ବ୍ରହ୍ମପୁର – ବିକାଶ ନାଁରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ତାହାର ବାସ୍ତବ ଚିତ୍ର ଦେଖିଲେ ଦୁର୍ନୀତିର ଦୁର୍ଗନ୍ଧ ସ୍ପଷ୍ଟ ବାରି ହେଉଛି। ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକର କେ. ନୂଆଗାଁରୁ ପାତ୍ରପୁର ବ୍ଲକର କୋଳିହଳା ଦେଇ ଦିଗପହଣ୍ଡି ବ୍ଲକର ଗଡ଼ଗୋବିନ୍ଦପୁର ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୫ କୋଟିରୁ ଅଧିକ ଟଙ୍କା ବ୍ୟୟ ହେଉଥିବା ସତ୍ତ୍ୱେ, ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଆପୋଷ ବୁଝାମଣାରେ ନିମ୍ନମାନର କାମ କରାଯାଉଥିବା ଏବଂ ସରକାରୀ ଅର୍ଥ ହଡ଼ପ କରିବା ପାଇଁ ସୁଚିନ୍ତିତ ଅନିୟମିତତା ଚାଲିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗଡ଼ଗୋବିନ୍ଦପୁର ବଡ଼ବନ୍ଧରୁ ମହାନ୍ତି ସନ୍ଧିଗାଁ ପର୍ଯ୍ୟନ୍ତ ରାସ୍ତାକୁ ଦୀର୍ଘଦିନ ଧରି ଖୋଳି ଛାଡ଼ି ଦିଆଯାଇଛି। ରାସ୍ତା ମଝିରେ ବାଲି, ପଥର ଓ ଗୋଡ଼ିର ଗଦା ପଡ଼ିରହିଥିବାରୁ ଅନେକ ଦୁର୍ଘଟଣା ଘଟିଥିବା ଅଭିଯୋଗ ଉଠିଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଭାଗ କେବଳ ଆଖିରେ ଧୂଳି ଦେବା ଭଳି ସାମାନ୍ୟ ବାଲି-ମାଟି ପକାଇ ଦାୟିତ୍ୱ ସାରିଦେଇଥିବାରୁ ଲୋକଙ୍କ କ୍ଷୋଭ ବଢ଼ିଚାଲିଛି।
ସବୁଠାରୁ ଗୁରୁତର ପ୍ରଶ୍ନ ହେଉଛି, ଏତେ ବଡ଼ ପ୍ରକଳ୍ପରେ ସୂଚନା ଫଳକ କେଉଁଠି? ପ୍ରକଳ୍ପର ମୋଟ ବ୍ୟୟ, ଠିକାଦାରଙ୍କ ନାମ, କାର୍ଯ୍ୟ ଅବଧି ଓ ଅନ୍ୟାନ୍ୟ ସରକାରୀ ତଥ୍ୟ ସାଧାରଣ ଲୋକଙ୍କଠାରୁ କାହିଁକି ଲୁଚାଯାଉଛି? ଗଣମାଧ୍ୟମ ପକ୍ଷରୁ ପ୍ରଶ୍ନ ଉଠିଲେ ମଧ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ ଉତ୍ତର ନ ମିଳିବାରୁ ସନ୍ଦେହ ଆହୁରି ଘନୀଭୂତ ହୋଇଛି। ଅଭିଯୋଗ ଅନୁସାରେ, ପ୍ରାଚୀର ନିର୍ମାଣରେ କମ୍ ଗେଜର ରଡ଼, ଅଧିକ ବାଲି, କମ୍ ସିମେଣ୍ଟ ଓ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଛି। ଉଭୟ ପାର୍ଶ୍ୱରେ ପ୍ରାଚୀର ହେବାକୁ ଥିଲେ ମଧ୍ୟ କେବଳ ଗୋଟିଏ ପାର୍ଶ୍ୱରେ କାମ କରାଯାଉଥିବା ସହ ପୂର୍ବରୁ ଥିବା କଲଭର୍ଟକୁ ନୂଆ କାମ ସହ ଯୋଡ଼ି ବିଲ୍ ବଢ଼ାଇବାର ଚେଷ୍ଟା ହେଉଥିବା ନେଇ ମଧ୍ୟ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସେହିପରି କେ. ନୂଆଗାଁରୁ ରାସ୍ତା ପାର୍ଶ୍ୱ ଖୋଳି ଦୁଇ ମାସରୁ ଅଧିକ ସମୟ ଧରି ଛାଡ଼ି ଦିଆଯାଇଥିବାରୁ ପ୍ରତିଦିନ ଦୁର୍ଘଟଣାର ଆଶଙ୍କା ବଢ଼ିଚାଲିଛି।ବି.ଏସ୍.ଏଲ୍.ଏନ୍.ପୁର ନିକଟରେ ନିର୍ମିତ ଅସ୍ଥାୟୀ ଡାଇଭର୍ସନ ରାସ୍ତା ଅତ୍ୟନ୍ତ ସରୁ ଓ ଦୁର୍ବଳ ଥିବାରୁ ବର୍ଷା ଋତୁରେ ଯେକୌଣସି ସମୟରେ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି। ପ୍ରାୟ ୨୦ଟି ଗ୍ରାମର ହଜାର ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ପ୍ରତିଦିନ ସ୍କୁଲ ବସ୍, କଲେଜ ବସ୍, ଟ୍ରକ୍, ଟ୍ରାକ୍ଟର ଓ ଶତାଧିକ ଯାନବାହନ ଚଳାଚଳ କରୁଛି। ଏପରି ସ୍ଥିତିରେ କୌଣସି ବଡ଼ ଧରଣର ଅଘଟଣ ଘଟିଲେ ତାହାର ଦାୟିତ୍ୱ କିଏ ନେବ ବୋଲି ସାଧାରଣ ଲୋକ ପ୍ରଶ୍ନ କରୁଛନ୍ତି।
ଅନ୍ୟପଟେ, ଅଭିଯୋଗ ସମ୍ପର୍କରେ ମତାମତ ନେବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ବିଭାଗୀୟ ଯନ୍ତ୍ରୀ ସହଦେବ ମଢେଇଙ୍କ ସହ ଫୋନ୍ ଯୋଗେ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍ ଗ୍ରହଣ କରିନଥିବା ଅଭିଯୋଗ ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସାମ୍ନାସାମ୍ନି ପଚାରିଲେ ମଧ୍ୟ ସେ ବେପରୁଆ ମନ୍ତବ୍ୟ ଦେଉଛନ୍ତି। ଗ୍ରାମବାସୀଙ୍କ ଦାବି, ସମଗ୍ର ପ୍ରକଳ୍ପର ତୁରନ୍ତ ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟର ଗୁଣବତ୍ତା ଯାଞ୍ଚ କରାଯାଉ ଏବଂ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯାଉ। ନଚେତ୍ ନିମ୍ନମାନର କାମ ଯୋଗୁଁ ଭବିଷ୍ୟତରେ କୌଣସି ଅଘଟଣ ଘଟିଲେ ତାହା ପାଇଁ ସମ୍ପୃକ୍ତ ବିଭାଗ ଓ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ହିଁ ସିଧାସଳଖ ଦାୟୀ କରାଯିବ ବୋଲି ସେମାନେ କଡ଼ା ଚେତାବନୀ ଦେଇଛନ୍ତି।




