ମାଲକାନଗିରି ଜିଲ୍ଲାର ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ ଟୋଲା ସଂଗ୍ରହ ଅନେକ ପରିବାର ଲାଗି ରୋଜଗାରର ମାଧ୍ଯମ ସାଜିଛି। ପ୍ରତିଦିନ ସକାଳୁ ଜଙ୍ଗଲରୁ ଟୋଲା ସଂଗ୍ରହ କରି ଆଦିବାସୀ ଓ ବଙ୍ଗୀୟ ସମ୍ପ୍ରଦାୟର ଅନେକ ଲୋକ ନିଜ ପରିବାରର ଭରଣପୋଷଣ କରୁଛନ୍ତି। ତେଲ, ଲୁଣ ଭଳି ନିତ୍ୟାବଶ୍ୟକ ସାମଗ୍ରୀ କିଣିବା ଠାରୁ ଆରମ୍ଭ କରି ଘରୋଇ ଆର୍ଥିକ ଆବଶ୍ୟକତା ପୂରଣରେ ଟୋଲା ବିକ୍ରୟରୁ ମିଳୁଥିବା ଆୟ ଗୁରୁତ୍ବପୂର୍ଣ ଭୂମିକା ନିଭାଉଛି । ଟୋଲା ମୁଖ୍ୟତଃ ତେଲ ଓ ସାବୁନ ଉତ୍ପାଦନରେ କଞ୍ଚାମାଲ ଭାବେ ବ୍ୟବହୃତ ହେଉଥିବାରୁ ବଜାରରେ ଏହାର ଚାହିଦା ରହିଛି ।
ତେବେ ଅନେକ ସମୟରେ ବେପାରୀ ମାନେ ସଂଗ୍ରହକାରୀଙ୍କୁ ଉଚିତ ମୂଲ୍ୟ ନଦେଇ ଶୋଷଣ କରୁଥିବା ଅଭିଯୋଗ ହେଉଛି। ଜିଲ୍ଲାରେ ଏପର୍ଯ୍ୟନ୍ତ ଟୋଲା କ୍ରୟ ଲାଗି କୌଣସି ସରକାରୀ ବିକ୍ରୟ କେନ୍ଦ୍ର ସ୍ଥାପନ ହୋଇନଥିବାରୁ ସଂଗ୍ରହକାରୀମାନେ ବାଧ୍ଯ ହୋଇ ମଧ୍ୟସ୍ଥିଙ୍କ ଉପରେ ନିର୍ଭର କରୁଛନ୍ତି । ବନ ଓ ପାହାଡ଼ ଘେରା ମାଲକାନଗିରି ଜିଲ୍ଲା ପ୍ରାକୃତିକ ସମ୍ପଦରେ ଭରପୂର। ଟୋଲା, ମହୁଲ, କେନ୍ଦୁପତ୍ର, ମହୁ ଭଳି ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ଏଠାରେ ପ୍ରଚୁର ପରିମାଣରେ ମିଳିଥାଏ। ଏହି ସମ୍ପଦକୁ ଆଧାର କରି ଅନେକ ଆଦିବାସୀ ପରିବାର ଜୀବିକା ନିର୍ବାହ କରୁଛନ୍ତି। ସ୍ଥାନୀୟ ଲୋକଙ୍କ ମତରେ, ସରକାରଙ୍କ
ପକ୍ଷରୁ ଜିଲ୍ଲାର ବିଭିନ୍ନ ବ୍ଲକରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟ ଲାଗି ସ୍ଥାୟୀ ବ୍ୟବସ୍ଥା କରାଗଲେ ସଂଗ୍ରହକାରୀମାନେ ନିଜ ଉତ୍ପାଦର ଉଚିତ ମୂଲ୍ୟ ପାଇପାରିବେ। ଏହାଦ୍ବାରା ସେମାନଙ୍କ ଆର୍ଥିକ ସ୍ଥିତିର ଉନ୍ନତି ହେବା ସହ ଜିଲ୍ଲାର ସାମଗ୍ରିକ ବିକାଶରେ ମଧ୍ଯ ସହାୟକ ହେବ ବୋଲି ଆଶା କରା ଯାଉଛି ।




