ଲଗାତାର ଲଘୁ ଚାପ ଜନିତ ବର୍ଷା ଯୋଗୁଁ ନୂଆପଡ଼ା ଜିଲ୍ଲାର ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ରାତିଠାରୁ ଜାରି ରହିଥିବା ପ୍ରବଳ ବର୍ଷାରେ ଅନେକ ରାସ୍ତା, କଲଭର୍ଟ ଓ ଗ୍ରାମୀଣ ସଡ଼କ ଜଳମଗ୍ନ ହୋଇପଡ଼ିଥିବା ବେଳେ ବହୁ ଅଞ୍ଚଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
ସର୍ବାଧିକ ବର୍ଷା ଜିଲ୍ଲା ରେ ନୂଆପଡ଼ା ବ୍ଲକ ରେ ହୋଇଥିବା ରେକର୍ଡ କରାଯାଇଛି। ଗତ ରାତ୍ରୀ ରୁ, ନୂଆପଡ଼ା ବ୍ଲକ ର ୧୬୪.୮ ଏମ ଏମ, କୋମନା ରେ ୧୩୦.୦ ଏମଏମ, ବୋଡ଼େନ ବ୍ଳକ୍ ରେ ୧୧୭.୦ ଏମଏମ ଓ ସିନାପାଲି ରେ ୭୫.୦ ଏମଏମ ବର୍ଷା ହେବା ର ରେକର୍ଡ କରାଯାଇଛି। ନୂଆପଡ଼ା–ଭେରା ରାସ୍ତାର ଏକ କଲଭର୍ଟ ଉପରେ ପ୍ରାୟ ୩ ଫୁଟ ଉଚ୍ଚରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଭେରା ଗ୍ରାମର ଜିଲ୍ଲା ସଦର ମହକୁମା ସହ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି। ସାରାବଙ୍ଗ – ଆମାନାର ବ୍ରିଜ ଉପରେ ୩ଫୁଟ ପାଣି ଯିବା ଫଳ ରେ ଯାତାୟାତ ବାଧା ପ୍ରାପ୍ତ। ନୂତନ ବ୍ରିଜ ଅର୍ଦ୍ଧ ନିର୍ମିତ, ଶୀଘ୍ର ନିର୍ମାଣ କରିବାକୁ ଦାବି।ସେହିପରି କୋମନା ବ୍ଲକର ଲଖନା ପଞ୍ଚାୟତ ଅନ୍ତର୍ଗତ ଡେଡେଙ୍ଗା–ସୁକ୍ଲିମୁଣ୍ଡି କଚା ରାସ୍ତା ବର୍ଷାରେ ଧୋଇଯାଇ ପ୍ରାୟ ୪ ଫୁଟ ଗଭୀର ଓ ୫ ଫୁଟ ଚଉଡ଼ା ଖାଇ ସୃଷ୍ଟି ହୋଇଛି। ମୁଣ୍ଡପାଲା ପଞ୍ଚାୟତର ସୁଆବାହାଲ ରାସ୍ତା ମଧ୍ୟ ଧୋଇ ଯାଇଥିବା ରୁ ଗ୍ରାମବାସୀଙ୍କ ଯାତାୟାତ ବ୍ୟାହତ ହୋଇଛି।
ସବୁଠାରୁ ଗୁରୁତର ସ୍ଥିତି କୋମନା ବ୍ଲକର ଲଖନା ରେଳ ଅଣ୍ଡରବ୍ରିଜ୍ ନିକଟରେ ଦେଖାଦେଇଛି। ଅଣ୍ଡରବ୍ରିଜ୍ ତଳେ ପ୍ରାୟ ୮ ଫୁଟ ଉଚ୍ଚରେ ପାଣି ଜମିଥିବା ରୁ ଚାରିଚକିଆ ଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ନୂଆପଡ଼ା–ଲଖନା ମଧ୍ୟରେ ସିଧାସଳଖ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଲୋକମାନେ ଦୀର୍ଘ ବିକଳ୍ପ ପଥରେ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମଧୁସୂଦନ ଦାସ ଆଜି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ କୁ ଛୁଟି ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀ ଙ୍କୁ ଘରେ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ି କୁ ସକାଳ ୧୧ ଟା ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗ ବିଭାଗ ଆଗାମୀ କିଛି ଦିନ ଯାଏଁ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି। ଏପଟେ ଲଖନା ରେଳ ଅଣ୍ଡରବ୍ରିଜ୍ ରେ ପ୍ରତିବର୍ଷ ଜଳ ଜମିବା ସମସ୍ୟାର ସ୍ଥାୟୀ ସମାଧାନ କରିବାରେ ସମ୍ବଲପୁର ରେଳ ମଣ୍ଡଳ ବିଫଳ ହୋଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ କୌଣସି ସ୍ଥାୟୀ ବ୍ୟବସ୍ଥା ନ ହେବାରୁ ବର୍ଷା ଋତୁରେ ପ୍ରତିବର୍ଷ ଏଭଳି ଦୁଃଖ ଭୋଗିବାକୁ ପଡ଼ୁଛି ବୋଲି ଗ୍ରାମବାସୀ କହିଛନ୍ତି। ଜଳ ନିଷ୍କାସନ ସୁବିଧା ପାଇଁ ରେଳ ଗେଟ୍ ଖୋଲିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ସହ ସମସ୍ତ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ମିଳିଛି।




