ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ବର୍ଷେ ହେବ ଏକ୍ସରେ ମେସିନ ଅଚଳ, ନାହିଁ ନଥିବା ସମସ୍ୟାରେ ଗରିବ ରୋଗୀ

ନୂଆପଡ଼ା ଜିଲ୍ଲାର ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ର ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଠାରେ ଦୀର୍ଘ ପ୍ରାୟ ଏକ ବର୍ଷରୁ ଅଧିକ ହେବ ଏକ୍ସରେ ମେସିନଟି ଅଚଳ ହୋଇ ପଡ଼ିରହିଥିବାରୁ ସ୍ଥାନୀୟ ଅଞ୍ଚଳର ଶତାଧିକ ରୋଗୀ ସମସ୍ୟା ଭୋଗୁଛନ୍ତି। ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନୂଆପଡ଼ା ଜିଲ୍ଲା ର ଖଡ଼ିଆଳ,ସିନାପାଲି, ବୋଡେ଼ନ ତଥା ବଲାଙ୍ଗୀର ଜିଲ୍ଲାର ଶତାଧିକ ଗାଁର ଲୋକେ ଚିକିତ୍ସା ପାଇଁ ନିର୍ଭର କରୁଥିବା ବେଳେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହିଁ ନ ଥିବାର ଅସୁବିଧା ଦେଇ ଗତି କରୁଥିବାରୁ ଏଠାକୁ ଚିକିତ୍ସା ପାଇଁ ଆସୁଥୁବା ରୋଗୀ ମାନେ ଚିକିତ୍ସା ସୁବିଧା ନ ପାଇ ହଇରାଣ ହେଉଦେଖିବାକୁ ମିଳୁଛି l ସରକାର ସମସ୍ତଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଖଡ଼ିଆଳ ଉପଖଣ୍ଡ ସରକାରୀ ଚିକିତ୍ସାଳୟରେ ମାଗଣା ଏକ୍ସରେ ସେବା ଦୀର୍ଘ ଏକ ବର୍ଷରୁ ଅଧିକ ହେବ ନ ମିଲୁ ଥିବାରୁ ଗରିବ ଓ ଆଦିବାସୀ ଶ୍ରେଣୀର ରୋଗୀମାନେ ବାଧ୍ୟ ହୋଇ ବାହାରେ ଚଢ଼ା ଦରରେ ଡିଜିଟାଲ ଏକ୍ସରେ କରିବାକୁ ବାଧ୍ୟ ହେଉଛନ୍ତି।

ଯାହା ଫଳରେ ତାଙ୍କୁ ଆର୍ଥିକ ବୋଝ ର ଶିକାର ହେବାକୁ ପଡୁଛି lଜରୁରୀକାଳୀନ ପରିସ୍ଥିତି କିମ୍ବା ହାଡ଼ ଭଙ୍ଗା ଭଳି ସମସ୍ୟା ନେଇ ଆସୁଥିବା ରୋଗୀଙ୍କୁ ଏକ୍ସରେ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରି ବାହାର କ୍ଲିନିକକୁ ଦୌଡ଼ିବାକୁ ପଡ଼ୁଛି। ସ୍ଥାନୀୟ ରୋଗୀମାନଙ୍କୁ ସାମାନ୍ୟ ଏକ୍ସରେ ଟିଏ କରିବା ପାଇଁ ବାହାର ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟର କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ପଡ଼ୁଛି।ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲ ପକ୍ଷରୁ ବାରମ୍ବାର ଚିକିତ୍ସାଳୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଏହି ସମସ୍ୟା ବିଷୟରେ ଅବଗତ କରାଯାଇଛି। ମାତ୍ର ବର୍ଷେ ବିତିଯାଇଥିଲେ ମଧ୍ୟ ମେସିନର ମରାମତି କିମ୍ବା ନୂତନ ମେସିନ ସ୍ଥାପନ ଦିଗରେ କୌଣସି ଠୋସ ପଦକ୍ଷେପ ନିଆଯାଇ ନାହିଁ। ପ୍ରଶାସନର ଏଭଳି ଉଦାସୀନ ମନୋଭାବ ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ତେବେ ଏ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ, ବୈଷୟିକ ତ୍ରୁଟି ଯୋଗୁଁ ମେସିନଟି ବନ୍ଦ ରହିଛି ଏବଂ ଏହାର ସମାଧାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖାଯାଇଛି ବୋଲି ସେମାନେ ପ୍ରତିକ୍ରିୟା ଦେଇଛନ୍ତି।ଗରିବ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଖଡ଼ିଆଳ ହସ୍ପିଟାଲରେ ଏକ୍ସରେ ସେବା ସ୍ୱାଭାବିକ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *