ମାଲକାନଗିରି ଜିଲ୍ଲା ଚିକିତ୍ସାଳୟ ର ସାମ୍ନା ଭାଗକୁ ଚକାଚକ୍ ରଖାଯାଉଥିବା ବେଳେ, ପଛପଟର ବାସ୍ତବତା କିନ୍ତୁ ସମ୍ପୂର୍ଣ୍ଣ ଓଲଟା।ଡାକ୍ତରଖାନାର ମୁଖ୍ୟ ବିଲ୍ଡିଂର ପଛପଟ ତଳ ମହଲାରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଛି, ତାହା ଅତ୍ୟନ୍ତ ଚିନ୍ତାଜନକ। ଚାରିଆଡ଼େ ପ୍ଲାଷ୍ଟିକ୍ ବୋତଲ, ମେଡିକାଲ୍ ବର୍ଜ୍ୟବସ୍ତୁ ଏବଂ ଅଳିଆ ଆବର୍ଜନାର ସାମ୍ରାଜ୍ୟ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ଡ୍ରେନେଜ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପରିତ୍ୟକ୍ତ ସ୍ଥାନରେ କଳା ପଚାପାଣି ଜମି ରହିଥିବା ଦେଖିବାକୁ ମିଳିଛି । କାନ୍ଥଗୁଡ଼ିକରେ ଶିଉଳି ମାଡ଼ିଯାଇ ପରିବେଶକୁ ଅଧିକ ଦୂଷିତ କରୁଛି।ସରକାରଙ୍କ ନିୟମ ଅନୁଯାୟୀ, କାୟାକଳ୍ପ ପୁରସ୍କାର ପାଇଁ ହସ୍ପିଟାଲ୍ର ପ୍ରତିଟି କୋଣ ଅନୁକୋଣ ସ୍ୱଚ୍ଛ ରହିବା ଜରୁରୀ। କିନ୍ତୁ ମାଲକାନଗିରି ମେଡିକାଲ୍ର ଏହି ଅଂଶକୁ ଦେଖିଲେ ଲାଗୁଛି ଯେମିତି ମାସମାସ ଧରି ଏଠାରେ ସଫେଇ କରାଯାଇ ନାହିଁ। ଯେଉଁ ଚିକିତ୍ସାଳୟକୁ ଲୋକେ ସୁସ୍ଥ ହେବାକୁ ଆସନ୍ତି, ସେଠାରେ ଏଭଳି ଦୂଷିତ ପାଣି ଜମି ରହିବା ଦ୍ୱାରା ମଶା ଓ ମାଛିଙ୍କ ବଂଶବୃଦ୍ଧି ପାଇ ଡେଙ୍ଗୁ, ମ୍ୟାଲେରିଆ ଭଳି ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି।
ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଯଦି ଚିକିତ୍ସାଳୟର ପଛପଟର ଅବସ୍ଥା ଏଭଳି ଜରାଜୀର୍ଣ୍ଣ ଓ ଅସ୍ୱାସ୍ଥ୍ୟକର, ତେବେ କେଉଁ ଆଧାରରେ ଏହାକୁ କ୍ରମାଗତ ୩ ବର୍ଷ ଧରି ଶ୍ରେଷ୍ଠ ସ୍ୱଚ୍ଛତାର ‘କାୟାକଳ୍ପ’ ପୁରସ୍କାର ମିଳିଲା ? କେବଳ ଦେଖେଇ ହେବା ପାଇଁ ସାମ୍ନା ଭାଗକୁ ସଫା ରଖି ପଛପଟକୁ ଏଭଳି ଅବହେଳିତ କରାଯିବା କେତେଦୂର ଯୁକ୍ତିଯୁକ୍ତ ତାହା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।




