ଲଗାଣ ବର୍ଷାରେ ଉବୁଟୁବୁ ବରଗଡ଼ବରଗଡ଼ରେ ଲଗାଣ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ, ବହୁ ଅଞ୍ଚଳ ଜଳମଗ୍ନ; ସ୍କୁଲ-କଲେଜ ବନ୍ଦ

ବରଗଡ଼,୨୯/୭(ଯୁଧିଷ୍ଠିର ମହାପାତ୍ର):- ଗତ ମଙ୍ଗଳବାର ରାତିରୁ ଲାଗି ରହିଥିବା ଅବିରତ ବର୍ଷା ଯୋଗୁଁ ବରଗଡ଼ ଜିଲ୍ଲାର ଜନଜୀବନ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇପଡ଼ିଛି। ଜିଲ୍ଲାର ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଅନେକ ସ୍ଥାନ ଜଳମଗ୍ନ ହୋଇଥିବାବେଳେ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗଳିକନ୍ଦି ଓ ମୁଖ୍ୟ ରାସ୍ତାରେ ବର୍ଷାଜଳ ଜମି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ସ୍ଥାନରେ ଡ୍ରେନ୍ ପାଣି ସହ ବର୍ଷାଜଳ ଲୋକଙ୍କ ଘର ଭିତରକୁ ପଶିଯିବାରୁ ଘରୋଇ ସାମଗ୍ରୀ ନଷ୍ଟ ହେବା ସହ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଚକରକେନ୍ଦ ପଞ୍ଚାୟତର ବିଭିନ୍ନ ଗ୍ରାମ ସମେତ ଜିଲ୍ଲାର ଅନେକ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ କେତେକ କଚ୍ଚା ଘର ଭାଙ୍ଗି ପଡ଼ିଥିବା ସୂଚନା ମିଳିଛି। ବର୍ଷା ଲାଗି ରହିଥିବାରୁ ସ୍ଥିତିରେ ଏପର୍ଯ୍ୟନ୍ତ ବିଶେଷ ସୁଧାର ଆସିପାରିନାହିଁ। ପାଣି ନିଷ୍କାସନରେ ବିଳମ୍ବ ହେବାରୁ ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଛି।

ବରଗଡ଼ ସହରର ବାନ୍ଦୁଟିକ୍ରା, ଖଜୁରଟିକ୍ରା, ରେଳ ଷ୍ଟେସନ ପଡ଼ା, ନଦୀପଡ଼ା, ତଳିପଡ଼ା, ଶକ୍ତି ନଗର, ଭିଏସଏସ ନଗର ସମେତ ଅନେକ ଅଞ୍ଚଳରେ ଡ୍ରେନ୍ ପାଣି ଓ ବର୍ଷାଜଳ ଘର ଭିତରକୁ ପଶି ଲୋକଙ୍କ ଜୀବନଯାତ୍ରାକୁ ବିପର୍ଯ୍ୟସ୍ତ କରିଦେଇଛି। ଅନେକ ପରିବାର ଘର ଭିତରେ ପାଣି ଜମି ରହିଥିବାରୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଛନ୍ତି।

ଅନ୍ୟପକ୍ଷରେ, ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବୁଧବାର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଏବଂ କଲେଜ ବନ୍ଦ ଘୋଷଣା କରିଥିଲେ। ପ୍ରଶାସନ ପକ୍ଷରୁ ନିମ୍ନାଞ୍ଚଳବାସୀଙ୍କୁ ସତର୍କ ରହିବା ସହ ଅନାବଶ୍ୟକ ଭାବେ ଘରୁ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏପରିସ୍ଥିତିରେ ଲୋକମାନେ ଶୀଘ୍ର ଜଳ ନିଷ୍କାସନ, କ୍ଷୟକ୍ଷତିର ଆକଳନ ଏବଂ ପ୍ରଭାବିତ ପରିବାରଙ୍କୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି। ବର୍ଷା ଜାରି ରହିଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି ଏବଂ ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ସୂଚନା ମିଳିଛି। ଗତ ୪୮ ଘଣ୍ଟା ମଧ୍ୟରେ ଜିଲ୍ଲାର ସମସ୍ତ ୧୨ଟି ବ୍ଲକରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ସୂଚନା ଅନୁସାରେ, ଏହି ସମୟ ମଧ୍ୟରେ ଜିଲ୍ଲାରେ ମୋଟ ୨୩୬୬.୮ ମିମି ବର୍ଷା ହୋଇଥିବା ବେଳେ ହାରାହାରି ବର୍ଷା ୧୯୭.୨ ମିମି ରହିଛି। ବ୍ଲକ ସ୍ତରୀୟ ବର୍ଷା ରିପୋର୍ଟ ଅନୁସାରେ ବିଜେପୁର: ୩୧୫ ମିମି (ସର୍ବାଧିକ), ବରପାଲି: ୨୫୨ ମିମି, ଗାଇସିଲେଟ୍: ୨୫୧ ମିମି, ଭଟଲି: ୨୨୮.୪ ମିମି, ଅତାବିରା: ୨୦୦ ମିମି, ବରଗଡ଼: ୧୯୬.୪ ମିମି, ପାଇକମାଳ: ୧୯୩ ମିମି, ସୋହେଲା: ୧୮୬ ମିମି, ଭେଡେନ୍: ୧୪୮ ମିମି, ପଦ୍ମପୁର: ୧୪୮ ମିମି, ଝାରବନ୍ଧ: ୧୩୭ ମିମି, ଅମ୍ବାଭୋନା: ୧୧୨ ମିମି (ସର୍ବନିମ୍ନ) ରେକର୍ଡ କରାଯାଇଛି l


ବିଶେଷ କରି ବିଜେପୁର, ବରପାଲି, ଗାଇସିଲେଟ୍ ଏବଂ ଭଟଲି ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଥିବାରୁ ଏସବୁ ଅଞ୍ଚଳରେ ପରିସ୍ଥିତି ଜଟିଳ ହୋଇପଡ଼ିଛି। ତଳିଆ ଅଞ୍ଚଳଗୁଡ଼ିକରେ ବର୍ଷା ଜଳ ପଶି ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ମୁଖ୍ୟ ନଦୀ ଜୀରା ଓ ଅଙ୍ଗ ସମେତ ବିଭିନ୍ନ ନାଳ ଫୁଲି ଉଠିଛି। ଏହାଫଳରେ ବ୍ୟାପକ ଚାଷ ଜମି ଜଳମଗ୍ନ ହୋଇ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଛି। ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକର ବିଡିଓ ମାନଙ୍କୁ ହାଇଆଲର୍ଟରେ ରହିବା ସହ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *