ପାର୍ବଣ ଋତୁ ଆରମ୍ଭରୁ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱାସନା; ଗଣେଶ ପୂଜା ଅବସରରେ ଭାରତୀୟ ବୁଲିୟନ୍ ବଜାରରେ ସୁନା ଓ ରୁପା ମୂଲ୍ୟରେ ହଠାତ୍ ହ୍ରାସ ଦେଖିବାକୁ ମିଳିଛି

ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଭଲ ଖବର ଆସିଛି । ଦେଶର ଅଧିକାଂଶ ବଡ଼ ସହରରେ ସୁନା ଦରରେ ହ୍ରାସ ଦେଖାଯାଇଛି । ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଦର ପ୍ରାୟ ସ୍ଥିର ରହିଛି ।

ଗତ ସପ୍ତାହରେ ମଧ୍ୟ ସୁନା ଦର ହ୍ରାସ ପାଇଥିଲା। ୨୪ କ୍ୟାରେଟ୍‌ ସୁନା ପ୍ରାୟ ୨୨୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନା ପ୍ରାୟ ୨୦୦ ଟଙ୍କା ଶସ୍ତା ହୋଇଥିଲା। ସେପ୍ଟେମ୍ବର ୧୪ରେ ଦିଲ୍ଲୀରେ ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୧,୫୪,୭୨୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନାର ଦର ୧,୪୧,୮୪୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି।

ଅନ୍ୟ ସହରଗୁଡ଼ିକରେ ମଧ୍ୟ ସୁନା ଦରରେ ହ୍ରାସ ଦେଖାଯାଇଛି। ମୁମ୍ବାଇ ଓ କୋଲକାତାରେ ୨୪ କ୍ୟାରେଟ୍‌ ସୁନା ୧,୫୪,୫୭୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନା ୧,୪୧,୬୯୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି। ଚେନ୍ନାଇରେ ମଧ୍ୟ ସମାନ ଦର ରହିଛି। ଯଦି ଭୁବନେଶ୍ବରରେ ସୁନା ଦର ଦେଖିବା ତାହେଲେ ୨୪ କ୍ୟାରେଟ୍‌ ସୁନା ୧୫୪୦୯୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍‌ ସୁନା ୧୪୧୨୫୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି।

ସୁନା ସହ ରୁପା ଦରରେ ମଧ୍ୟ ହ୍ରାସ ଦେଖାଯାଇଛି। ସେପ୍ଟେମ୍ବର ୧୪ ସକାଳେ ରୁପା ଦର କମି ପ୍ରାୟ ୨,୪୪,୯୦୦ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି। ଗତ ସପ୍ତାହରେ ରୁପା ଦରରେ ପ୍ରାୟ ୫,୦୦୦ ଟଙ୍କାର ହ୍ରାସ ରେକର୍ଡ ହୋଇଥିଲା। ଭୁବନେଶ୍ବରରେ ରୁପା ଦର ୨ଲକ୍ଷ ୫୦ ହଜାର ଟଙ୍କା ରହିଛି ।

ଅନ୍ତର୍ଜାତୀୟ ବଜାରରେ ମଧ୍ୟ ରୁପା ଦର ହ୍ରାସ ପାଇଛି। ରିପୋର୍ଟ ଅନୁସାରେ, ସ୍ପଟ୍‌ ସିଲଭର ପ୍ରାୟ ୬୪.୫୪ ଡଲାର ପ୍ରତି ଆଉନ୍ସରେ କାରବାର କରୁଛି। ଏହାର ପ୍ରଭାବ ଘରୋଇ ବଜାରରେ ମଧ୍ୟ ପଡ଼ୁଛି।ବିଶେଷଜ୍ଞଙ୍କ ମତରେ ଆଗାମୀ ଦିନରେ ସୁନା ଦର ଉପରେ ଆମେରିକୀୟ ଫେଡେରାଲ୍‌ ରିଜର୍ଭର ନୀତି, ଅଶୋଧିତ ତୈଳ ଦର, ଡଲାରର ଗତି, ମୁଦ୍ରାସ୍ଫୀତି ଆଶା ଏବଂ ବିଶ୍ୱସ୍ତରୀୟ ତଣାପୋଡ଼ର ପ୍ରଭାବ ପଡ଼ିବ ।

Leave a Reply

Your email address will not be published. Required fields are marked *