ବରଗଡ଼ /ଅମ୍ବାଭୋନା, ୧/୮(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଉପରମୁଣ୍ଡରେ ଲଗାଣ ବର୍ଷା ଏବଂ ଛତିଶଗଡ଼ର ବ୍ୟାରେଜରୁ ଅତ୍ୟଧିକ ପାଣି ଛାଡ଼ାଯିବା ଫଳରେ ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣି ମାଡ଼ି ଆସି ବିଭିନ୍ନ ଗ୍ରାମର ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି।ଏହି ପରିସ୍ଥିତିରେ ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଥିଲେ।
ବେନିଆପାଲି, ଚିଖିଲି,ଅନ୍ତରାଡି, ଘୁଘୁରାପାଲି, କୁଶମୁଦା, ବାଞ୍ଜିପାଲି, ବଡ଼ମାଲ ଆଦି ଗ୍ରାମରେ ବନ୍ୟା ପାଣି ଘେରି ରହିଥିବାରୁ ଚାଷୀମାନେ ଚିନ୍ତାରେ ରହିଛନ୍ତି।ପରିଦର୍ଶନ ସମୟରେ ବିଧାୟକ ଅମ୍ବାଭୋନା ବିଡିଓ ଡ଼. ଲଳିତ ବାଗ ଏବଂ ତହସିଲଦାର ରଘୁନାଥ ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରି ବନ୍ୟା ପ୍ରଭାବିତ ଗ୍ରାମଗୁଡ଼ିକ ପ୍ରତି ସଜାଗ ରହିବା, ଆବଶ୍ୟକ ସହାୟତା ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିବା ସହ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।




