SIR-୨୦୨୬କୁ ନେଇ କଳାହାଣ୍ଡିରେ ବଡ଼ କସରତ: ୧୪୧୩ରୁ ୧୭୦୫କୁ ବଢ଼ିଲା ପୋଲିଂ ବୁଥ୍, ସେପ୍ଟେମ୍ବର ୨୧ରେ ଚୂଡ଼ାନ୍ତ ଭୋଟର ତାଲିକା

ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬କୁ ନେଇ କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ପ୍ରଶାସନର ବଡ଼ କସରତ ଆରମ୍ଭ ହୋଇଥିବାବେଳେ ଶନିବାର ଜିଲ୍ଲାପାଳଙ୍କ ଓସୱାନ ସଭାଗୃହରେ ଭୋଟର ତାଲିକା ନିରୀକ୍ଷକ ବଲୱନ୍ତ ସିଂହ, ଆଇଏଏସ୍‌ଙ୍କ ଅଧ୍ୟକ୍ଷତା ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାୱାର ସଚିନ ପ୍ରକାଶ, ଆଇଏଏସ୍‌ଙ୍କ ଉପସ୍ଥିତିରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି; ଏଥିରେ ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲା ବିଧାନସଭା କ୍ଷେତ୍ରର ନିର୍ବାଚନ ଅଧିକାରୀଙ୍କ ସହ ବିଜେପି, କଂଗ୍ରେସ, ଆପ୍ ଓ ବିଜେଡି ପ୍ରତିନିଧିମାନେ ଯୋଗଦେଇଥିଲେ।

SIRର ପ୍ରଥମ ପର୍ଯ୍ୟାୟରେ ଏନ୍ୟୁମେରେସନ୍ ଫର୍ମ ମୁଦ୍ରଣ, ବଣ୍ଟନ, ଡିଜିଟାଇଜେସନ୍ ଓ ପୋଲିଂ ଷ୍ଟେସନ ଯୁକ୍ତିସଙ୍ଗତୀକରଣର ସମୀକ୍ଷା କରାଯାଇଥିବାବେଳେ ଏହି ପ୍ରକ୍ରିୟା ପରେ ଜିଲ୍ଲାର ପୋଲିଂ ଷ୍ଟେସନ ସଂଖ୍ୟା ୧,୪୧୩ରୁ ବଢ଼ି ୧,୭୦୫ରେ ପହଞ୍ଚିଛି ଏବଂ ସମସ୍ତ ବୁଥ୍‌ରେ ଖସଡ଼ା ମତଦାତା ତାଲିକା ପ୍ରକାଶ ପାଇସାରିଛି। ଦାବି ଓ ଆପତ୍ତି ଦାଖଲ ପାଇଁ ଅଗଷ୍ଟ ୧୯ ପର୍ଯ୍ୟନ୍ତ ସମୟ ରହିଥିବାବେଳେ ସେଗୁଡ଼ିକର ନିଷ୍ପତ୍ତି ସେପ୍ଟେମ୍ବର ୧୭ ସୁଦ୍ଧା କରାଯାଇ ସେପ୍ଟେମ୍ବର ୨୧ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଭୋଟର ତାଲିକା ନିରୀକ୍ଷକ BLO, AERO, ERO ଓ DEOମାନଙ୍କୁ ଖସଡ଼ା ତାଲିକାର ତ୍ରୁଟି ଯାଞ୍ଚ, ଯୋଗ୍ୟ ମତଦାତାଙ୍କ ନାମ ସାମିଲ, ଅଯୋଗ୍ୟଙ୍କ ନାମ ବିଲୋପ ଓ ଦାବି-ଆପତ୍ତିର ଶୀଘ୍ର ନିଷ୍ପତ୍ତି ପାଇଁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିବାବେଳେ “ଜଣେ ହେଲେ ବି ଯୋଗ୍ୟ ମତଦାତା ବାଦ୍ ପଡ଼ିବେ ନାହିଁ ଏବଂ ଜଣେ ବି ଅଯୋଗ୍ୟ ବ୍ୟକ୍ତି ମତଦାତା ତାଲିକାରେ ସାମିଲ ହେବେ ନାହିଁ” ବୋଲି SIR-୨୦୨୬ର ମୂଳ ଲକ୍ଷ୍ୟକୁ ପୁଣିଥରେ ସ୍ପଷ୍ଟ କରାଯାଇଛି।

Leave a Reply

Your email address will not be published. Required fields are marked *