ପାରଳାଖେମୁଣ୍ଡି :-ଗଜପତି ଜିଲ୍ଲା ପୌର ପରିଷଦ ଅନ୍ତର୍ଗତ ପଟ୍ଟନାୟକ ଓ ଶଙ୍କୁରୀ ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ଦୀର୍ଘ ଦିନ ଧରି ଅନିୟମିତତା ଅଭିଯୋଗ ହୋଇ ଆସୁଥିଲା।ତତ୍କାଳୀନ ପାରଳାଖେମୁଣ୍ଡି ପୌର ପରିଷଦର କନିଷ୍ଠ ଯନ୍ତ୍ରୀ ତଥା ବର୍ତ୍ତମାନ ଗୁଣପୁର ପୌରପରିଷଦର କାର୍ଯ୍ୟରତ ଡି. ଯୁଧିଷ୍ଠିରଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଉଠାଇ ନେଇଥିବା ସୂଚନା ମିଳିଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପରିଷଦରେ ହୋଇଥିବା ବହୁଚର୍ଚ୍ଚିତ ପୋଖରୀ ଦୁର୍ନୀତି ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଏହି ଘଟଣାରେ କେବଳ କନିଷ୍ଠ ଯନ୍ତ୍ରୀ ଡି. ଯୁଧିଷ୍ଠିର ନୁହଁନ୍ତି, ବରଂ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଭିଜିଲାନ୍ସ ଟିମ୍ ଉଠାଇ ନେଇ ପଚରାଉଚରା କରୁଥିବା ଜଣାପଡିଛି।ପାରଳାଖେମୁଣ୍ଡି ପୌର ପରିଷଦ ଅଧୀନରେ ଥିବା ଶଙ୍କୁରୀ ପୋଖରୀ ଏବଂ ପଟ୍ଟନାୟକ ପୋଖରୀର ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। କାର୍ଯ୍ୟର ଗୁଣବତ୍ତା ଅତି ନିମ୍ନମାନର ହୋଇଥିବା ବେଳେ, ବିଲ୍ ପାସ୍ କରାଇବାରେ ମଧ୍ୟ ବ୍ୟାପକ ଜାଲିଆତି କରାଯାଇଥିବା ନେଇ ଭିଜିଲାନ୍ସକୁ ପ୍ରମାଣ ମିଳିଥିଲା।
ଏହି ମାମଲାରେ ୩ ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ଭିଜିଲାନ୍ସ ନିଜ ହେପାଜତକୁ ନେଇଥିବା ଜଣାପଡିଛି। ଯନ୍ତ୍ରୀ ଡି. ଯୁଧିଷ୍ଠିରଙ୍କ ସମେତ ତତ୍କାଳୀନ ପାରଳାଖେମୁଣ୍ଡି ପୌର ପରିଷଦର ଏମ୍ଇ ସଞ୍ଜୀବ ଚମ୍ପତିଙ୍କୁ ମଧ୍ୟ ଉଠାଇ ନିଆଯାଇଛି। ସେହିପରି ଏହି କାର୍ଯ୍ୟ ସମ୍ପାଦନ କରୁଥିବା ଠିକାଦାର
ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ତାଙ୍କର ବ୍ରହ୍ମପୁରର ବ୍ରହ୍ମପୁରସ୍ଥିତ ବାସଭବନରୁ ଉଠାଇ ନିଆଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଏହି ତିନି ଜଣଙ୍କ ବ୍ୟତୀତ, ଘଟଣା ସମୟରେ ଥିବା ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ଏବଂ ଆକାଉଣ୍ଟାଣ୍ଟଙ୍କୁ ମଧ୍ୟ ଭିଜିଲାନ୍ସ ଦୀର୍ଘ ସମୟ ଧରି ପଚରାଉଚରା କରୁଥିବା ସୂଚନା ମିଳିଛି। ଏହି ଦୁର୍ନୀତିରେ ଆହୁରି କେଉଁମାନଙ୍କର ସମ୍ପୃକ୍ତି ରହିଛି, ତାହାର ଖୋଳତାଡ଼ ମଧ୍ୟ ଜାରି ରହିଥିବା ସୂଚନା ମିଳିଛି।




