ଚିତ୍ରକୋଣ୍ଡା ବ୍ଳକର ଦୁର୍ଗମ ଅଞ୍ଚଳରେ ଥିବା ଅନେକ ଗାଁକୁ ଏପର୍ଯ୍ୟନ୍ତ ବିକାଶ ପହଞ୍ଚିପାରି ନାହିଁ| ସେଥିମଧ୍ୟରୁ କପାତୁଟି ପଞ୍ଚାୟତ ଗର୍ମେଣ୍ଟଗୁଡ଼ା ଗାଁର ଲୋକେ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି। ଏହି ଗାଁରେ ୧୫ ପରିବାର ବସବାସ କରୁଥିବା ବେଳେ ନଳକୂଅ ଓ ଘରକୁ ପାଣି ଯୋଗାଇବା ପାଇଁ ପାଇପ୍ ଜଳ ଯୋଜନା ବ୍ୟବସ୍ଥା କରାଯାଇଛି। ହେଲେ ପାଇପ୍ ଜଳ ଯୋଜନା ଏଠାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛି। ସେହିପରି ନଳକୂଅରୁ ପାଣି ଆସୁନାହିଁ। ଫଳରେ ଗ୍ରାମବାସୀଙ୍କ ଏକମାତ୍ର ଭରସା ପାଲଟିଛି ଚୁଆ ପାଣି ଗର୍ମେଣ୍ଟଗୁଡ଼ା ଗାଁର ମହିଳାମାନେ ଟାଏଁ ଟାଏଁ ଖରାରେ କାଖରେ ଛୋଟ ଛୁଆକୁ ସାଙ୍ଗରେ ନେଇ ଚାଲି ଚାଲି ଯାଇ ଚୁଆରୁ ପାଣି ସଂଗ୍ରହ କରୁଛନ୍ତି। ଚୁଆ ପାଣି ପିଇ ଅନେକ ସମୟରେ ଗ୍ରାମବାସୀ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି। ଆଉ ଚିକିତ୍ସା ପାଇଁ ଗୁଣିଆ ଉପରେ ନିର୍ଭର କରନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ସଂପୃକ୍ତ ବିଭାଗ ନିକଟରେ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନାହାନ୍ତି।
ସେହିପରି ସ୍ବାସ୍ଥ୍ୟ ସେବା କଥା ନକହିବା ଭଲ ଗ୍ରାମକୁ ବର୍ଷକୁ ଥରେ କିମ୍ବା ଦୁଇଥର ଆସନ୍ତି ସ୍ବାସ୍ଥ୍ୟକର୍ମୀ। ତେଣୁ ଗ୍ରାମର କେହି ଜ୍ଵର କିମ୍ବା ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହେଲେ ଡାକ୍ତରଖାନା ବଦଳରେ ଦିଶାରି ଓ ଗୁଣିଆ ପାଖକୁ ଯାଆନ୍ତି | ସରକାରଙ୍କ ବିକାଶ କେତେ ଦୂର ଏହି
ଦୁର୍ଗମ ଗାଁରେ ପହଞ୍ଚିଛି, ତାହାର ବାସ୍ତବ ଚିତ୍ର ହେଉଛି ଏହି ଗର୍ମେଣ୍ଟଗୁଡ଼ା ଗାଁ ତେବେ ପ୍ରଶାସନ କେବେ ଏହି ଗାଁରେ ପହଞ୍ଚି ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେଉଛି ଏବଂ ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ପାରୁଛି ତାହା ଦେଖିବାକୁ ବାକି ରହିଲା।




