୨୧ କୋଟିର ରେଳଷ୍ଟେସନ ନବୀକରଣ କାମ କଛପ ଗତିରେ : ୫ ଶ୍ରମିକ ଭରସାରେ ଚାଲିଛି ନିର୍ମାଣ, ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

କଳାହାଣ୍ଡି (ଚିତ୍ତରଞ୍ଜନ ବିଷି )କେନ୍ଦ୍ର ସରକାରଙ୍କ ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ ହୋଇଥିବା ଭବାନୀପାଟଣା ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲୁଥିବାରୁ ସାଧାରଣ ଲୋକ ଓ ରେଳ ଯାତ୍ରୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରାୟ ୨୧ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପକୁ ଦୁଇ ବର୍ଷ ପୂରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ୫୦ ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ଅଭିଯୋଗ ହେଉଛି।

ସୂଚନା ଅନୁସାରେ, ଧାନବାଦସ୍ଥିତ ଗୌତମ କନଷ୍ଟ୍ରକସନ ଗ୍ରୁପ ପକ୍ଷରୁ ଏହି ନିର୍ମାଣ କାର୍ଯ୍ୟ କରାଯାଉଛି। କିନ୍ତୁ ସମଗ୍ର ପ୍ରକଳ୍ପରେ ମାତ୍ର ୫ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିବାରୁ କାମର ଗତି ଅତ୍ୟନ୍ତ ଧୀର ହୋଇପଡ଼ିଛି। ସ୍ଥାନୀୟ ଭାବେ କାର୍ଯ୍ୟର ଦାୟିତ୍ୱ ନେଇଥିବା ଠିକାଦାର ଅନ୍ୟ ପ୍ରକଳ୍ପରେ ବ୍ୟସ୍ତ ରହୁଥିବାରୁ ରେଳ ଷ୍ଟେସନର ନିର୍ମାଣ କାର୍ଯ୍ୟ ଅଗ୍ରଗତି କରିପାରୁନଥିବା ଅଭିଯୋଗ ଉଠିଛି।

ବାରମ୍ବାର ଅଭିଯୋଗ ପରେ କିଛିଦିନ ଧରି ବନ୍ଦ ଥିବା କାମ ପୁଣି ଆରମ୍ଭ ହୋଇଥିଲେ ମଧ୍ୟ ମାତ୍ର ୫ ଜଣ ଶ୍ରମିକଙ୍କ ଭରସାରେ ଚାଲୁଥିବା ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ତାହା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ବିଳମ୍ବ ଯୋଗୁଁ ପ୍ରାରମ୍ଭିକ ବ୍ୟୟ ଅଟକଳ ଠାରୁ ପ୍ରାୟ ୩ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ଥିବା ସୂଚନା ମିଳିଛି।

ଅମୃତ ଭାରତ ଯୋଜନାରେ ଦେଶର ୫୦୮ଟି ରେଳ ଷ୍ଟେସନର ଆଧୁନିକୀକରଣ ଲକ୍ଷ୍ୟ ରଖାଯାଇଥିବାବେଳେ ଓଡ଼ିଶାର ୨୫ଟି ଷ୍ଟେସନ ମଧ୍ୟରେ ଭବାନୀପାଟଣା ମଧ୍ୟ ସ୍ଥାନ ପାଇଥିଲା। ତେବେ ନିର୍ମାଣ କାର୍ଯ୍ୟର ଶିଥିଳତା କାରଣରୁ ପ୍ରତିଦିନ ରେଳ ସେବା ବ୍ୟବହାର କରୁଥିବା ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବରିଷ୍ଠ ନାଗରିକ, ମହିଳା ଓ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ପରିସ୍ଥିତି ଅଧିକ କଷ୍ଟଦାୟକ ହୋଇପଡ଼ିଛି।

ଅନ୍ୟପଟେ, ରେଳ ଷ୍ଟେସନର ଦ୍ୱିତୀୟ ପ୍ଲାଟଫର୍ମ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ। ନିର୍ମାଣ ଅବଧି ଶେଷ ହୋଇଥିବା ସତ୍ତ୍ୱେ ଅଧାରୁ ଅଧିକ କାମ ବାକି ରହିଥିବାରୁ ରେଳ ବିଭାଗ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସାଧାରଣରେ ଦାବି ଜୋର ଧରିଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ, ରେଳ କର୍ତ୍ତୃପକ୍ଷଙ୍କ ଅଣଦେଖା ମନୋଭାବ ଏବଂ ଠିକାଦାରୀ ସଂସ୍ଥାର ଅବହେଳା ଯୋଗୁଁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଆଜି ବିଳମ୍ବର ଶିକାର ହୋଇଛି। ତେଣୁ ପ୍ରକଳ୍ପର ଅଗ୍ରଗତି ନେଇ ଉଚ୍ଚସ୍ତରୀୟ ତଦନ୍ତ ସହ ଦାୟୀ ଅଧିକାରୀ ଓ ସଂସ୍ଥା ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *