ପାରଳାଖେମୁଣ୍ଡି, – ଗଜପତି ଜିଲ୍ଲା ରାୟଗଡ଼ ହାଟପଦା ନିକଟସ୍ଥ ବସ୍ତି ପାଖରେ ଥିବା ସରକାରୀ ଠିପି ବନ୍ଦ ମଦ ଦୋକାନକୁ ଉଚ୍ଛେଦ ଦାବିରେ ସ୍ଥାନୀୟ ବସ୍ତିବାସୀନ୍ଦା ମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ରାୟଗଡ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟଳୟରେ ପ୍ରଶାସନ ପକ୍ଷରୁ ଆଜି ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତହୋଇଥିବା ବେଳେ ସେଠାରେ ଏହି ଦାବି ଜଣାଇଛନ୍ତି । ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଉକ୍ତ ମଦ ଦୋକାନଟି ଆର୍ଆଇ କାର୍ଯ୍ୟାଳୟ, ପିଏଚ୍ଡି କାର୍ଯ୍ୟାଳୟ, କୃଷି ବିଭାଗ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟ, ଆଇଟିଆଇ ଓ ଏକ ମନ୍ଦିର ନିକଟରେ ଅବସ୍ଥିତ। ସରକାରୀ ନିୟମ ଅନୁଯାୟୀ ଏଭଳି ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ଧାର୍ମିକ ସ୍ଥାନର ୫୦୦ ମିଟର ପରିସର ମଧ୍ୟରେ ମଦ ଦୋକାନ ରହିବା ଉଚିତ ନୁହେଁ।
ତଥାପି ଏହି ନିୟମକୁ ଉଲ୍ଲଂଘନ କରି ମଦ ଦୋକାନ ଚାଲୁ ରହିଥିବା ଅଭିଯୋଗ କରାଯାଇଛି। ସ୍ଥାନୀୟ ବାସିନ୍ଦା ଙ୍କ ଅଭିଯୋଗ ପ୍ରକାରେ ମଦ୍ୟପ ବ୍ୟକ୍ତିମାନେ ରାସ୍ତାକଡ଼ରେ ଅଶୋଭନୀୟ କାର୍ଯ୍ୟ କରିବା ସହ ଅଶ୍ଳୀଳ ଭାଷାରେ ପାଟିତୁଣ୍ଡ କରୁଥିବାରୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, ମହିଳା ଏବଂ ସାଧାରଣ ଲୋକ ଯାତାୟାତ ସମୟରେ ଅସୁରକ୍ଷିତ ମନେ କରୁଛନ୍ତି। ଏପରି ପରିସ୍ଥିତିରେ ଜନସ୍ୱାର୍ଥ ଦୃଷ୍ଟିରୁ ଉକ୍ତ ସ୍ଥାନରୁ ସରକାରୀ ମଦ ଦୋକାନକୁ ତୁରନ୍ତ ଉଚ୍ଛେଦ କରିବାକୁ ପ୍ରଶାସନଙ୍କ ନିକଟରେ ଦାବି ଜଣାଇଛନ୍ତି।




