କଳାହାଣ୍ଡି (ଚିତ୍ତରଞ୍ଜନ ବିଷି )କଳାହାଣ୍ଡି ଜିଲ୍ଲା ବିକାଶ ସମନ୍ୱୟ ଓ ମନିଟରିଂ କମିଟି (DISHA) ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଉପସ୍ଥାପିତ ICDS କାର୍ଯ୍ୟକଳାପ ରିପୋର୍ଟ ଜିଲ୍ଲାର ଶିଶୁ ପୁଷ୍ଟି, ଅଙ୍ଗନବାଡ଼ି ସେବା, ମାତୃ ସ୍ୱାସ୍ଥ୍ୟ ଓ ମିଶନ ଶକ୍ତି କାର୍ଯ୍ୟକ୍ରମର ଏକ ବିସ୍ତୃତ ଚିତ୍ର ସାମ୍ନାକୁ ଆଣିଛି। ରିପୋର୍ଟରେ ଅନେକ ସଫଳତାର ତଥ୍ୟ ଥିବା ସତ୍ତ୍ୱେ ଜିଲ୍ଲାରେ ୮୦୨ ଜଣ ଗୁରୁତର କୁପୋଷିତ ଶିଶୁ ଚିହ୍ନଟ ହେବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
ଜିଲ୍ଲାରେ ବର୍ତ୍ତମାନ ୧୪ଟି ICDS ପ୍ରକଳ୍ପ, ୯୫ଟି ସୁପରଭାଇଜର ସେକ୍ଟର ଓ ୨,୩୭୭ଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ କରୁଛି। ୩ରୁ ୬ ବର୍ଷ ବୟସର ୭୨,୫୨୭ ଜଣ ଶିଶୁ ଚିହ୍ନଟ ହୋଇଥିବା ବେଳେ ୫୮,୧୨୫ ଜଣ ଅଙ୍ଗନବାଡ଼ି ପ୍ରି-ସ୍କୁଲରେ ନାମଲେଖା କରିଛନ୍ତି। ଅନ୍ୟପଟେ ୧୨,୪୦୨ ଜଣ ଶିଶୁ ଅନ୍ୟ ବିଦ୍ୟାଳୟକୁ ଯାଉଥିବା ତଥ୍ୟ ରିପୋର୍ଟରେ ଦିଆଯାଇଛି।
ପୂରକ ପୁଷ୍ଟିକର ଖାଦ୍ୟ (SNP) ଯୋଜନା ଅଧୀନରେ ୧ ଲକ୍ଷ ୫୧ ହଜାର ୫୩୨ ଜଣ ହିତାଧିକାରୀ ଲାଭ ପାଉଛନ୍ତି। ଏଥିରେ ୧୨,୬୫୬ ଜଣ ଗର୍ଭବତୀ, ୧୧,୫୪୩ ଜଣ ପ୍ରସୂତି ମା’, ୫୪,୮୦୬ ଜଣ ୬ ମାସରୁ ୩ ବର୍ଷର ଶିଶୁ ଏବଂ ୭୨,୫୨୭ ଜଣ ୩ରୁ ୬ ବର୍ଷର ଶିଶୁ ସାମିଲ ଅଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ୨୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଚତୁଆ ପ୍ରସ୍ତୁତ ଓ ବଣ୍ଟନ କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ରିପୋର୍ଟର ସବୁଠାରୁ ସମ୍ବେଦନଶୀଳ ତଥ୍ୟ ହେଉଛି ଶିଶୁଙ୍କ ପୁଷ୍ଟି ସ୍ଥିତି। ୦ରୁ ୫ ବର୍ଷ ବୟସର ୧,୧୨,୮୧୮ ଜଣ ଶିଶୁଙ୍କ ମଧ୍ୟରୁ ୧,୧୨,୭୭୨ ଜଣଙ୍କ ଓଜନ ମପାଯାଇଛି, ଯାହା ପ୍ରାୟ ୯୯.