ଅବକାରୀ ବିଭାଗର ସମୀକ୍ଷା ବୈଠକ; ଚୋରା ମଦ ଦୋକାନ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।

ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅବକାରୀ ବିଭାଗର କାର୍ଯ୍ୟାବଳୀ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ସମସ୍ତଙ୍କୁ ସ୍ୱାଗତ ଜଣାଇ ଜିଲ୍ଲାରେ ଅବକାରୀ ବିଭାଗ ପକ୍ଷରୁ କରାଯାଉଥିବା ଅବୈଧ ମଦ ବିରୋଧୀ ଚଢ଼ାଉ ଏବଂ ରାଜସ୍ୱ ଆଦାୟ ଉପରେ ବିସ୍ତୃତ ସୂଚନା ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ଚୋରା ମଦ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଅବକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ଅବୈଧ ଭାବେ ଚୋରା ମଦ ବିକ୍ରି କରୁଥିବା ଦୋକାନ ଓ ଆଡ୍ଡାଗୁଡ଼ିକୁ ଚିହ୍ନଟ କରି ଉଚ୍ଛେଦ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଚଳିତ ଆର୍ଥିକ ବର୍ଷରେ ମେ ମାସ ସୁଦ୍ଧା ଜିଲ୍ଲାରେ ବେଆଇନ ମଦ କାରବାର ବିରୁଦ୍ଧରେ ମୋଟ ୨୭୪ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୧୭୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏହି ଅବଧିରେ ୩୦୬୯ ଲିଟର ଚୋରା ମଦ, ୬୯,୧୨୦ ଲିଟର ଫର୍ମେଣ୍ଟେଡ୍ ୱାଶ୍, ୨୨୭.୫୫ କ୍ୱିଣ୍ଟାଲ ମହୁଲ ଫୁଲ ଏବଂ ୧୪.୮ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ବୈଠକରେ ସୂଚନା ଦିଆଯାଇଥିଲା।


ଅବକାରୀ ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ମେ ମାସ ସୁଦ୍ଧା ୨ କୋଟି ୭୮ ଲକ୍ଷ ୨୬ ହଜାର ୨୭୮ ଟଙ୍କା ରାଜସ୍ୱ ସଂଗ୍ରହ କରାଯାଇଥିବା ବୈଠକରେ ଅବଗତ କରାଯାଇଥିଲା। ଜିଲ୍ଲାପାଳ ଆଇଏମଏଫଏଲ୍ ‘ଅଫ୍’ ଦୋକାନଗୁଡ଼ିକର ବନ୍ଦୋବସ୍ତ ନିମନ୍ତେ ଲଟେରି ପ୍ରକ୍ରିୟାକୁ ସୁଚାରୁରୂପେ ସମ୍ପନ୍ନ କରିଥିବାରୁ ଅବକାରୀ ବିଭାଗକୁ ପ୍ରଶଂସା କରିଥିଲେ। ବୈଠକରେ ଅବକାରୀ ନିରୀକ୍ଷକ ହୀରାବତୀ ଥାଟି, ସେକ୍ସନ ଅଫିସର ସୌମ୍ୟକାନ୍ତ ଓଟ୍ଟା, ଅବକାରୀ ଉପ-ନିରୀକ୍ଷକ ବୃନ୍ଦାବତୀ ଭୁଆ, ଅବକାରୀ ସହକାରୀ ଉପ-ନିରୀକ୍ଷକ ବଳଭଦ୍ର ରାଉତଙ୍କ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *