ରଙ୍ଗ ବଦଳିଲା, ବିଧାୟକ ବଦଳିଲେ; ହେଲେ ସରିଲାନି ଧର୍ମଗଡ଼ ରେଡ୍‌କ୍ରସ୍ ଟାଉନ୍ ହଲ୍‌ର ନବୀକରଣ କାର୍ଯ୍ୟ

ଧର୍ମଗଡ଼ ଅଞ୍ଚଳର ସାମାଜିକ ଓ ସରକାରୀ କାର୍ଯ୍ୟକ୍ରମକୁ କମ୍ ଖର୍ଚ୍ଚରେ ଆୟୋଜନ କରିବା ଉଦ୍ଦେଶ୍ୟରେ ନିର୍ମିତ ରେଡ୍‌କ୍ରସ୍ ଟାଉନ୍ ହଲ୍ ଆଜି ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରାୟ ଦୁଇ ଦଶନ୍ଧିର ଇତିହାସ ବହନ କରୁଥିବା ଏହି ଟାଉନ୍ ହଲ୍‌ର ନବୀକରଣ ପାଇଁ ୨୦୨୪ ମସିହାରେ ୨ କୋଟି ୭୭ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇ ଟେଣ୍ଡର ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାମ ସମ୍ପୂର୍ଣ୍ଣ ହୋଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି।

ଧର୍ମଗଡ଼ ରେଡ୍‌କ୍ରସ୍ ଟାଉନ୍ ହଲ୍‌ର ପରିକଳ୍ପନା ୨୦୦୪ ମସିହାରେ ତତ୍କାଳୀନ ଉପଜିଲ୍ଲାପାଳ ଭି. କେ. ପାଣ୍ଡିଆନଙ୍କ କାର୍ଯ୍ୟକାଳରେ ଆରମ୍ଭ ହୋଇଥିଲା। ପରେ ୨୦୦୯ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। ୧୫ ଜାନୁଆରି ୨୦୧୩ରେ ତତ୍କାଳୀନ ସାଂସଦ ଭକ୍ତ ଚରଣ ଦାସ ଏହାର ଲୋକାର୍ପଣ କରିଥିଲେ। ଲୋକାର୍ପଣ ପରେ କିଛି ବର୍ଷ ଧରି ଏହି ଟାଉନ୍ ହଲ୍‌ରେ ସରକାରୀ ବୈଠକ, ସାମାଜିକ କାର୍ଯ୍ୟକ୍ରମ, ବିବାହ, ସଚେତନତା ସଭା ସମେତ ବିଭିନ୍ନ କାର୍ଯ୍ୟକ୍ରମ ନିୟମିତ ଭାବେ ଅନୁଷ୍ଠିତ ହେଉଥିଲା। ଏଥିରୁ ରେଡ୍‌କ୍ରସ୍ ସଂସ୍ଥା ମଧ୍ୟ ଭଡ଼ା ବାବଦରେ ଉଲ୍ଲେଖନୀୟ ରାଜସ୍ୱ ପାଉଥିଲା।

ସମୟକ୍ରମେ ଟାଉନ୍ ହଲ୍‌ର ଅବସ୍ଥା ଜରାଜୀର୍ଣ୍ଣ ହେବାରୁ ଏହାର ନବୀକରଣ ପାଇଁ ସ୍ଥାନୀୟ ଜନସାଧାରଣ ଦାବି ଉଠାଇଥିଲେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ଧର୍ମଗଡ଼ ଗସ୍ତ ସମୟରେ ତତ୍କାଳୀନ ବିଧାୟକ ମୌସୁଧି ବାଗ ଓ ସ୍ଥାନୀୟ ବାସିନ୍ଦାମାନେ ଏହି ପ୍ରସଙ୍ଗ ଉଠାଇଥିଲେ। ଏହାପରେ ୨୦୨୪ ମସିହାରେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ ୨.୭୭ କୋଟି ଟଙ୍କାର ବ୍ୟୟବରାଦରେ ଟେଣ୍ଡର ଆହ୍ୱାନ କରାଯାଇଥିଲା। ପ୍ରକଳ୍ପରେ ସିଭିଲ କାମ, ବିଦ୍ୟୁତୀକରଣ, ନୂତନ ଟ୍ରାନ୍ସଫର୍ମର, ପାନୀୟ ଜଳ ବ୍ୟବସ୍ଥା ଏବଂ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ (AC) ବ୍ୟବସ୍ଥା କରିବାର ପ୍ରସ୍ତାବ ଥିଲା।

ଅଭିଯୋଗ ଅନୁଯାୟୀ, ଟେଣ୍ଡର ଜଣେ ଠିକାଦାରଙ୍କ ନାମରେ ହୋଇଥିବା ବେଳେ କାମର କିଛି ଅଂଶ ଅନ୍ୟ ଜଣେ ଠିକାଦାର କରିଥିବା କଥା ସ୍ଥାନୀୟ ମହଲରେ ଆଲୋଚନାର ବିଷୟ ପାଲଟିଛି। ବର୍ତ୍ତମାନ ସୁଦ୍ଧା ଟାଉନ୍ ହଲ୍‌ର ବାହ୍ୟ ମରାମତି ଓ ରଙ୍ଗ କାମ ପ୍ରାୟ ଶେଷ ହୋଇଥିଲେ ମଧ୍ୟ ଭିତରର ମୁଖ୍ୟ କାମ, ବିଦ୍ୟୁତ ବ୍ୟବସ୍ଥା, ଶୀତତାପ ନିୟନ୍ତ୍ରଣ ଓ ଅନ୍ୟାନ୍ୟ ସୁବିଧା ସମ୍ପୂର୍ଣ୍ଣ ହୋଇନାହିଁ।

ଅନ୍ୟପକ୍ଷରେ, ଟେଣ୍ଡର ନେଇଥିବା ଠିକାଦାରଙ୍କ କହିବା ଅନୁସାରେ, ମୋଟ ୨.୭୭ କୋଟି ଟଙ୍କା ମଧ୍ୟରୁ କେବଳ ପ୍ରାୟ ୧ କୋଟି ୪୧ ଲକ୍ଷ ଟଙ୍କାର ପାଣ୍ଠି ମିଳିଥିବାରୁ ସେହି ଅନୁଯାୟୀ କାମ କରାଯାଇଛି। ଅବଶିଷ୍ଟ ପାଣ୍ଠି ମିଳିନଥିବାରୁ କାମ ସମ୍ପୂର୍ଣ୍ଣ କରିବା ସମ୍ଭବ ହୋଇନାହିଁ।

ଏହି ପ୍ରସଙ୍ଗରେ କାର୍ଯ୍ୟର ତଦାରଖ କରୁଥିବା କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯିବାରୁ ସେ ତୁରନ୍ତ କୌଣସି ପ୍ରତିକ୍ରିୟା ନଦେଇ ପରେ କଥା ହେବେ ବୋଲି କହିଥିବା ଜଣାପଡ଼ିଛି।

ଧର୍ମଗଡ଼ ସହରର ଦ୍ରୁତ ବିକାଶ ସହ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମର ସଂଖ୍ୟା ବଢ଼ୁଥିବା ବେଳେ ଏକ ସୁସଜ୍ଜିତ ଟାଉନ୍ ହଲ୍‌ର ଆବଶ୍ୟକତା ଅଧିକ ଅନୁଭୂତ ହେଉଛି। ବେସରକାରୀ କଲ୍ୟାଣ ମଣ୍ଡପରେ ବିବାହ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ଆର୍ଥିକ ଭାବେ ଦୁର୍ବଳ ପରିବାରମାନେ ବେଶ ସମସ୍ୟାରେ ପଡ଼ୁଛନ୍ତି। ସେଥିପାଇଁ ଏହି ଟାଉନ୍ ହଲ୍ ଶୀଘ୍ର କାର୍ଯ୍ୟକ୍ଷମ ହେଲେ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି ମିଳିବ ବୋଲି ସ୍ଥାନୀୟ ଲୋକଙ୍କ ମତ।

ଏହାକୁ ନେଇ ଅଞ୍ଚଳବାସୀଙ୍କ ଦାବି ହେଉଛି ଯେ, ପ୍ରକଳ୍ପ କାହିଁକି ଅଧାରେ ଅଟକି ରହିଛି, ପାଣ୍ଠି ବିଳମ୍ବର ପ୍ରକୃତ କାରଣ କଣ ଏବଂ କାମରେ କୌଣସି ଅନିୟମିତତା ଘଟିଛି କି ନାହିଁ, ସେନେଇ ଜିଲ୍ଲା ପ୍ରଶାସନ ଓ ପୂର୍ତ୍ତ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ସେହିସହିତ ଅବଶିଷ୍ଟ ପାଣ୍ଠି ଶୀଘ୍ର ମଞ୍ଜୁର କରି ଟାଉନ୍ ହଲ୍‌ର ନବୀକରଣ କାମ ସମାପ୍ତ କରି ସାଧାରଣ ଲୋକଙ୍କ ପାଇଁ ଖୋଲିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ରାଜନୈତିକ ମହଲରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ବଢ଼ୁଛି। ସ୍ଥାନୀୟ ସ୍ତରରେ କେତେକ ଲୋକ କହୁଛନ୍ତି— “ସରକାର ବଦଳିଲା, ବିଧାୟକ ବଦଳିଲେ, ଟାଉନ୍ ହଲ୍‌ର ରଙ୍ଗ ବଦଳିଲା; କିନ୍ତୁ ଏପର୍ଯ୍ୟନ୍ତ କାମ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ।”

Leave a Reply

Your email address will not be published. Required fields are marked *