୯୭ ପ୍ରତିଶତ। ସେଥିମଧ୍ୟରୁ ୧,୦୮,୩୪୨ ଜଣ (୯୬.୦୭%) ଗ୍ରୀନ ଜୋନରେ, ୩,୪୫୮ ଜଣ (୩.୦୭%) ହଳଦିଆ ଜୋନରେ ଏବଂ ୮୦୨ ଜଣ (୦.୭୧%) ଅରେଞ୍ଜ ଜୋନ ବା ଗୁରୁତର କୁପୋଷଣରେ ଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ୮୦୨ ଜଣ ଶିଶୁଙ୍କୁ NRC କେନ୍ଦ୍ରକୁ ରେଫର କରାଯାଉଥିବା ଉଲ୍ଲେଖ ରହିଛି।
ଏହାଛଡ଼ା VHND କାର୍ଯ୍ୟକ୍ରମ ମାଧ୍ୟମରେ ୧୨,୬୧୮ ଜଣ ଗର୍ଭବତୀ, ୧୧,୫୨୧ ଜଣ ପ୍ରସୂତି ମା’, ୩୬,୩୧୩ ଜଣ ୦–୩ ବର୍ଷ ଏବଂ ୫୮,୧୨୫ ଜଣ ୩–୬ ବର୍ଷର ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ସୂଚନା ରହିଛି। ମମତା ଯୋଜନାରେ ୩,୪୨୧ ଜଣ ପ୍ରଥମ କିସ୍ତି ଓ ୩,୩୫୭ ଜଣ ଦ୍ୱିତୀୟ କିସ୍ତି ପାଇଛନ୍ତି।
ମିଶନ ଶକ୍ତି କ୍ଷେତ୍ରରେ ମଧ୍ୟ କଳାହାଣ୍ଡି ଆଗରେ ରହିଛି। ଜିଲ୍ଲାରେ ୨୧,୬୦୬ଟି ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସହ ୨,୨୧,୪୫୩ ଜଣ ମହିଳା ସଦସ୍ୟ ଯୋଡ଼ି ହୋଇଛନ୍ତି। ୨୦୨୫–୨୬ ଆର୍ଥିକ ବର୍ଷରେ ୧୦,୦୬୬ଟି SHGକୁ ₹୪୫୬.୨୭ କୋଟିରୁ ଅଧିକ ବ୍ୟାଙ୍କ ଋଣ ଦିଆଯାଇଥିବା ବେଳେ ୯,୭୪୧ଟି SHGକୁ ₹୧୨.୨ କୋଟି ସୁଧ ସବସିଡି ମିଳିଛି।
ତେବେ ରିପୋର୍ଟରେ ଦର୍ଶାଯାଇଥିବା ସଫଳତା ସହ ୮୦୨ ଗୁରୁତର କୁପୋଷିତ ଶିଶୁଙ୍କ ପୁନର୍ବାସ, ଅଙ୍ଗନବାଡ଼ି କେନ୍ଦ୍ରର ମୌଳିକ ସୁବିଧା, ପୁଷ୍ଟିକର ଖାଦ୍ୟର ଗୁଣବତ୍ତା ଓ ମମତା ଯୋଜନାର ସମ୍ପୂର୍ଣ୍ଣ କଭରେଜ୍ ନେଇ ପ୍ରଶାସନର ଅଧିକ ଜବାବଦେହିତା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। DISHA ବୈଠକରେ ଉଠିଥିବା ଏହି ତଥ୍ୟଗୁଡ଼ିକ ଆଗାମୀ ଦିନରେ ଜିଲ୍ଲାର ଶିଶୁ ଓ ମାତୃ କଲ୍ୟାଣ କାର୍ଯ୍ୟକ୍ରମର ପ୍ରକୃତ ପ୍ରଭାବକୁ ନେଇ ଅଧିକ ସମୀକ୍ଷାର ଆବଶ୍ୟକତା ସୂଚିତ କରୁଛି।




