ପାରଳାଖେମୁଣ୍ଡି, ପ୍ରଭାତ କୁମାର ପାତ୍ର- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବଚ୍ଛତା ଓ ପରିବେଶ ସୁରକ୍ଷାକୁ ଗୁରୁତ୍ବ ଦେଇ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗଜପତି ଜିଲ୍ଲାରେ ତାହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଦେଖିବାକୁ ମିଳୁଛି। ‘ସ୍ବଚ୍ଛତା ହିଁ ସେବା’ ଅଭିଯାନର ପ୍ରଚାର ବ୍ୟାପକ ଭାବେ ହେଉଥିବା ସତ୍ତ୍ବେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପୋଖରୀର ଦୟନୀୟ ଅବସ୍ଥା ସ୍ବଚ୍ଛତା ଅଭିଯାନର ବାସ୍ତବତାକୁ ପଦାରେ ପକାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏହି ପୋଖରୀର ଗୋଟିଏ ପାର୍ଶ୍ଵରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଓ ଅନ୍ୟ ପାର୍ଶ୍ଵରେ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ରହିଛି। ଏହାସହ ପରିସରରେ ଚାରିରୁ ଅଧିକ ଜିଲ୍ଲାସ୍ତରୀୟ ସଭାଗୃହ ଅବସ୍ଥିତା ପ୍ରତିଦିନ ଏଠାରେ ବିଭିନ୍ନ ସରକାରୀ ବୈଠକ ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ସତ୍ତ୍ବେ ପୋଖରୀର ରକ୍ଷଣାବେକ୍ଷଣ ପ୍ରତି କାହାରି ନଜର ପଡୁନାହିଁ ।
ଦୀର୍ଘଦିନ ଧରି ଅବହେଳିତ ହୋଇ ପଡ଼ିଥିବା ଏହି ପୋଖରୀ ଚାରିପାଖରେ ଗଛ, ବୁଦା ଓ ଘାସ ବଢ଼ିଯାଇଛି| ପୋଖରୀ ପାଣି ଉପରେ ପ୍ଲାଷ୍ଟିକ ବୋତଲ, ପଲିଥିନ, ବିଲାତି ଦଳ ସମେତ ବିଭିନ୍ନ ପ୍ରକାରର ଆବର୍ଜନା ଭାସୁଥିବା ଦେଖିବାକୁ ମିଳୁଛି। ବନ୍ଧ କଡ଼ରେ ମଇଳା ଜମି ରହିଥିବାରୁ ଦୁର୍ଗନ୍ଧ ସୃଷ୍ଟି ହେବା ସହ ମଶା ଓ ମାଛିଙ୍କ ପ୍ରାଦୁର୍ଭାବ ବଢ଼ୁଥିବାରୁ ସ୍ଥାନୀୟ ଲୋକ ଚିନ୍ତା ପ୍ରକାଶ କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଏକଦା ଏହି ପୋଖରୀ କାର୍ଯ୍ୟାଳୟ ପରିସରର ସୌନ୍ଦର୍ଯ୍ୟ ବଢ଼ାଇବା ସହ ପ୍ରମୁଖ ଆକର୍ଷଣୀୟ ଥିଲା। କିନ୍ତୁ ରକ୍ଷଣାବେକ୍ଷଣର ଅଭାବ ଓ ପ୍ରଶାସନିକ ଉଦାସୀନତା ଯୋଗୁଁ ବର୍ତ୍ତମାନ ଏହା ଅପରିଚ୍ଛନ୍ନତାର କେନ୍ଦ୍ର ପାଲଟିଯାଇଛି। ସବୁଠାରୁ ବଡ଼ କଥା ହେଉଛି, ଏହି ପୋଖରୀ ପାଖଦେଇ ପ୍ରତିଦିନ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ନିର୍ବାଚିତ ପ୍ରତିନିଧି, ବିଭିନ୍ନ ନେତା ଓ ମନ୍ତ୍ରୀମାନେ ଯାତାୟାତ କରୁଥିବା ସତ୍ତ୍ବେ ଏହି ସମସ୍ୟା ପ୍ରତି କାହାରି ଦୃଷ୍ଟି ଆକର୍ଷିତ ହେଉନାହିଁ । ଅଧିକ ଆଶ୍ଚର୍ଯ୍ୟର ବିଷୟ ହେଉଛି, ପୋଖରୀ ନିକଟରେ ‘ସ୍ବଚ୍ଛତା ହିଁ ସେବା’ର ପ୍ରଚାର ଫଳକ ଲାଗିଥିବା ସତ୍ତ୍ବେ ତାହାର ଚାରିପାଖରେ ଅପରିଚ୍ଛନ୍ନ ପରିବେଶ ଦେଖିବାକୁ ମିଳୁଛି। ଏଥିରୁ ସାଧାରଣରେ ଚର୍ଚ୍ଚା ହେଉଛି ଯେ, ସ୍ବଚ୍ଛତା ଅଭିଯାନ କେବଳ ବ୍ୟାନର ଓ ପ୍ରଚାରରେ ସୀମିତ ରହିଯାଇଛି। ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ପ୍ରଶାସନକୁ ତୁରନ୍ତ ପୋଖରୀର ସଫେଇ, ଆବର୍ଜନା ଅପସାରଣ, ନିୟମିତ ରକ୍ଷଣାବେକ୍ଷଣ ଏବଂ ସୌନ୍ଦର୍ଯ୍ୟାକରଣ ପାଇଁ ସ୍ଥାୟୀ ପଦକ୍ଷେପ ନେବାକୁ ଦାବି କରିଛନ୍ତି।




