ଆଧୁନିକତାରେ ହଜିଯାଉଛି ହଳଲଙ୍ଗଳ

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ସହିତ କୃଷି କ୍ଷେତ୍ରରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆସିଛି। ଆଜି ଟ୍ରାକ୍ଟର, ପାୱାର ଟିଲର ଓ ଅନ୍ୟାନ୍ୟ ଆଧୁନିକ କୃଷି ଯନ୍ତ୍ରପାତି କୃଷକଙ୍କ ପ୍ରଥମ ପସନ୍ଦ ପାଲଟିଛି। ଫଳରେ, ପାରମ୍ପରିକ ହଳଲଙ୍ଗଳର ବ୍ୟବହାର ପୂର୍ବ ତୁଳନାରେ ବହୁ ପରିମାଣରେ କମିଯାଇଛି। ତଥାପି, ଗଜପତି ଭଳି ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳରେ ଆଜି ମଧ୍ୟ ଅନେକ କୃଷକ ବଳଦ ସହାୟତାରେ ଚାଷବାସ କରୁଛନ୍ତି । ପାହାଡ଼ିଆ, ସଂକୀର୍ଣ୍ଣ ଜମି ଅବା ଯେଉଁ ସ୍ଥାନରେ ଟ୍ରାକ୍ଟର ପହଞ୍ଚିବା ସମ୍ଭବ ହେଉନି, ସେଠାରେ ହଳଲଙ୍ଗଳ ହିଁ କୃଷକଙ୍କ ଏକମାତ୍ର ଭରସା ପାଲଟିଛି।


ବଳଦ କେବଳ ଚାଷ କାମରେ ସହଯୋଗ କରେ ନାହିଁ, ବରଂ, ଏହାର ଗୋବର ଓ ମୂତ୍ର ଜୈବିକ ସାର ଏବଂ କୀଟନାଶକ ପ୍ରସ୍ତୁତିରେ ବହୁ ଉପଯୋଗୀ ସାଧିତ ହେଉଛି। ରାସାୟନିକ ସାରର ଅତ୍ୟଧିକ ବ୍ୟବହାର ଯୋଗୁଁ ଜମିର ଉର୍ବରତା କମିଯାଉଥିବା ବେଳେ ଜୈବିକ ସାର ଜମିର ସ୍ବାସ୍ଥ୍ୟ ସୁରକ୍ଷିତ ରଖିବା ସହ ପରିବେଶ ସନ୍ତୁଳନ ବଜାୟ ରଖିବାରେ ସହାୟକ ହେଉଛି। ସେଥିପାଇଁ,ବର୍ତ୍ତମାନ ଜୈବିକ କୃଷି ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବା ସହ ହଳଲଙ୍ଗଳର ଗୁରୁତ୍ବ ପୁଣିଥରେ ଅନୁଭବ କରାଯାଉଛି। ଆଧୁନିକ କୃଷି ଯନ୍ତ୍ରପାତି ସମୟ ଓ ଶ୍ରମ ସଞ୍ଚୟ କରୁଥିବା ସତ୍ତ୍ବେ ଏହାର ଇନ୍ଧନ ଖର୍ଚ୍ଚ, ରକ୍ଷଣାବେକ୍ଷଣ
ବ୍ୟୟ ଏବଂ ଛୋଟ କୃଷକଙ୍କ ପାଇଁ ଅର୍ଥିକ ବୋଝର କାରଣ ସାଜୁଛି। ଅନ୍ୟପକ୍ଷରେ, ବଳଦ ଦ୍ବାରା ଚାଷ କଲେ ଖର୍ଚ୍ଚ କମ୍ ହେବା ସହ ପରିବେଶ ଉପରେ ପ୍ରଦୂଷଣର ପ୍ରଭାବ ପଡୁନାହିଁ। ଏଣୁ, ଅନେକ କ୍ଷୁଦ୍ର ଓ ପ୍ରାନ୍ତିକ କୃଷକ ଆଜି ମଧ୍ୟ ପାରମ୍ପରିକ ହଳଲଙ୍ଗଳକୁ ପ୍ରାଧାନ୍ୟ ଦେଉଛନ୍ତି । ଆଧୁନିକତାର ଦୌଡ଼ରେ ଏହାର ବ୍ୟବହାର କମିଥିଲେ ମଧ୍ୟ ଏହାର ଆବଶ୍ୟକତା, ଉପ‌ଯୋଗିତା ଓ ଗୁରୁତ୍ବ ଆଜି ମଧ୍ୟ ଅକ୍ଷୁଣ୍ଣ ରହିଛି।

Leave a Reply

Your email address will not be published. Required fields are marked *