ରାଜ୍ୟରେ ରବି ଧାନ କିଣାବିକା ଅବଧି ଯେତେ ବିତୁଛି, ସେତିକି ଚାଷୀ ସମସ୍ୟା ବଢ଼ିବାରେ ଲାଗିଛି l କେତେବେଳେ ଟୋକନ ତ ଆଉ କେତେବେଳେ କଟନୀ ଛଟଣୀ ଚାଷୀଙ୍କ ଦୁଃଖ ଦ୍ବିଗୁଣିତ କରିଛି l ତାହା ସତ୍ତ୍ୱେ ଯେତେବେଳେ ମଣ୍ଡି ଧାନ ମିର୍ଲସ ହେଡ଼ କୁ ଆସୁଛି ସେଠାରେ ବି ଚାଷୀଙ୍କୁ ହଇରାଣ ହରକତ ହେବାକୁ ପଡୁଛି l ଏପରି ଏକ ଘଟଣା ବୁଧବାର ଚୋରୀ ଧାନ ବୋଝେଇ ଟ୍ରକ ଜବତ ହେବା ପରେ ସାମ୍ନାକୁ ଆସିଛି l ସମ୍ବଲପୁର ଜିଲା ଠେମରା ସୋସାଇଟି ମାଧ୍ୟମରେ ଗତ ୬ ତାରିଖ ବୁଧବାର ମାନେଶ୍ଵର ବ୍ଲକ ଗମ୍ଭାରକଟା ଗ୍ରାମର ଚାଷୀ ଶୁଭମ ସାହୁଙ୍କ ୫୬୩ ପ୍ୟାକେଟରେ ୨୨୪ କ୍ୟୁଣ୍ଟାଲ ଧାନ ଗତ ଜଗଦମ୍ବା ରାଇସ ଇଣ୍ଡଷ୍ଟ୍ରିକୁ ଆସିଥିଲା l
ଧାନ ଆସିଥିବା ଟ୍ରକ ନମ୍ବର OD15 ଏସ 1887 ସେହିଦିନରୁ ଜଗଦମ୍ବା ରାଇସ ଇଣ୍ଡଷ୍ଟ୍ରି ସାମ୍ନାରେ ଛିଡା ହୋଇଥିଲା l ଚାଷୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଟ୍ରକରୁ ଧାନ ଅନଲୋଡ଼ ହୋଇନଥିବା ଚାଷୀ ଅଭିଯୋଗ କରିଛନ୍ତି l ଜଗଦମ୍ବା ରାଇସ ଇଣ୍ଡଷ୍ଟ୍ରି ସାମ୍ନାରେ ଛିଡା ହୋଇଥିବା ଟ୍ରକଟି ବୋଝେଇ ହୋଇଥିବା ଧାନ ସହ ଗତକାଲି ଜୁନ ୯ ତାରିଖ ମଙ୍ଗଳବାର ରାତ୍ରିରେ ଚୋରୀ ହୋଇଯାଇଥିଲା l ଚୋରୀ କରି ନେଇ ପଳାଉଥିବା ଟ୍ରକ ଟି କୌଣସି କାରଣ ବଶତଃ ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ ଗୋଡ଼ଭଗା- ସୋନପୁର ୫୪ ନମ୍ବର ରାଜ୍ୟ ରାଜପଥର କୁମ୍ବେଲସିଂହା ପାଖରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା l ଘଟଣାସ୍ଥଳରୁ ଚୋରୀ କରି ନେଉଥିବା ଚୋର ଫେରାର ହୋଇଯାଇଥିଲା l ଖବର ପାଇ ଗୋଡ଼ଭଗା ଫାଣ୍ଡି ଅଧିକାରୀ ଗଣେଶ ବାରିକ ଟ୍ରକକୁ ଜବତ କରି ତନାଘନା କରିବା ପରେ ଘଟଣା ପଦାକୁ ଆସିଥିଲା l ଏନେଇ ଅତାବିରା ଥାନାରେ ଏକ ମାମଲା ଦାୟର ହୋଇ ଅଜଣା ଚୋର କୁ ଖୋଜା ଚାଲିଛି l




