ସାବଧାନ୍! କେଉଁ ଭୁଲ୍ ପାଇଁ ରଦ୍ଦ ହୋଇପାରେ ଆପଣଙ୍କ DL? ଜାଣନ୍ତୁ ନୂଆ ନିୟମ

ସଡ଼କ ସୁରକ୍ଷା ନିମନ୍ତେ ସରକାରୀ ସ୍ତରରେ ନିଆଯାଉଛି କଡା କାର୍ଯ୍ୟାନୁଷ୍ଠାନ । ଏବେ ନିୟମ ଉଲ୍ଲଙ୍ଘନକାରୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କାରଣ ଖୁବଶୀଘ୍ର ଡ୍ରାଇଭିଂ ଲାଇସେନ୍ସ (DL) ଏବଂ ଭେହିକଲ ରେଜିଷ୍ଟ୍ରେଶନ ସାର୍ଟିଫିକେଟ (RC)କୁ ନେଇ ବଦଳିପାରେ ନିୟମ । ଡ୍ରାଇଭିଂ ଲାଇସେନ୍ସ ଓ RC ପାଇଁ ଏକ ଗ୍ରେଡେଡ ପଏଣ୍ଟ ସିଷ୍ଟମ ଲାଗୁ କରିବା ନେଇ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ବିଚାର କରୁଛି। ଏହାକୁ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏନେଇ ସୂଚନା ଦେଇଛନ୍ତି।

ପ୍ରସ୍ତାବିତ ବ୍ୟବସ୍ଥା ଲାଗୁ ହେଲେ ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଚାଳକଙ୍କ ଲାଇସେନ୍ସ ସସ୍ପେଣ୍ଡ କିମ୍ବା ବାତିଲ ହୋଇପାରେ। ଅନ୍ୟପଟେ ଦାୟିତ୍ୱବାନ ଭାବେ ଗାଡ଼ି ଚଳାଉଥିବା ଏବଂ ସ୍ବଚ୍ଛ ଡ୍ରାଇଭିଂ ରେକର୍ଡ ରଖିଥିବା ଚାଳକଙ୍କୁ ରିୱାର୍ଡ ଦେବାର ମଧ୍ୟ ବ୍ୟବସ୍ଥା ରହିପାରେ।

ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମାନୁଫ୍ୟାକ୍ଚରର୍ସ (SIAM)ର ୬୬ତମ ବାର୍ଷିକ ସମ୍ମିଳନୀରେ ନିତିନ ଗଡ଼କରୀ କହିଛନ୍ତି ଯେ, ମନ୍ତ୍ରଣାଳୟ ଏଭଳି ଏକ ସିଷ୍ଟମ ପ୍ରସ୍ତୁତ କରୁଛି, ଯେଉଁଥିରେ ଟ୍ରାଫିକ ନିୟମ ଉଲ୍ଲଂଘନକୁ ସିଧାସଳଖ ଡ୍ରାଇଭିଂ ଲାଇସେନ୍ସର ରେକର୍ଡ ସହିତ ଯୋଡ଼ାଯିବ।

ଗଡ଼କରୀଙ୍କ କହିବା ଅନୁଯାୟୀ, ଡ୍ରାଇଭିଂ ଲାଇସେନ୍ସ ଓ ଭେହିକଲ ରେଜିଷ୍ଟ୍ରେଶନ ସାର୍ଟିଫିକେଟରେ ଗ୍ରେଡେଡ ପଏଣ୍ଟ ସିଷ୍ଟମ ଆଣିବାକୁ ଯୋଜନା ରହିଛି। ଏହା ଲାଗୁ ହେଲେ ପ୍ରତ୍ୟେକ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଡ୍ରାଇଭିଂ ଲାଇସେନ୍ସରୁ ନିର୍ଦ୍ଦିଷ୍ଟ ପଏଣ୍ଟ କଟାଯିବ। ଯେତେବେଳେ ଜଣେ ଚାଳକଙ୍କ ପେନାଲ୍ଟି ପଏଣ୍ଟ ନିର୍ଦ୍ଦିଷ୍ଟ ସୀମା ବା ଥ୍ରେଶହୋଲ୍ଡରେ ପହଞ୍ଚିବ, ସେତେବେଳେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଏପରିକି ଲାଇସେନ୍ସ ସସ୍‌ପେଣ୍ଡ କିମ୍ବା ବାତିଲ ମଧ୍ୟ କରାଯାଇପାରେ।

ପ୍ରସ୍ତାବିତ ପଏଣ୍ଟ ସିଷ୍ଟମ କେବଳ ନିୟମ ଭାଙ୍ଗୁଥିବା ଚାଳକଙ୍କୁ ଦଣ୍ଡ ଦେବା ପାଇଁ ନୁହେଁ। ଭଲ ଡ୍ରାଇଭିଂ ରେକର୍ଡ ରଖୁଥିବା ଚାଳକଙ୍କୁ ପ୍ରୋତ୍ସାହନ ଦେବାର ମଧ୍ୟ ବ୍ୟବସ୍ଥା ରହିବ। ଯେଉଁ ଚାଳକମାନେ ନିୟମ ମାନି ଦାୟିତ୍ୱବାନ ଭାବେ ଗାଡ଼ି ଚଳାଇବେ ଏବଂ ଯାହାଙ୍କ ଡ୍ରାଇଭିଂ ରେକର୍ଡ ସଫା ରହିବ, ସେମାନଙ୍କୁ ବିଭିନ୍ନ ପ୍ରକାରର ଲାଭ ଦିଆଯାଇପାରେ। ଏଥିରେ ଇନ୍ସୁରାନ୍ସ କମ୍ପାନୀଗୁଡ଼ିକ ପକ୍ଷରୁ ମିଳିପାରୁଥିବା ଇନ୍ସେଣ୍ଟିଭ ମଧ୍ୟ ସାମିଲ ହୋଇପାରେ।

Leave a Reply

Your email address will not be published. Required fields are marked *