୀଙ୍କ ମନରେ ପୁଣି ଥରେ ଜଳବନ୍ଦୀ ହେବାର ଆଶଙ୍କା ଘାରିଲାଣି। ଜୟପୁରରୁ ମୋଟୁ ପର୍ଯ୍ୟନ୍ତ ବିସ୍ତୃତ ମୁଖ୍ୟ ରାସ୍ତାରେ ଥିବା ଏକାଧିକ ତଳୁଆ ପୋଲ ଯୋଗୁଁ ସାମାନ୍ୟ ବର୍ଷାରେ ଯୋଗାଯୋଗ ବିଚ୍ଛିନ୍ନ ହେବାର ଭୟ ଜିଲ୍ଲାବାସୀଙ୍କ ଚିନ୍ତା ବୃଦ୍ଧି କରିଛି।
ବାଧାପ୍ରାପ୍ତ ହେଉଛି ମୁଖ୍ୟ ଯୋଗାଯୋଗ ବିଶେଷ କରି ପାଙ୍ଗାମ, ତମୋସା, ପଟେରୁ, କାଙ୍ଗୁରକୋଣ୍ଡା, ଏମ୍.ଭି. ୯୦ ଏବଂ ଏମ୍.ଭି. ୯୬ ନଦୀ/ନାଳ ଉପରେ ଥିବା ପୋଲଗୁଡ଼ିକ ଅତ୍ୟନ୍ତ ତଳୁଆ। ଏହା ସହିତ କାଲିମେଳାରୁ ପଡ଼ିଆ ଯାଇଥିବା ମୁଖ୍ୟ ରାସ୍ତାର କନ୍ୟାଶ୍ରମ ନିକଟସ୍ଥ ପୋଲ ମଧ୍ୟ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ବର୍ଷା ଦିନେ ନଦୀ ଜଳସ୍ତର ବୃଦ୍ଧି ପାଇବା ମାତ୍ରକେ ଏହି ପୋଲଗୁଡ଼ିକ ଉପରେ ପାଣି ଚାଲିଥାଏ। ବିକଳ୍ପ ରାସ୍ତା ଅଭାବରୁ ସ୍ଥାନୀୟ ଅଞ୍ଚଳବାସୀ ଦିନ ଦିନ ଧରି ଜଳବନ୍ଦୀ ହୋଇ ରହିବା ସହ ଜରୁରୀକାଳୀନ ସେବାରୁ ବଞ୍ଚିତ ହୋଇ ଅସୁବିଧା ଭୋଗୁଛନ୍ତି।
ନିର୍ମାଣ କାର୍ଯ୍ୟ ମନ୍ଥର: ପ୍ରଶାସନିକ ଅବହେଳା ଅଭିଯୋଗ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଉଚ୍ଚସେତୁ ନିର୍ମାଣ କାର୍ଯ୍ୟ ବହୁ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଶେଷ ହୋଇପାରୁନାହିଁ। ବିଭାଗୀୟ ଅବହେଳା ଓ ଠିକାଦାରଙ୍କ ସ୍ଥାଣୁତା ଯୋଗୁଁ କାମ ଅଧାପନ୍ତରିଆ ହୋଇ ପଡ଼ିରହିଛି। ଏ ନେଇ ଜିଲ୍ଲାବାସୀ ବାରମ୍ବାର ଦାବି ଓ ଅଭିଯୋଗ କରିଆସୁଥିଲେ ବି କୌଣସି ଆଶାଜନକ ଅଗ୍ରଗତି ଦେଖିବାକୁ ମିଳୁନାହିଁ। ପ୍ରଶାସନିକ ନିଷ୍କ୍ରିୟତାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବର୍ଷା ଦିନିଆ ଯାତାୟାତ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରୁ ଏବଂ ନିର୍ମାଣାଧୀନ ପୋଲଗୁଡ଼ିକର କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।




