ଅଙ୍ଗନବାଡ଼ି କେନ୍ଦ୍ରର ଛାତ ଖସିଲା; ୩ ଜଣ ଶିଶୁ ଗୁରୁତର ଆହତ, ମେଡିକାଲ୍‌ରେ ଭର୍ତ୍ତି

ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ପଞ୍ଚାୟତର କୁର୍ଲି ଗ୍ରାମରେ ଥିବା ଏକ ଅଙ୍ଗନୱାଡି କେନ୍ଦ୍ରରେ ମଙ୍ଗଳବାର ସକାଳ ୯ଟାରେ ଏକ ଅଘଟଣ ଘଟିଛି। କେନ୍ଦ୍ର ଛାତର ଏକ ଅଂଶ ହଠାତ୍ ଖସିପଡ଼ିବାରୁ ସେଠାରେ ଉପସ୍ଥିତ 3 ଜଣ ଶିଶୁ ଆହତ ହୋଇଥିଲେ। ସୂଚନା ଅନୁଯାୟୀ, ନିକଟରେ ଥିବା ବିଦ୍ୟାଳୟ ସକାଳ ୧୦ଟାରେ ଖୋଲୁଥିବାରୁ ଦୁଇ ଜଣ ଛାତ୍ରୀ ଓ ଜଣେ ଛାତ୍ର ପୂର୍ବରୁ ଯାଇ ଖୋଲା ଥିବା ଅଙ୍ଗନୱାଡି କେନ୍ଦ୍ରରେ ବସିଥିଲେ। ସେମାନେ ଅଙ୍ଗନୱାଡି କେନ୍ଦ୍ରରେ ବସିଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଅଙ୍ଗନୱାଡି ୱାର୍କର ସ୍ପଷ୍ଟ କରିଛନ୍ତି।

ସୂଚନା ପାଇ ସ୍ଥାନୀୟ ସରପଞ୍ଚ ଓ ଅଙ୍ଗନୱାଡି ସୁପରଭାଇଜର ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ଓ ଅଙ୍ଗନୱାଡି କର୍ମୀମାନେ ତୁରନ୍ତ ଆହତ ଶିଶୁମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଣ୍ଟାବାଞ୍ଜି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଶିଶୁମାନଙ୍କର ଚିକିତ୍ସା ପରେ ସେମାନଙ୍କୁ ଘରକୁ ଛଡ଼ାଯାଇଛି। ବଡ଼ ବିପଦ ଟଳିଯିବା ସହ କୋମଳମତି ଛାତ୍ରଛାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି।

ପୁରୁଣା କୋଠାକୁ ପୁଟି, କଲର ମାରି ବାହାରୁ ଚକାଚକ ଦେଖାଯାଉଥିବା ବେଳେ ଭିତରେ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହି ଘଟଣା ପରେ ଅଙ୍ଗନୱାଡି କେନ୍ଦ୍ର ଭଗ୍ନଦଶାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି। ବହୁ ଦିନ ଧରି ଅଙ୍ଗନୱାଡି କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ସତ୍ତ୍ୱେ ମରାମତି କିମ୍ବା ନୂତନ ଭବନ ନିର୍ମାଣ ପ୍ରତି ପ୍ରଶାସନ ଦୃଷ୍ଟି ଦେଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଅଙ୍ଗନୱାଡି କେନ୍ଦ୍ର ଶୀଘ୍ର ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *